ଭୁବନେଶ୍ଵର,୧୦/୦୨:ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ଅନୁମୋଦିତ ରୁଟ୍ରେ ପ୍ରଶ୍ନପତ୍ର ଯିବ, ଅନ୍ୟ ବାଟରେ ମନା । ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ସମସ୍ତ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା କିପରି ଚାଲିଛି ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ରୁ ଦେଖିହେବ । ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ ।
ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଜିଲ୍ଲାରେ ୭ଟି ଥାନା, ମାଲକାନଗିରି ଜିଲ୍ଲାର ୮ଟି ଥାନା ଓ ଦୁଇଟି ଫାଣ୍ଡିରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନୋଡାଲ୍ ସେଣ୍ଟର କରାଯାଇଥିବାରୁ ସେଠାରେ ପ୍ରଶ୍ନ ରଖାଯିବା ଲାଗି ବ୍ୟବସ୍ଥା ରହିଛି । ବାକି ଅନ୍ୟ ସମସ୍ତ ଜିଲ୍ଲାର ବ୍ଲକ ସ୍ତରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିବା ବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର ଭାବେ ଚୟନ କରାଯାଇଛି । ଏଥର ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି ) ପରୀକ୍ଷା ପାଇଁ ୧୨ ହଜାର ୪୧୪ ଓ ମଧ୍ୟମା ପରୀକ୍ଷା ପାଇଁ ୨ ହଜାର ୭୪୮ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ମାଟ୍ରିକ୍ ପରୀକ୍ଷା କେନ୍ଦ୍ର, ନୋଡାଲ୍ ସେଣ୍ଟର, ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା କେନ୍ଦ୍ର ମିଶି ସମୁଦାୟ ୩ ହଜାର ୮୨ ସେଣ୍ଟର୍ ପାଇଁ ବୋର୍ଡ ପକ୍ଷରୁ କ୍ଲୋଜ୍ ସର୍କିଟ୍ କ୍ୟାମେରାରେ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏ ହେବାକୁ ଥିବା ପରୀକ୍ଷାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ସହ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ।