ଭୟଙ୍କର ସୌର ଝଡ଼ର ଆଶଙ୍କା, ସାଟେଲାଇଟ୍ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ସଙ୍କଟ

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର,୦୫/୦୨:ସୂର୍ଯ୍ୟ ଏବେ ତାହାର ଅତ୍ୟନ୍ତ ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛି। ସୂର୍ଯ୍ୟପୃଷ୍ଠରେ କ୍ରମାଗତ ଭାବେ ଶକ୍ତିଶାଳୀ ସୌର ଜ୍ୱାଳା (Solar Flares) ଏବଂ କୋରୋନାଲ୍ ମାସ୍ ଇଜେକ୍ସନ୍ (CME) ଘଟୁଥିବାରୁ ପୃଥିବୀ ପାଇଁ ବଡ଼ ବିପଦ ସଙ୍କେତ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ସହିତ ବିଶ୍ୱର ଅନେକ ପ୍ରମୁଖ ମହାକାଶ ଏଜେନ୍ସି ହାଇଆଲର୍ଟ ଜାରି କରିଛନ୍ତି।
ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟପୃଷ୍ଠରେ ଥିବା ଏକ ବିଶାଳ ସନସ୍ପଟ୍‌ ଅଞ୍ଚଳରୁ ଏକାଧିକ X-କ୍ଲାସ୍ ସୌର ଜ୍ୱାଳା ନିର୍ଗତ ହୋଇଛି। ବିଶେଷକରି ଫେବୃଆରୀ ୧ ତାରିଖ ପରେ ଘଟିଥିବା X8.1 ଶ୍ରେଣୀର ସୌର ଜ୍ୱାଳା ୨୦୨୬ ବର୍ଷର ଏପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ବୋଲି ବୈଜ୍ଞାନିକମାନେ କହିଛନ୍ତି।

କେଉଁ କ୍ଷେତ୍ରରେ ପଡ଼ିପାରେ ପ୍ରଭାବ?

ଏହି ଭୟଙ୍କର ସୌର ଝଡ଼ର ପ୍ରଭାବରେରେଡିଓ ଯୋଗାଯୋଗରେ ବ୍ଲାକଆଉଟ୍,ବିମାନ ଚଳାଚଳରେ ବାଧା,ସାମୁଦ୍ରିକ ଜାହାଜର,ନେଭିଗେସନ୍ ସିଷ୍ଟମ୍ ପ୍ରଭାବିତ,GPS ସିଗନାଲ୍‌ରେ ତ୍ରୁଟି,ଟେଲିଭିଜନ ଓ ମୋବାଇଲ୍ ନେଟୱାର୍କରେ ଅସ୍ଥାୟୀ ସମସ୍ୟା
ଦେଖାଦେଇପାରେ। ବିଶେଷକରି ଧ୍ରୁବ ଅଞ୍ଚଳ ଓ ଦୀର୍ଘଦୂରତା ରେଡିଓ ସଂଯୋଗ ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ।

ସାଟେଲାଇଟ୍‌ ଉପରେ ଇସ୍ରୋର କଡା ନଜର

ସୌର ଝଡ଼ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ISRO ଭାରତର ୫୦ରୁ ଅଧିକ ସକ୍ରିୟ ସାଟେଲାଇଟ୍ ଉପରେ ନିରନ୍ତର ନଜର ରଖିଛି। ଆବଶ୍ୟକ ପଡ଼ିଲେ ସାଟେଲାଇଟ୍‌ଗୁଡ଼ିକୁ ସୁରକ୍ଷିତ ମୋଡ୍‌ରେ ନେବା ପାଇଁ ପ୍ରସ୍ତୁତି ରହିଛି।

ଆଦିତ୍ୟ-L1 ଦେଉଛି ଆଗୁଆ ସତର୍କ ସଙ୍କେତ

ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-L1 ସୂର୍ଯ୍ୟର ଗତିବିଧିକୁ ନିରନ୍ତର ନଜର ରଖି ପ୍ରତି ମୁହୂର୍ତ୍ତରେ ମୂଲ୍ୟବାନ ତଥ୍ୟ ସଂଗ୍ରହ କରୁଛି। ଏହି ତଥ୍ୟ ଆଧାରରେ ସମ୍ଭାବ୍ୟ ସୌର ଝଡ଼ ପାଇଁ ପୂର୍ବ ସତର୍କତା ଜାରି କରାଯାଉଛି, ଯାହା ଭବିଷ୍ୟତରେ ବଡ଼ କ୍ଷତିକୁ ରୋକିବାରେ ସହାୟକ ହେବ।

ଏପର୍ଯ୍ୟନ୍ତ କ୍ଷତି ନାହିଁ
ସୌର ଝଡ଼ର ଭୟଙ୍କରତା ସତ୍ତ୍ୱେ ଏପର୍ଯ୍ୟନ୍ତ ପୃଥିବୀରେ କୌଣସି ବଡ଼ ଧରଣର କ୍ଷତିର ଖବର ମିଳିନାହିଁ। ISRO, NASA ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ମହାକାଶ ସଂସ୍ଥାଗୁଡ଼ିକ ସ୍ଥିତି ଉପରେ କଢ଼ା ନଜର ରଖିଛନ୍ତି।

ବିଶେଷଜ୍ଞମାନଙ୍କ ମତରେ, ଆସନ୍ତା କିଛି ଦିନ ସାବଧାନ ରହିବା ଆବଶ୍ୟକ, କାରଣ ସୂର୍ଯ୍ୟର କ୍ରିୟାଶୀଳତା ଏପର୍ଯ୍ୟନ୍ତ କମିନାହିଁ।


Spread the love

Leave A Reply

Your email address will not be published.