ଭୁବନେଶ୍ବର : ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଏହି ପ୍ରତିନିଧିମାନେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ପ୍ରତିନିଧି ପଦାଧିକାରୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ରାଜସ୍ୱ ବିଭାଗ ସଚିବ ତଥା ରିଲିଫ୍ କମିଶନର ଶ୍ରୀ ଭାନୁ ଚନ୍ଦ୍ର ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣ ଅଧିକାରୀ ହେଉଛନ୍ତି, ଇମର୍ଜେନ୍ସି ଅପରେସନ ସେଣ୍ଟରର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅଦିତୀ ଉମରାଓ ଏବଂ ଶ୍ରୀ ଅପୂର୍ବ ଶ୍ରୀବାସ୍ତବ ।
ସେମାନେ ଓଡ଼ିଶାକୁ ୩ରୁ ୬ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଗସ୍ତ କରି ଓଡ଼ିଶାର ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା, ଗୋଷ୍ଠୀ ସହଯୋଗିତାରେ ବିପର୍ଯ୍ୟୟ ପରିଚାଳନା ଏବଂ ଜରୁରୀ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରୁଛନ୍ତି ।

ଉତ୍ତର ପ୍ରଦେଶରୁ ଆସିଥିବା ଏହି ଅଧିକାରୀମାନେ ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର କାକଟତ୍ପୁର ବ୍ଲକର ଛୋଟିପଡା ଗାଁରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ଗ୍ରାମ କମ୍ୟୁନିଟି ଏବଂ ବହୁମୁଖୀ ବାତ୍ୟା ପରିଚାଳନା କେନ୍ଦ୍ର ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟାମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।
ଜୁଲାଇ ୫ ତରିଖରେ ସେମାନଙ୍କର ଏହି ଟିମ୍ ଲୋକସେବା ଭବନ ସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ଓସଡମାର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ଏକ ବୈଠକରେ ଯୋଗଦେଇ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେମାନେ ଓସଡମାର ଅଧିକାରୀମାନଙ୍କ ସହିତ କଥା ହୋଇଥିଲେ । ପରେ ପରେ ସେମାନେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଯାଇ ରାଜ୍ୟ ଇମର୍ଜେନ୍ସିଂ ଅପରେସନ ସେଣ୍ଟର(ଏସଇଓସି) ଏବଂ ଅପରାହ୍ଣରେ ଗୋଠପାଟଣା ସ୍ଥିତ ଆରଓଟିଆଇ (ରୋଟୀ), ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କେନ୍ଦ୍ର(ଡିଏମଟିସି) ପରିଦର୍ଶନ କରିଥିଲେ ।
କ୍ଷେତ୍ର ପରିଦର୍ଶନ ଓ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ରାଜ୍ୟର ବ୍ୟବସ୍ଥା ଏବଂ ପ୍ରସ୍ତୁତି ଅନୁଧ୍ୟାନ କରି ଉତ୍ତର ପ୍ରଦେଶ ସରକାରର ରାଜସ୍ୱ ସଚିବ ତଥା ରିଲିଫ୍ କମିଶନର୍ ଏବଂ ଉତ୍ତର ପ୍ରଦେଶର ଅନ୍ୟ ଅଧିକାରୀମାନେ ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।