ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଆୟୋଜିତ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସ୍‌ର ୭ମ ସଂସ୍କରଣ

Spread the love

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨୭ରୁ ୨୯ ତାରିଖ ୨୦୨୩ ମଧ୍ୟରେ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଟେଲିଯୋଗାଯୋଗ ବିଭାଗ (ଡିଓଟି) ଏବଂ ସେଲ୍ୟୁଲାର୍ ଅପରେଟର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (ସିଓଏଆଇ) ପକ୍ଷରୁ ମିଳିତ ଭାବେ ଏସିଆର ପ୍ରେମିୟର ଡିଜିଟାଲ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି)ର ୭ମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ‘ଗ୍ଲୋବାଲ ଡିଜିଟାଲ ଇନୋଭେଶନ’ ବିଷୟବସ୍ତୁ ସହିତ ଆଇଏମ୍‌ସି ହେଉଛି ଟେକ୍ନୋଲୋଜି ଇକୋସିଷ୍ଟମରେ ଶିଳ୍ପ, ସରକାର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ମୁଖ୍ୟ ହିତାଧିକାରୀଙ୍କ ପାଇଁ ଏକ ଉପଯୁକ୍ତ ବୈଠକସ୍ଥଳୀ ଓ ପ୍ରଦର୍ଶନୀ । ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ, ୫୦୦୦ରୁ ଅଧିକ ସିଏକ୍ସଓ-ସ୍ତରର ପ୍ରତିନିଧି, ୩୫୦ରୁ ଅଧିକ ବକ୍ତା ଓ ୪୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେବେ । ୨୦୧୭ରେ ଏହାର ଆରମ୍ଭ ପରଠାରୁ ଆଇଏମ୍‌ସି ଭାରତର ଅବସ୍ଥିତିକୁ ପ୍ରୋତ୍ସାହିତ କରୁଛି ଏବଂ ଡିଜିଟାଲ ଉଦ୍ଭାବନର ପରବର୍ତୀ ତରଙ୍ଗକୁ ପରିକଳ୍ପନା କରିବା ପାଇଁ ଆନ୍ତର୍ଜାତୀୟ ଲିଡର୍‌ଙ୍କ ପାଇଁ ଏକ ପ୍ରମୁଖ ଫୋରମ୍ ଭାବେ କାର୍ଯ୍ୟ କରୁଛି । ଗତବର୍ଷ ଏହି ଇଭେଂଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୫ଜିର ଶୁଭାରମ୍ଭ କରିବା ସହିତ ଶିଳ୍ପରୁ ଆଇଏମ୍‌ସିକୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିଲା । ଚଳିତ ବର୍ଷ ପ୍ରମୁଖ କାର୍ଯ୍ୟକ୍ରମଗୁଡିକ ୬ଜି, ୫ଜି ନେଟ୍‌ୱର୍କ କ୍ଷେତ୍ରରେ ଅଗ୍ରଗତି, ଟେଲିକମ୍ୟୁନିକେଶନ୍ସ ଓ ଅନ୍ୟାନ୍ୟ ଡୋମେନ୍‌ରେ ଏଆଇର ବର୍ଦ୍ଧିତ ବ୍ୟବହାର, ଏଜ୍ କମ୍ପ୍ୟୁଟିଂ, ଇଣ୍ଡଷ୍ଟ୍ରୀ ୪.୦ ଓ ଇଣ୍ଡିଆ ଷ୍ଟାକ୍‌ର ଆର୍ବିଭାବ ଉପରେ ଆଲୋକପାତ କରିବେ ।

ଆଇଏମ୍‌ସି ୨୦୨୩ ବିଭିନ୍ନ ବି୨ଜି ଓ ବି୨ବି ଫୋରମ୍ ଓ ଇଣ୍ଡଷ୍ଟ୍ରୀ ରାଉଣ୍ଡ ଟେବୁଲ, ବୃହତ୍ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀ ସମାରୋହ ଓ ଗ୍ଲୋବାଲ ବାୟର ଫୋରମ୍‌ଗୁଡିକର ଶୁଭାରମ୍ଭ କରିବାକୁ ଯୋଜନା ରଖିଛି । ସିଓଏଆଇର ଅଧ୍ୟକ୍ଷ ଶ୍ରୀ ପି.କେ ମିତଲ ଚଳିତ ବର୍ଷର ଏସିଆର ଏହି ସର୍ବବୃହତ୍ ଟେଲିକମ୍ ଇଭେଂଟ୍ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟେକ୍ ଶିଳ୍ପ ପାଇଁ ଏକ ବଡ ସଫଳତା ହେବ ବୋଲି କହିଛନ୍ତି । ସେହିପରି ଡିଓଟିର ଅତିରିକ୍ତ ସଚିବ ଭି.ଏଲ୍ କାନ୍ଥା ରାଓ କହିଛନ୍ତି, ‘ଆଇଏମ୍‌ସି ହେଉଛି ଶିଳ୍ପ ଓ ସରକାରଙ୍କ ପାଇଁ ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ । ଚଳିତ ବର୍ଷ ଆମେ ଅଧିକ ଆନ୍ତର୍ଜାତୀୟ ଅଂଶଗ୍ରହଣର ଆଶା ରଖିଛୁ ଏବଂ ଅନ୍ୟ ସମ୍ବନ୍ଧିତ ଶିଳ୍ପଗୁଡିକୁ ମଧ୍ୟ ସମ୍ପୃକ୍ତ କରିବାକୁ ଚେଷ୍ଟା କରୁଛୁ । ଗତବର୍ଷ ପ୍ରଧାନମନ୍ତ୍ରୀ ୫ଜି ବିପ୍ଳବର ଶୁଭାରମ୍ଭ କରିଥିଲେ, ମୁଁ ନିଶ୍ଚିତ ଯେ, ଚଳିତ ଥର ଅକ୍ଟୋବରରେ ଦେଶ ଆଇଏମ୍‌ସି ୨୦୨୩ରେ ଆଉ ଏକ ବିପ୍ଳବ ଦେଖିବା ପାଇଁ ପ୍ରସ୍ତୁତ ଅଛି । କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେଭୁସିନ୍ ଚୌହାନ କହିଛନ୍ତି, ଭାରତରେ ଟେଲିକମ୍ ଶିଳ୍ପ ବିଗତ କିଛି ବର୍ଷରେ ବହୁମାତ୍ରରେ ପରିବର୍ତନ ହୋଇଛି ଏବଂ ଆଇଏମ୍‌ସି ମଧ୍ୟ ବିଶ୍ୱ ଓ ଏସିଆରେ ଏକ ପ୍ରେମିୟର ଟେକ୍ନୋଲୋଜି ଇଭେଂଟ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ଚଳିତ ବର୍ଷ ଆଇଏମ୍‌ସିରେ ଆମେ ଆଶା କରୁଛୁ ଯେ,ବ୍ୟବହାରିକ ମାମଲାଗୁଡିକ ଉପସ୍ଥାପିତ ହେବା ଉଚିତ ଯାହା କୃଷି, ଶିକ୍ଷା, ପରିବହନ ଆଦି କ୍ଷେତ୍ରରେ ଉପଯୋଗୀ ହୋଇପାରିବ ।’ କେନ୍ଦ୍ର ଯୋଗାଯୋଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଇଏମ୍‌ସି ଦେଶରେ ଏକ ପ୍ରମୁଖ ଟେକ୍ନୋଲୋଜି ଇଭେଂଟ୍ ଭାବେ ଉଭା ହୋଇଛି । ଆଇଏମ୍‌ସି ୨୦୨୩ ପାଇଁ ବିଷୟବସ୍ତୁ ହେଉଛି ଗ୍ଲୋବାଲ ଡିଜିଟାଲ ଇନୋଭେଶନ ଏବଂ ଅନେକ ଶିଳ୍ପ ଡ୍ରୋନ୍‌, ସ୍ୟାଟ୍‌କମ୍‌, ମୋବାଇଲ ଉତ୍ପାଦନ, ସାଇବରସିକ୍ୟୁରିଟି ଷ୍ଟାର୍ଟଅପ୍ ସମେତ ଆଇଏମ୍‌ସି ସହ ଜଡିତ ହେବେ । ଆଇଏମ୍‌ସି ୫ଟି ଆନ୍ତର୍ଜାତୀୟ ସହଯୋଗୀ ଦେଶଗୁଡିକୁ ଏକ୍ସପ୍ଲୋର କରିବ ଓ ଅନେକ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରିବ । ଆମ ସମସ୍ତେ ଭାରତକୁ ଏକ ଟେକ୍ନୋଲୋଜି ପାୱାରହାଉସ୍ ଭାବେ ଅବସ୍ଥାପିତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ଏବଂ ଆଇଏମ୍‌ସି ଏହି ଲକ୍ଷ୍ୟ ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ।’


Spread the love

Leave A Reply

Your email address will not be published.