ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଭାବୀ ପଦକ୍ଷେପ; ସ୍ୱତନ୍ତ୍ର ନିଯୁକ୍ତି ମାଧ୍ୟମରେ ସଶକ୍ତ ହେବେ ବିସ୍ଥାପିତ ଓ ଜମିହରା ପରିବାରର
- କେବଳ ବିସ୍ଥାପିତ ଏବଂ ଜମିହରା ପରିବାରର ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା, ୫୦ ଜଣ ମନୋନୀତ - ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ପକ୍ଷରୁ ମଧ୍ୟ ସମାନ ପ୍ରକ୍ରିୟା ଆରମ୍ଭ

ସାମାଜିକ କଲ୍ୟାଣ ଏବଂ ଅନ୍ତର୍ଭୁକ୍ତକାରୀ ବିକାଶ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଏବଂ ଜମି ହରାଇଥିବା ପରିବାରର ୫୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ମନୋନୀତ କରାଯାଇଛି । ଏହି ପଦକ୍ଷେପ ଶିଳ୍ପାୟନ ଦ୍ୱାରା ପ୍ରଭାବିତ ସ୍ଥାନୀୟ ଲୋକମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇଦେବା ଦିଗରେ ଟାଟା ଷ୍ଟିଲର ନିଷ୍ଠାକୁ ପ୍ରମାଣିତ କରୁଛି।
୨୦୨୫ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନକୁ ଏପରି ଭାବରେ ପ୍ରସ୍ତୁତ କରାଯାଇଥିଲା ଯେପରି କେବଳ ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟ ଯୋଗୁଁ ଜମି ହରାଇଥିବା ଏବଂ ବିସ୍ଥାପିତ ହୋଇଥିବା ପରିବାରର ଯୋଗ୍ୟ ପ୍ରାର୍ଥୀମାନେ ହିଁ ଏଥିରେ ଅଂଶଗ୍ରହଣ କରିପାରିବେ। ଏହି ସ୍ଵତନ୍ତ୍ର ଚୟନ ପ୍ରକ୍ରିୟାରେ ୧୭୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୫୦ ଜଣଙ୍କୁ ତାଲିକାଭୁକ୍ତ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ଡିପ୍ଲୋମାଧାରୀ ଏବଂ ୮ ଜଣ ଆଇଟିଆଇ ଶିକ୍ଷାପ୍ରାପ୍ତ, ଯାହା ଅଞ୍ଚଳର ବିକାଶ ପାଇଁ ଗୁରୁତ୍ଵ ବହନ କରିବ । ଫେବୃଆରୀ ୪, ୨୦୨୬ ରେ ଏହି ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ଏବଂ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
ତ୍ରିଜଙ୍ଗା ପୁନର୍ବାସ କଲୋନୀରୁ ମନୋନୀତ ପ୍ରାର୍ଥୀନୀ କୁମାରୀ ରୀନା ପାତ୍ର ନିଜର ଉତ୍ସାହ ପ୍ରକାଶ କରି କହିଛନ୍ତି, “ଟାଟା ଷ୍ଟିଲରୁ ମିଳିଥିବା ଏହି ସୁଯୋଗ ମୋର ଏବଂ ମୋ ପରିବାର ପାଇଁ ଏକ ସ୍ୱପ୍ନ ସତ ହେବା ପରି । ଏହା କେବଳ ଏକ ଚାକିରି ନୁହେଁ, ବରଂ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ଏବଂ ସମାଜର ବିକାଶରେ ଅବଦାନ ରଖିବାର ମୋ ପାଇଁ ଏକ ସୁଯୋଗ।” ସେହିପରି ଗୋବରଘାଟି ପୁନର୍ବାସ କଲୋନୀର ଶ୍ରୀ ମଣ୍ଟୁ ସୋୟ କହିଛନ୍ତି, “ମୁଁ ବହୁତ ଗର୍ବିତ ଏବଂ କୃତଜ୍ଞ । ଏହି ସ୍ୱତନ୍ତ୍ର ନିଯୁକ୍ତି ଆମକୁ ଭବିଷ୍ୟତ ଗଠନ ପାଇଁ ଏକ ବଡ଼ ସୁଯୋଗ ଦେଇଛି।” ମନୋନୀତ ପ୍ରାର୍ଥୀମାନେ ମୁଖ୍ୟତଃ ତ୍ରିଜଙ୍ଗା, ଗୋବରଘାଟି, ସାଂସାଇଲୋ ଏବଂ ରାମଠେଙ୍ଗ ପୁନର୍ବାସ କଲୋନୀ ସମେତ ନିକଟସ୍ଥ ଦାନଗଦି, ପଙ୍କପାଳ, ବାରଗାଡିଆ, ମାନତିରା ଏବଂ ନଡ଼ିଆଭଙ୍ଗା ପଞ୍ଚାୟତର ବାସିନ୍ଦା ଅଟନ୍ତି ।
ପୁନର୍ବାସ କଲୋନୀର ଅଭିଭାବକ ଶ୍ରୀ ସଦାଶିବ ପଢ଼ିହାରୀ ଖୁସି ବ୍ୟକ୍ତ କରି କହିଛନ୍ତି, “ଆମେ ଏମିତି ଏକ ସୁଯୋଗ ପାଇଁ ଆଶା ରଖିଥିଲୁ ଏବଂ ଆଜି ତାହା ପୂରଣ ହୋଇଛି । ମୋ ପୁଅର ଭବିଷ୍ୟତ ସୁରକ୍ଷିତ ହୋଇଥିବାରୁ ଆମେ ବହୁତ ଖୁସି।”
ଏହି ପ୍ରତିବଦ୍ଧତାକୁ ଆହୁରି ବ୍ୟାପକ କରି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ମଧ୍ୟ ଏହାର ବିସ୍ଥାପିତ ଓ ଜମିହରା ପରିବାରର ସଦସ୍ୟଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି । ଏନଆଇଏନଏଲ ପକ୍ଷରୁ ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ମେଟାଲର୍ଜି ଏବଂ ସିଭିଲ୍ ଇଞ୍ଜିନିୟରିଂରେ ଆଇଟିଆଇ ଏବଂ ଡିପ୍ଲୋମାଧାରୀଙ୍କ ସମେତ ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟିରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ପାଇଁ ଆବେଦନ ଆହ୍ୱାନ କରାଯାଇଛି l