ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଉପରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟୟନ ରିପୋର୍ଟ ପ୍ରକାଶିତ
ଭୁବନେଶ୍ୱର, ୨ ଫେବୃଆରୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ର ବିଦ୍ୟୁତ ବିତରଣ କାର୍ଯ୍ୟଦକ୍ଷତା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ବିତରଣ କ୍ଷେତ୍ରରେ ସଂସ୍କାର ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ନେଟୱାର୍କ ବିଶ୍ୱସନୀୟତା, କାର୍ଯ୍ୟକ୍ଷମତା, ବୈଷୟିକ ହସ୍ତକ୍ଷେପ ଏବଂ ଗ୍ରାହକ ସେବା ପ୍ରଦାନ ପ୍ରକ୍ରିୟା କିଭଳି ବିକଶିତ ହୋଇଛି, ତାହା ଏହି ରିପୋର୍ଟରେ ଅନୁଧ୍ୟାନ କରାଯାଇଛି। ନିରନ୍ତର ପୁଞ୍ଜି ବିନିଯୋଗ, ନେଟୱାର୍କର ଆଧୁନିକୀକରଣ ଏବଂ ବିତରଣ ନେଟୱାର୍କରେ ଡିଜିଟାଲ୍ ବୈଷୟିକ ଜ୍ଞାନକୌଶଳର କ୍ରମାଗତ ବ୍ୟବହାର ଯୋଗୁଁ ମିଳିଥିବା ସୁଫଳକୁ ଏହି ଅଧ୍ୟୟନରେ ମୂଲ୍ୟାଙ୍କନ କରାଯାଇଛି।
ଏହି ଅଧ୍ୟୟନଟି ଆଇଆଇଟି ଭୁବନେଶ୍ୱରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ, ଆସୋସିଏଟ୍ ପ୍ରଫେସର ଡକ୍ଟର ଚନ୍ଦ୍ରଶେଖର ପେରୁମାଲ୍ଲା ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅଭିନୀତ ପ୍ରକାଶଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେଣ୍ଟ୍ରାଲ ଓଡ଼ିଶାର ୨୯,୩୫୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୧.୩୬ କୋଟି ଜନସାଧାରଣଙ୍କୁ ସେବା ଯୋଗାଉଥିବା ଟିପିସିଓଡିଏଲ ର କାର୍ଯ୍ୟଦକ୍ଷତାକୁ ଏଥିରେ ପରଖାଯାଇଛି। ଏହି ବିଶ୍ଳେଷଣଟି କ୍ଷେତ୍ର ପରିଦର୍ଶନ, ସିଷ୍ଟମ ଡାଟାର ଯାଞ୍ଚ ଏବଂ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ଷମତା ଏବଂ ଉପଭୋକ୍ତା ସେବା ଶୈଳୀର ସମୀକ୍ଷା ଉପରେ ଆଧାରିତ।
ଅଧ୍ୟୟନର ଏକ ମୁଖ୍ୟ ପର୍ଯ୍ୟବେକ୍ଷଣ ହେଉଛି ବିଦ୍ୟୁତ ବିଭ୍ରାଟ ସମୟରେ ଆସିଥିବା ଉଲ୍ଲେଖନୀୟ ହ୍ରାସ, ଯାହା ସମୀକ୍ଷା ସମୟ ମଧ୍ୟରେ ‘ସିଷ୍ଟମ ଆଭେରେଜ୍ ଇଣ୍ଟରପ୍ସନ ଡ୍ୟୁରେସନ ଇଣ୍ଡେକ୍ସ’ ରେ ପ୍ରାୟ ୫୦% ସୁଧାର ମାଧ୍ୟମରେ ପ୍ରତିଫଳିତ ହୋଇଛି। ଏହି ଉନ୍ନତି ଏକ ସ୍ଥିର ଏବଂ ସୁଦୃଢ଼ ବିତରଣ ନେଟୱାର୍କକୁ ସୂଚାଉଛି, ଯାହା ଉନ୍ନତ ତ୍ରୁଟି ଚିହ୍ନଟ, ଦ୍ରୁତ ତ୍ରୁଟି ପୃଥକୀକରଣ ଏବଂ ସେବା ପୁନଃସ୍ଥାପନ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇଛି। ଏହା ଫଳରେ ଟ୍ରାନ୍ସଫର୍ମର ଟ୍ରିପିଂ ଏବଂ ପୋଡ଼ିଯିବା ହାର ମଧ୍ୟ ହ୍ରାସ ପାଇଛି।
ଏହି ଅଧ୍ୟୟନରେ କାର୍ଯ୍ୟକ୍ଷମତା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ଲିପିବଦ୍ଧ କରାଯାଇଛି। ସଂସ୍କାର ସମୟର ପ୍ରାରମ୍ଭରେ ପ୍ରାୟ ୩୦% ଥିବା ‘ଏଗ୍ରିଗେଟ୍ ଟେକ୍ନିକାଲ୍ ଆଣ୍ଡ କମର୍ସିଆଲ୍’ (ଏଟିଆଣ୍ଡସି) କ୍ଷତି ଆର୍ଥିକ ବର୍ଷ ୨୦୨୫ ସୁଦ୍ଧା ୧୮.୯୪% କୁ ହ୍ରାସ ପାଇଛି। ଉନ୍ନତ କାର୍ଯ୍ୟକ୍ଷମ ନିୟନ୍ତ୍ରଣ, ବିଲିଂ ପ୍ରକ୍ରିୟାରେ ସୁଧାର ଏବଂ ନେଟୱାର୍କ ଦକ୍ଷତା ବୃଦ୍ଧି ଯୋଗୁଁ ଏହି ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୩୩ କେଭି ଫିଡରରେ ୪୪% ଏବଂ ୧୧ କେଭି ଫିଡରରେ ୪୨% ବୃଦ୍ଧି ସହ ୨୫୦ଟି ସବ୍ଷ୍ଟେସନକୁ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହିତ ସଂଯୁକ୍ତ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧,୫୦୦ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ସବ୍ଷ୍ଟେସନ ଗୁଡ଼ିକର ସୁଦୃଢ଼ୀକରଣ, ଅଟୋମେସନ୍ ପରିସର ବୃଦ୍ଧି, ଡିଜିଟାଲ୍ ମନିଟରିଂ ପ୍ଲାଟଫର୍ମ ଏବଂ ସାମଗ୍ରିକ ନେଟୱାର୍କ ସ୍ଥିରତା ପାଇଁ ବ୍ୟୟ କରାଯାଇଛି।
ଅଧ୍ୟୟନରେ ଦର୍ଶାଯାଇଛି ଯେ ବାତ୍ୟା ପ୍ରତିରୋଧୀ ବିତରଣ ନେଟୱାର୍କ ଗଠନ ପାଇଁ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ବିକଳ୍ପ ଯୋଜନା ଯୋଗୁଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସେବା ପୁନଃସ୍ଥାପନ ସମ୍ଭବ ହେଉଛି। ଏହା କମ୍ପାନୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଦକ୍ଷତାକୁ ପ୍ରମାଣିତ କରୁଛି।
ରିପୋର୍ଟ ଉପରେ ନିଜର ମତ ରଖି ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ କହିଛନ୍ତି ଯେ, “ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ବିତରଣ କମ୍ପାନୀର ଏହି ମୂଲ୍ୟାଙ୍କନ ଦୀର୍ଘକାଳୀନ ଜନସେବା ସୁଧାର ପାଇଁ ଏକ ନିରପେକ୍ଷ ତଥ୍ୟ ଭାବରେ କାର୍ଯ୍ୟ କରିବ। ଯେହେତୁ ଓଡ଼ିଶାର ବିଦ୍ୟୁତ ବିତରଣ ସଂସ୍କାର ମଡେଲ ଆଜି ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରୁଛି, ଆମର ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଅତ୍ୟାଧୁନିକ ଅଟୋମେସନ୍ ସହିତ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା କାର୍ଯ୍ୟ ସଂସ୍କୃତି ଦୀର୍ଘସ୍ଥାୟୀ ସୁଫଳ ପ୍ରଦାନ କରିବାରେ ସହାୟକ ହେଉଛି। ଆମେ ପରିଚାଳନା କ୍ଷେତ୍ରରେ ଏକ ସ୍ପଷ୍ଟ ପରିବର୍ତ୍ତନ ଦେଖିବାକୁ ପାଇଛୁ। ଏହି କାର୍ଯ୍ୟଶୈଳୀକୁ ବ୍ୟବସ୍ଥିତ ରୂପ ଦେବା ଫଳରେ ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଥିବା ସେବା ବ୍ୟବଧାନକୁ କମାଇବା ସମ୍ଭବ ହୋଇଛି। ଏହା ଏକ ସୁଦୃଢ଼ ଓ ଆଧୁନିକ ଗ୍ରୀଡ୍ ନିର୍ମାଣ କରିବାରେ ସହାୟକ ହେଉଛି, ଯାହା ଶେଷରେ ଉପଭୋକ୍ତାମାନଙ୍କୁ ହିଁ ଅଧିକ ଉପକୃତ କରୁଛି।”
ଆଇଆଇଟି ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଡକ୍ଟର ଚନ୍ଦ୍ରଶେଖର ପେରୁମାଲ୍ଲା କହିଛନ୍ତି ଯେ, ” ଆଇଆଇଟି ଭୁବନେଶ୍ୱରରେ ଆମର ଏହି ସ୍ୱାଧୀନ ଅଧ୍ୟୟନ, ଯାହା କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ନେଇ ଦୂରବର୍ତ୍ତୀ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ଉପରେ ଆଧାରିତ, ତାହା ଟିପିସିଓଡିଏଲ ର କାର୍ଯ୍ୟଦକ୍ଷତା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନିଶ୍ଚିତ କରିଛି। ସ୍ମାର୍ଟ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗ ଏବଂ ମୋବାଇଲ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଦ୍ରୁତ ସେବା ପୁନଃସ୍ଥାପନର ସକାରାତ୍ମକ ପ୍ରଭାବ ଆମେ ଦେଖିଛୁ। ସହରାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ବେଳେ, ଦୂରବର୍ତ୍ତୀ ଅଞ୍ଚଳରେ ସମାନ ସ୍ତରର ବିଶ୍ୱସନୀୟତା ହାସଲ ପାଇଁ ନେଟୱାର୍କକୁ ଅଧିକ ସୁଦୃଢ଼ କରିବାର ସୁଯୋଗ ମଧ୍ୟ ରହିଛି।”
ଗ୍ରାହକ କୈନ୍ଦ୍ରିକତା ଏବଂ ସେବା ପ୍ରଦାନ ପ୍ରକ୍ରିୟାର ବିକାଶ ଉପରେ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ୨୪x୭ କଲ୍ ସେଣ୍ଟର ଏବଂ ୨୦ଟି ଗ୍ରାହକ ସେବା କେନ୍ଦ୍ରର ସମ୍ପ୍ରସାରଣ, ଏକାଧିକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଏବଂ ଅଭିଯୋଗ ତଥା ସୂଚନା ପ୍ରଦାନ ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟାପକ ବ୍ୟବହାରକୁ ଅଧ୍ୟୟନରେ ହାଇଲାଇଟ୍ କରାଯାଇଛି। ବିଲିଂରେ ସଠିକତା, ପ୍ରୋଭିଜନାଲ ବିଲିଂରେ ବ୍ୟାପକ ହ୍ରାସ ଏବଂ ଗ୍ରାହକଙ୍କ ସହ ନିୟମିତ ଯୋଗାଯୋଗ ଯୋଗୁଁ ସ୍ୱଚ୍ଛତା, ସେବା ଗୁଣବତ୍ତା ଏବଂ ଗ୍ରାହକଙ୍କ ବିଶ୍ୱାସ ବୃଦ୍ଧି ପାଇଛି।
ବିଶେଷ କରି ଭୌଗୋଳିକ ଭାବେ ବିସ୍ତୃତ ଅଞ୍ଚଳଗୁଡ଼ିକରେ ସେବାର ସୁଧାର ପାଇଁ ‘ବିକେନ୍ଦ୍ରୀକୃତ ତ୍ରୁଟି ପ୍ରତିକାର ବ୍ୟବସ୍ଥା’ କୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଚିହ୍ନଟ କରାଯାଇଛି। ସହରାଞ୍ଚଳରେ ୧୩୧ଟି ଏବଂ ଗ୍ରାମାଞ୍ଚଳରେ ୮୧୧ଟି ଫ୍ୟୁଜ୍ କଲ୍ ସେଣ୍ଟର ର ଏକ ବିଶାଳ ନେଟୱାର୍କ ସମଗ୍ର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ପ୍ରାଥମିକ ସ୍ତରର ବିଦ୍ୟୁତ ତ୍ରୁଟି ସୁଧାରିବାରେ ସହାୟକ ହେଉଛି। ଏହି କେନ୍ଦ୍ରଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ କେନ୍ଦ୍ରୀୟ ମନିଟରିଂ ଏବଂ ଅଭିଯୋଗ ନିବାରଣ ପ୍ରଣାଳୀ ସହିତ ସଂଯୁକ୍ତ ହୋଇ ରହିଛି। ଗ୍ରାମାଞ୍ଚଳରେ ଏହି କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ ଫଳରେ ପୂର୍ବରୁ ସେଠାରେ ଅଭିଯୋଗ ସମାଧାନ ପାଇଁ ଲାଗୁଥିବା ଦୀର୍ଘ ସମୟର ସମସ୍ୟା ଦୂର ହୋଇପାରିଛି, ଯାହା ଯୋଗୁଁ ଆର୍ଥିକ ବର୍ଷ ୨୦୨୫ ସୁଦ୍ଧା କଷ୍ଟମର ସାଟିସଫାକସନ ସ୍କୋର ୯୬ ପ୍ରତିଶତରେ ପହଞ୍ଚିଛି।
ଏହି ଅଧ୍ୟୟନରେ ଟିପିସିଓଡିଏଲ ର କାର୍ଯ୍ୟଦକ୍ଷତାକୁ ବ୍ୟାପକ ଜାତୀୟ ବିଦ୍ୟୁତ ସଂସ୍କାର ଢାଞ୍ଚା ମଧ୍ୟରେ ସ୍ଥାନିତ କରାଯାଇଛି। ଏହା ଦକ୍ଷତା, ଗ୍ରାହକ କୈନ୍ଦ୍ରିକତା ଏବଂ ଆର୍ଥିକ ସ୍ଥାୟୀତ୍ୱ ଉପରେ ଆଧାରିତ ‘ଜାତୀୟ ବିଦ୍ୟୁତ ନୀତି’ର ଉଦ୍ଦେଶ୍ୟ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରୁଥିବା ଏଠାରେ ଉଲ୍ଲେଖ କରାଯାଇଛି। ଏହା ସହିତ ପ୍ରସ୍ତାବିତ ‘ବିଦ୍ୟୁତ ଅଧିନିୟମ ସଂଶୋଧନ’ର ମୂଳ ଲକ୍ଷ୍ୟ, ବିଶେଷ କରି ଜବାବଦେହିତା ଏବଂ ବିତରଣ ଦକ୍ଷତା ସହିତ ମଧ୍ୟ ଏହା ସମ୍ପୂର୍ଣ୍ଣ ସମାନତା ରକ୍ଷା କରୁଛି। ଏହି ସଫଳତା ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ୧୪ତମ ବାର୍ଷିକ ସମନ୍ୱିତ ରେଟିଂ ଏବଂ ର୍ୟାଙ୍କିଙ୍ଗରେ ଟିପିସିଓଡିଏଲ ର ‘ଏ+’ ମାନ୍ୟତା ମାଧ୍ୟମରେ ପ୍ରତିଫଳିତ ହୋଇଛି, ଯାହା ପରିଚାଳନାଗତ, ଆର୍ଥିକ ଏବଂ ଉପଭୋକ୍ତା କୈନ୍ଦ୍ରିକ ପ୍ରଦର୍ଶନ କ୍ଷେତ୍ରରେ କ୍ରମାଗତ ତିନି ବର୍ଷ ଧରି ଶ୍ରେଷ୍ଠତା ପ୍ରତିପାଦନ କରିଛି।