ଏଏମବିଏ–ବିଜିଏ ଆନ୍ତର୍ଜାତୀୟ ମାନ୍ୟତା ଯାତ୍ରାରେ ପଦାର୍ପଣ କଲା ଆଇଆଇଏମ ସମ୍ବଲପୁର
ଏକ ଦିବସିୟ ଗସ୍ତରେ ଆସିଲେ କାର୍ଯ୍ୟନିର୍ବାହୀ ଅଧିକାରୀ,କୌଶଳଗତ ସମ୍ପର୍କ ପ୍ରବନ୍ଧକ
ସମ୍ବଲପୁର: ଆଇଆଇଏମ ସମ୍ବଲପୁର ଭାରତର ଏକ ପ୍ରମୁଖ ପ୍ରବନ୍ଧନ ଶିକ୍ଷା ସଂସ୍ଥାନ, ଏକ ଦିବସିୟ ଗସ୍ତରେ ଆସିଥିବା ଏସୋସିଏସନ୍ ଅଫ୍ ଏମ୍ବିଏଜ୍ ଏବଂ ବିଜନେସ୍ ଗ୍ରାଜୁଏଟ୍ସ ଏସୋସିଏସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ରୁ ମେନ୍ ଉଇଲସନ୍ ଓ ଭାରତ ପାଇଁ ଏଏମ୍ବିଏର କୌଶଳଗତ ସମ୍ପର୍କ ପ୍ରବନ୍ଧକ ଶିଖା ଟାଉଙ୍କଙ୍କୁ ଏହାର କ୍ୟାମ୍ପସରେ ସ୍ୱାଗତ କରିଛି। ଏହି ଏକ ଦିବସିୟ ଗସ୍ତ ସଂସ୍ଥାନର ବିଶ୍ୱସ୍ତରୀୟ ସମ୍ପର୍କ ସୁଦୃଢ କରିବା ସହିତ ଦାୟିତ୍ୱଶୀଳ ପ୍ରବନ୍ଧନ ଶିକ୍ଷା ପ୍ରତି ଏହାର ଦୃଢ ସଂକଳ୍ପକୁ ପ୍ରତିଫଳିତ କରୁଛିା। ଆଇଆଇଏମ ସମ୍ବଲପୁରକୁ ବିଜନେସ୍ ଗ୍ରାଜୁଏଟ୍ସ ଏସୋସିଏସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ପରିଦର୍ଶନ କରିବା ସଂସ୍ଥାନ କିପରି ଆନ୍ତର୍ଜାତୀୟ ଶିକ୍ଷାମାନ ଅନୁସରଣ କରିବା ସହିତ ମୂଳସ୍ତରରେ ପ୍ରଭାବ ସୃଷ୍ଟି କରୁଛି, ତାହା ଦର୍ଶାଇଛିା।
ଏହି ଗସ୍ତ ସମୟରେ ଶ୍ରୀ ଉଇଲସନ୍, ସଂସ୍ଥାନର ନିର୍ଦ୍ଦେଶକ ପ୍ରୋଫେସର ମହାଦେବ ଜୈସୱାଲ, ଡିନ୍, ବିଜିଏ ସମିତି ଏବଂ କାର୍ଯ୍ୟକ୍ରମ ଅଧ୍ୟକ୍ଷମାନଙ୍କ ସମେତ ବରିଷ୍ଠ ନେତୃତ୍ୱ ଦଳ ସହ ଏକ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ଗୁଣାତ୍ମକ ଶିକ୍ଷା୍,ବିଶ୍ୱ ମାନ୍ୟତା ମାନଦଣ୍ଡ, କ୍ୟାମ୍ପସ ଉନ୍ନୟନ, କୌଶଳଗତ ସହଯୋଗ, ଡିଜିଟାଲ୍ ପରିବର୍ତ୍ତନ ଏବଂ ପ୍ରବନ୍ଧନ ଶିକ୍ଷାରେ ଉଦୀୟମାନ ପ୍ରଯୁକ୍ତିର ସମାବେଶ।
ଏହି ଅବସରରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରୋଫେସର ମହାଦେବ ଜୈସୱାଲ କହିଛନ୍ତି “ଆଇଆଇଏମ ସମ୍ବଲପୁରରେ ଆମର ଦୃଷ୍ଟିକୋଣ ହେଉଛି ବିଶ୍ୱସ୍ତରୀୟ ପ୍ରଯୁକ୍ତିକୁ ଏମ୍ବିଏ କ୍ଲାସରୁମ୍ ସୀମାରୁ ବାହାରକୁ ନେଇ ସେହି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା, ଯେଉଁମାନେ ବ୍ୟବସାୟ ଗଢ଼ିବା ଏବଂ ବିକାଶ କରିବାକୁ ଲକ୍ଷ ରଖିଛନ୍ତି । କୃତ୍ରିମ ବୁଦ୍ଧିମତ୍ତା, ଆନ୍ତର୍ଜାତୀୟ ସହଯୋଗ ଏବଂ ଶିକ୍ଷାଗତ ମାନଦଣ୍ଡର ଉନ୍ନତିକରଣ ମାଧ୍ୟମରେ ଆମେ ଆମର ମୂଳ ଗଠନକୁ ଆହୁରି ସୁଦୃଢ଼ କରୁଛୁ। ଆମର କ୍ଲାସରୁମ୍ଗୁଡ଼ିକ ଆଲୋଚନା, ତର୍କବିତର୍କ ଏବଂ ସହପାଠୀ ଶିକ୍ଷାକୁ ଉତ୍ସାହିତ କରେ, ଯାହା ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନ ଭାବେ ଚିନ୍ତା କରିବା, ଆତ୍ମବିଶ୍ୱାସର ସହିତ କଥାହେବା ଏବଂ ଧାରଣାକୁ ଉଦ୍ୟମରେ ପରିଣତ କରିବାରେ ସକ୍ଷମ କରେ। ଆମେ କେବଳ ଛାତ୍ରଛାତ୍ରୀଙ୍କୁ ବ୍ୟବସାୟ ପରିଚାଳନା ପାଇଁ ପ୍ରସ୍ତୁତ କରୁନାହିଁ, ବରଂ ସେମାନଙ୍କୁ ବ୍ୟବସାୟ ସୃଷ୍ଟି କରିବା ଏବଂ ନେତୃତ୍ୱ ଦେବା ପାଇଁ ସଶକ୍ତ କରୁଛୁ। ମୂଳତଃ ଆମେ ‘୩ ଆଇ’ (୩ ଟି ଆଇ) ଧାରଣାକୁ ଅନୁସରଣ କରୁଛୁ। ଇନୋଭେସନ୍ର କ୍ଷେତ୍ରରେ ଆମେ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ନବୋନ୍ମେଷ କରିଛୁ। ଇନ୍କ୍ଲୁସିଭନେସ୍ର କ୍ଷେତ୍ରରେ ଆମେ ‘ମାଷ୍ଟର ୱିଭର୍ ପ୍ରୋଗ୍ରାମ୍’ ଆରମ୍ଭ କରିଛୁ ଏବଂ ଲିଙ୍ଗ ବିବିଧତାକୁ ପ୍ରୋତ୍ସାହନ ଦେଉଛୁ। ଇଣ୍ଟିଗ୍ରିଟିର କ୍ଷେତ୍ରରେ ଆମେ ଏକମାତ୍ର ସଂସ୍ଥା, ଯେଉଁଠାରେ ‘ଏଫ୍ସି’ ଗ୍ରେଡ୍ ପ୍ରଦାନ କରାଯାଏ।”
ଗସ୍ତ ସମୟରେ ଏସୋସିଏସନ୍ ଅଫ୍ ଏମ୍ବିଏସ୍ (ଏମ୍ବିଏ) ଏବଂ ବିଜନେସ୍ ଗ୍ରାଜୁଏଟ୍ସ୍ ଏସୋସିଏସନ୍ (ବିଜିଏ) ର ସିଇଓ ଆଣ୍ଡ୍ରୁ ମେନ୍ ୱିଲସନ୍ କହିଥିଲେ, “ମୁଁ ୧୮୦ରୁ ଅଧିକ ଦେଶ ଭ୍ରମଣ କରିଛି ଏବଂ ୨୦୦ରୁ ଅଧିକ ବିଜନେସ୍ ସ୍କୁଲ୍ସହ ନିକଟତମ ଭାବେ କାମ କରିଛି। ଏହି ଅନୁଭବରୁ ମୁଁ ନିଶ୍ଚିତ ଭାବେ କହିପାରେ ଯେ, ଭାରତ ବିଶ୍ୱର ଅନେକ ଅଞ୍ଚଳଠାରୁ ଅଧିକ ଭଲ ସ୍ଥିତିରେ ଅଛି। ଆଇଆଇଏମ ସମ୍ବଲପୁର ପରି ସଂସ୍ଥାଗୁଡ଼ିକ ଆତ୍ମବିଶ୍ୱାସୀ ଏବଂ ଅନୁକୂଳନଶୀଳ ନେତାମାନଙ୍କୁ ଗଢ଼ିଉଠାଉଛନ୍ତି, ଯାହା ତାଙ୍କ ସ୍ନାତକମାନଙ୍କୁ କଠିନ ବିଶ୍ୱ ଚାକିରି ବଜାରରେ ମଧ୍ୟ ପ୍ରକୃତ ଆଗୁଆ ଅବସ୍ଥାନ ଦେଇଛି।”
ଦାୟିତ୍ୱଶୀଳ ବ୍ୟବସାୟ କେନ୍ଦ୍ର ଅଧୀନରେ, ସଂସ୍ଥାନ ଅନ୍ତର୍ଭୂକ୍ତିମୂଳକ କ୍ଷମତାବୃଦ୍ଧି ପ୍ରୟାସରେ ଅଗ୍ରଣୀ ଭୂମିକା ନେଇଆସୁଛି। ସ୍ଥାନୀୟ ସମୁଦାୟଙ୍କ ପାଇଁ ସୁଲଭତା ସୁନିଶ୍ଚିତ କରିବା ନିମନ୍ତେ ସଂସ୍ଥାନ ଓଡ଼ିଆ ଭାଷାରେ ବ୍ୟବସାୟ ଓ ଉଦ୍ୟମୀତା କାର୍ଯ୍ୟକ୍ରମ ଆୟୋଜନ କରୁଛି। ସଂସ୍ଥାନ ମାଷ୍ଟର ବୁଣାକାରମାନଙ୍କ ପାଇଁ ମୋଟ ତିନୋଟି ପର୍ଯ୍ୟାୟ କାର୍ଯ୍ୟକ୍ରମ ସଂପନ୍ନ କରିଛି। ଏହି ପ୍ରୟାସମାନେ ବଣାୁକାରମାନଙ୍କୁ ତାଙ୍କର ସମୃଦ୍ଧ ହସ୍ତତନ୍ତ୍ର ପାରମ୍ପରିକତାକୁ ସୁରକ୍ଷିତ ରଖିବା ସହିତ ବାଣିଜ୍ୟିକ ମଞ୍ଚ ବିସ୍ତାର, ଏକାଧିକ ଇ-ବାଣିଜ୍ୟ ମାଧ୍ୟମରେ ବ୍ୟାପାର ବଢ଼ାଇବାରେ ସହାୟତା କରୁଛି। ସଂସ୍ଥାନ ଏମଏସଏମଇ ମନ୍ତ୍ରଣାଳୟ ଅଧୀନ ଜାତୀୟ ଅନୁସୂଚିତ ଜାତି–ଅନୁସୂଚିତ ଜନଜାତି ହବ୍ ସହଯୋଗରେ ଅନୁସୂଚିତ ଜାତି–ଅନୁସୂଚିତ ଜନଜାତି ବ୍ୟବସାୟ ତ୍ୱରକ କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟ ସଂପନ୍ନ କରିଛି। ଏହି କାର୍ଯ୍ୟକ୍ରମ ଆକାଙ୍କ୍ଷୀ ଏବଂ ପ୍ରଚଳିତ ଉଦ୍ୟମୀମାନଙ୍କୁ ପରାମର୍ଶ, ବ୍ୟବସାୟ କୌଶଳ ଉନ୍ନୟନ ଓ ଡିଜିଟାଲ୍ ଶିକ୍ଷା ମାଧ୍ୟମରେ ଉଦ୍ୟମ ବିକାଶ ସୁଦୃଢ କରିବାରେ ସମର୍ଥନ କରୁଛି।
ଏହି ପରିଦର୍ଶନ ସମାପ୍ତି ସହିତ ସଂସ୍ଥାନ ବିଶ୍ୱସ୍ତରୀୟ ମାନଦଣ୍ଡକୁ ସମୁଦାୟ ପରିବର୍ତ୍ତନ ସହ ଏକତ୍ର କରିବା ପ୍ରତି ନିଜର ଦୃଢ ପ୍ରତିବଦ୍ଧତାକୁ ଦର୍ଶାଇଛି। ଆନ୍ତର୍ଜାତୀୟ ଶିକ୍ଷା ମାନକକୁ ଅନ୍ତର୍ଭୂକ୍ତିମୂଳକ ଉଦ୍ୟମୀତା ଏବଂ ସ୍ଥାନୀୟ ସଶକ୍ତିକରଣ ସହ ଏକତ୍ର କରି, ସଂସ୍ଥାନ ସ୍ଥାୟୀ ଏବଂ ଦାୟିତ୍ୱଶୀଳ ଆର୍ôଥକ ଉନ୍ନତି ପାଇଁ ନେତୃତ୍ୱ ଗଢ଼ି ତୋଳୁଛି।