ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବିର୍ଲା ସ୍କୁଲ୍ ଅଫ୍ ଲ’ ପକ୍ଷରୁ “ମାନବ ଅଧିକାର ଓ ଅଭିବ୍ୟକ୍ତି ସ୍ୱାଧୀନତାରେ ସମ୍ପ୍ରତିକ ଆହ୍ୱାନ, ସମସ୍ଯା ଓ ସୁଯୋଗ” ବିଷୟବସ୍ତୁ ଆଧାରିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି।
ଉଦ୍ଘାଟନୀ ସମାରୋହରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ତଥା ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାନବାଧିକାର କମିଶନର ପୂର୍ବତନ ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାସ ଯୋଗ ଦେଇଥିବା ବେଳେ ନ୍ୟାସନାଲ ଲ’ ୟୁନିଭରସିଟି ଓଡ଼ିଶାର ରେଜିଷ୍ଟ୍ରାର ପ୍ରଫେସର ଡ଼. ରଙ୍ଗିନ ପଲ୍ଲବ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଜଷ୍ଟିସ ଷଡ଼ଙ୍ଗୀ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ସଚେତନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ, “ଆମେ ନିଜ ଅଧିକାର ବିଷୟରେ କହିବା ବେଳେ ଅନ୍ୟମାନଙ୍କ ଅଧିକାର ଯେପରି କ୍ଷୂର୍ଣ୍ଣ ନ ହୁଏ ଏହା ମଧ୍ୟ ଧ୍ୟାନ ଦେବା ଉଚିତ।”
ପ୍ରଫେସର ତ୍ରିପାଠୀ ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଉତ୍ତରଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ବାକ୍ ସ୍ୱାଧୀନତା ହେଉଛି ଏକ କାର୍ଯ୍ୟକ୍ଷମ ଗଣତନ୍ତ୍ରର ମୂଳଦୁଆ। ଏହା ସୁସ୍ଥ ସମାଲୋଚନାକୁ ଉତ୍ସାହିତ କରେ ଏବଂ ପ୍ରଗତିକୁ ତ୍ୱରାନ୍ୱିତ କରେ।”
ଶ୍ରୀ ଅସୀମ ଅମିତାଭ ଦାସ ପରିବର୍ତ୍ତନଶୀଳ ସମୟର ପରିପ୍ରେକ୍ଷୀରେ ମାନବାଧିକାରକୁ ବୁଝିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ସୋସିଆଲ ମିଡିଆ, କୃତ୍ରିମ ବୁଦ୍ଧିମତା ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟା ଭଳି ନୂତନ ଆହ୍ୱାନଗୁଡ଼ିକ ମାନବାଧିକାରର ଆଉ ଏକ ନୂତନ ପରିଧି ପ୍ରତି ପରିଚୟ କରାଇଥାଏ।”
ବିଜିୟୁର କୁଳପତି ପ୍ରଫେସର ଡ଼. କୁଲଭୂଷଣ ବଲୁନି କହିଥିଲେ ଯେ, “ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ନ୍ୟାୟପାଳିକା ହେଉଛି ଆଶାର ଏକ ସ୍ତମ୍ଭ, ଯାହା ଉପରେ ଅଧିକାରର ସୁରକ୍ଷା ଏବଂ ଏକ ନ୍ୟାୟପୂର୍ଣ୍ଣ ତଥା ସମାନତା ଭିତ୍ତିକ ସମାଜ ଗଠନର ଦାୟିତ୍ୱ ନ୍ୟସ୍ତ ଅଛି।”
ବିର୍ଲା ସ୍କୁଲ ଅଫ୍ ଲ’ ର ଡିନ୍ ପ୍ରଫେସର ଡ଼. ଏସ୍.କେ. ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଜିୟୁର ରେଜିଷ୍ଟ୍ରାର ପ୍ରଫେସର ଡ଼. ବି.କେ. ଦାସ ପ୍ରରମ୍ଭିକ ଭାଷଣ ପ୍ରଦାନ ସହ ସମ୍ମିଳନୀର ଅଭିମୁଖ୍ୟ ସମ୍ପର୍କରେ ଅଲୋକପାତ କରିଥିଲେ।
ଏହି ଦୁଇ ଦିନିଆ ସମ୍ମିଳନୀରେ ବୈଷୟିକ ଅଧିବେଶନଗୁଡ଼ିକ ଅନ୍ତର୍ଭୁକ୍ତ, ଯେଉଁଥିରେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନର ଗବେଷକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରୁଛନ୍ତି।
Comments are closed.