
ବାଣପୁର, ଫେବୃଆରୀ ୮, ୨୦୨୬: ବାଣପୁରର ଐତିହାସିକ ପଲଟନ ପଡ଼ିଆଠାରେ ରବିବାର ଦିନ ସତ୍ୟଭଞ୍ଜ ଆଧ୍ୟାତ୍ମିକ ଚ୍ୟାନେଲ ଆନୁକୁଲ୍ୟରେ “ଦ୍ବିତୀୟ ରାଷ୍ଟ୍ରୀୟ ସାଧୁ-ସନ୍ଥ ଓ ମାଳିକା ଭକ୍ତ ସମ୍ମିଳନୀ” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ସତ୍ୟ ଭଞ୍ଜ, ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ଏବଂ ସମ୍ପାଦିକା ସାଲିନୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଏହି ଭବ୍ୟ ଆଧ୍ୟାତ୍ମିକ ସମ୍ମିଳନୀ ସଫଳତାର ସହ ପରିଚାଳିତ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପଞ୍ଚସଖା ମାଳିକା ତତ୍ତ୍ୱର ପ୍ରଚାର ଲକ୍ଷ୍ୟରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। “ଭକ୍ତ ମୋହର ରୁଣ୍ଡ ହେବେ, ହାଜିର ଲୀଳା ପ୍ରଚାରିବେ” ମହାପୁରୁଷଙ୍କ ଏହି ବାଣୀକୁ ପାଥେୟ କରି ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ-ସନ୍ଥମାନେ ସନାତନ ଏକତା ଉପରେ ଆଲୋକପାତ କରିଥିଲେ । ସନ୍ଧ୍ୟାରେ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ଭକ୍ତିମୟ ମାଳିକା ପ୍ରବଚନ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଏହି ଅବସରରେ ଆଧ୍ୟାତ୍ମିକତା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁଧର୍ମା ମହାସଂଘ ଓ ପଞ୍ଚୁଦୋଳ କମିଟିକୁ ‘ସଂସ୍କୃତି ସଂରକ୍ଷକ ସମ୍ମାନ’ରେ ଭୂଷିତ କରାଯାଇଥିବା ବେଳେ ଶ୍ରୀ ଦିବ୍ୟସିଂହ ହରିଚନ୍ଦନ, ଶ୍ରୀ ପ୍ରହ୍ଲାଦ ନାୟକ, ଶ୍ରୀ ପ୍ରଦୀପ ଦାସ ଏବଂ ଶ୍ରୀ ଅଭିରାମ ସରସ୍ୱତୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରୀ ପୁଲିନ ବିହାରୀ ପଣ୍ଡା ଓ ଶ୍ରୀ କାହ୍ନୁ ଚରଣ ପରିମାଣିକଙ୍କୁ ‘ମାଳିକା ରତ୍ନ’, ଶ୍ରୀ ଦିବାକର ଦାସ ମହାରାଜଙ୍କୁ ‘ମାଳିକା ପ୍ରବଚକ’, ଶ୍ରୀ ବାଦଲ ମିଶ୍ରଙ୍କୁ ‘ମାଳିକା ସଂଗ୍ରାହକ’, ଶ୍ରୀ ନନ୍ଦ କିଶୋର ମିଶ୍ରଙ୍କୁ ‘ସେବା ସମ୍ମାନ’ ଏବଂ ତାଳଧ୍ଵଜ ଟିଭିର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କୁ ‘ସଂସ୍କୃତି ରକ୍ଷକ’ ଉପାଧିରେ ସମ୍ମାନିତ କରାଯାଇଥିଲା। ସତ୍ୟଭଞ୍ଜ ଆଧ୍ୟାତ୍ମିକ ଟିମ୍ର ସୂଚାରୁ ପରିଚାଳନାରେ ଏହି ସାଧୁ-ସନ୍ଥ ଓ ମାଳିକା ଭକ୍ତ ସମ୍ମିଳନୀ ଏକ ଶୃଙ୍ଖଳିତ ତଥା ଐତିହାସିକ ସଫଳତା ସାଉଁଟିଛି ।
