ଗ୍ରାମୀଣ ଉଦ୍ୟମୀମାନଙ୍କ ସଶକ୍ତିକରଣ ପାଇଁ ଆଇଆଇଏମ୍ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

Spread the love

ସମ୍ବଲପୁର: ଭାରତର ଏକ ପ୍ରମୁଖ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ବଲପୁର, ଜାତୀୟ ଏସସି-ଏସଟି ହବ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ୧୯ ରୁ ୨୪ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଉଦ୍ୟମୀମାନଙ୍କ ପାଇଁ ୬ ଦିନିଆ ‘ବ୍ୟବସାୟ ତ୍ୱରାନ୍ୱିତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି “ବିକଶିତ ଭାରତ ୨୦୪୭” ଏବଂ ସଂଯୁକ୍ତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରଖି, ଏସସି-ଏସଟି ଉଦ୍ୟମୀମାନଙ୍କୁ ଆବଶ୍ୟକ ବ୍ୟବସାୟିକ, ଆର୍ଥିକ ଓ ଡିଜିଟାଲ୍ ଦକ୍ଷତାରେ ପ୍ରଶିକ୍ଷିତ କରି ଉଦ୍ୟମିତା ପରିବେଶକୁ ସୁଦୃଢ଼ କରିବା।

ଏହି ଅବସରରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ; ମୁଖ୍ୟ ଅତିଥି ଭାବେ ପୂର୍ବତନ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଏବଂ ଲାଇବ ଲି ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସମ୍ବିତ ତ୍ରିପାଠୀ; ସମ୍ମାନିତ ଅତିଥି ଭାବେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଜୋନାଲ୍ ହେଡ୍‌, ଡ଼ା. ଅନୁପମ ଗାୟେନ; ଏବଂ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ, ଶ୍ରୀମତୀ ନିବେଦିତା ନାୟକ ଉପସ୍ଥିତ ଥିଲେ।ଏହି ‘ବ୍ୟବସାୟ ତ୍ୱରାନ୍ୱିତ’ କାର୍ଯ୍ୟକ୍ରମରେ ମୋଟ ୧୨ ଦିନର ପ୍ରଶିକ୍ଷଣ ରହିଛି, ଯେଉଁଥିରେ ୬ ଦିନ ଆଇଆଇଏମ୍ ସମ୍ବଲପୁର ପରିସରରେ ଏବଂ ୬ ଦିନିଆ ଅନଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ସାମିଲ ଅଛି। ଏହା ପରେ ଅଂଶଗ୍ରହଣକାରୀ ଉଦ୍ୟମୀମାନଙ୍କୁ ୬ ମାସ ପର୍ଯ୍ୟନ୍ତ ମାର୍ଗଦର୍ଶନ ଓ ସହାୟତା ଦିଆଯିବ। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରୁ ୨୫ ଜଣ ଉଦ୍ୟମୀ ଅଂଶଗ୍ରହଣ କରିଛନ୍ତି।

ଏହି ଅବସରରେ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି ଯେ “ଆଇଆଇଏମ୍ ସମ୍ବଲପୁରର ଲକ୍ଷ୍ୟ ହେଉଛି ଉଦ୍ୟମୀ ମନୋଭାବ ସହ ଦାୟିତ୍ୱଶୀଳ ନେତୃତ୍ୱ ଗଢ଼ିବା। ଉଦ୍ୟମିତା କେବଳ ନିଜ ପାଇଁ ଧନ ସୃଷ୍ଟି କରିବା ନୁହେଁ, ବରଂ ସମାଜ, ଦେଶ ଓ ପୃଥିବୀ ପାଇଁ ମୂଲ୍ୟ ସୃଷ୍ଟି କରିବା। ବଡ଼ କର୍ପୋରେଟ୍ କମ୍ପାନୀ ଗଢ଼ିଲେ ମାତ୍ର ‘ବିକସିତ ଭାରତ’ ସାକାର ହେବ ନାହିଁ; ଆମକୁ ଗ୍ରାମୀଣ ସ୍ତରରେ ଦାୟିତ୍ୱଶୀଳ ଉଦ୍ୟମୀମାନଙ୍କୁ ସୃଷ୍ଟି କରିବାକୁ ପଡ଼ିବ, ଯେଉଁମାନେ ପରିବେଶକୁ କ୍ଷତି କରିବେ ନାହିଁ କିମ୍ବା ସମୁଦାୟକୁ ବିସ୍ଥାପିତ କରିବେ ନାହିଁ। ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ ରଖି, ଉଦ୍ୟମିତା ଜ୍ଞାନ ସୃଷ୍ଟି, ନବୋନ୍ମେଷ ଓ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଦାୟିତ୍ୱପୂର୍ଣ୍ଣ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।”

ମୁଖ୍ୟ ଅତିଥି ଶ୍ରୀ ସମ୍ବିତ ତ୍ରିପାଠୀ କହିଛନ୍ତି “ଶକ୍ତିଶାଳୀ ବ୍ୟବସାୟ ଯୋଜନା ତିଆରି, କ୍ଷମତା ବିକାଶ, ଏବଂ ଆମେ କ’ଣ ଉତ୍ପାଦନ କରୁଛୁ, କ’ଣ ଖର୍ଚ୍ଚ କରୁଛୁ ଓ କିପରି ଯୋଗାଯୋଗ କରୁଛୁ—ଏହା ସବୁକୁ ବୁଝିବା ଉଦ୍ୟମିତାରେ ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକ।”

ସମ୍ମାନିତ ଅତିଥି ଶ୍ରୀମତୀ ନିବେଦିତା ନାୟକ କହିଥିଲେ, “ଆଇଆଇଏମ୍ ସମ୍ବଲପୁର ଜ୍ଞାନ, ଆକାଂକ୍ଷା ଓ ଜାତି ଗଢ଼ିବାର ସଂଧିସ୍ଥଳରେ ଦଢ଼ିଆଛି। ଏହି କାର୍ଯ୍ୟକ୍ରମ କେବଳ ଏକ ଶିକ୍ଷାତ୍ମକ ପଦକ୍ଷେପ ନୁହେଁ, ବରଂ ଏକ ଜାତୀୟ ମାଇଲସ୍ଟୋନ। ଆଜି ଏସସି-ଏସଟି ଉଦ୍ୟମିତା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସମାବେଶୀ ବିକାଶ ଏବେ କେବଳ ବିକଳ୍ପ ନୁହେଁ, ଏହା ଏକ ଆର୍ଥିକ ଆବଶ୍ୟକତା।”

ଏହି ପଦକ୍ଷେପ ମାଧ୍ୟମରେ, ଆଇଆଇଏମ୍ ସମ୍ବଲପୁର ଏସସି-ଏସଟି ଉଦ୍ୟମୀମାନଙ୍କୁ ତାଙ୍କ ବ୍ୟବସାୟ ବିସ୍ତାର, ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ଭାରତର ଗ୍ରାମୀଣ ଅର୍ଥନୀତିକ ବିକାଶରେ ଅବଦାନ ଦେବାରେ ସହଯୋଗ କରି ସମାବେଶୀ, ସ୍ଥାୟୀ ଓ ନବୋନ୍ମେଷ ଆଧାରିତ ଉଦ୍ୟମିତା ପ୍ରତି ନିଜ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି। ‘ବ୍ୟବସାୟ ତ୍ୱରାନ୍ୱିତ’ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ, ଯେଉଁଥିରେ ଆଇଆଇଏମ୍ ସମ୍ବଲପୁର ପରିସରରେ ୬ ଦିନିଆ ପ୍ରଶିକ୍ଷଣ ସହିତ ୭୨ ଘଣ୍ଟିଆ ହାଇବ୍ରିଡ୍ ପାଠ୍ୟକ୍ରମ ରହିବ।


Spread the love

Leave A Reply

Your email address will not be published.