ଭୁବନେଶ୍ୱର : ରାଜ୍ୟରେ ଉଦ୍ଭାବନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ଏବଂ କାରଖାନା ମେକରସ୍ପେସର ମିଳିତ ଆନୁକୂଲ୍ୟରେ ସେପ୍େଟମ୍ବର ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଚନ୍ଦକାସ୍ଥିତ ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଇନୋଭେଟ୍ ଓଡ଼ିଶା ୨.୦ ଅନୁଷ୍ଠିତ ହେଉଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ । ୨୪ ଘଣ୍ଟିଆ ଏହି ହ୍ୟାକାଥନର ଉଦ୍ଦେଶ୍ୟ ବୈଷୟିକ ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକର ସମାଧାନ ନିମନ୍ତେ ସହଯୋଗ, ଉଦ୍ଭାବନ ଏବଂ ସମାଧାନ ପାଇଁ ସଶକ୍ତ କରିବା । ବୈଷୟିକ ଦକ୍ଷତା ପ୍ରଦର୍ଶନ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପଦ୍ଧତି ସମ୍ପର୍କରେ ଅବଗତ କରାଇବା ପାଇଁ ଇନୋଭେଟ୍ ଓଡ଼ିଶା ଏକ ପ୍ଲାଟଫର୍ମ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମରେ ସରକାରୀ ସଂସ୍ଥା, ଶିଳ୍ପନେତା ଏବଂ ଉଦ୍ୟୋଗୀମାନଙ୍କୁ ଏକାଠି କରାଯାଇ ସେମାନଙ୍କର ବୁଦ୍ଧି ଓ ଅଭିଜ୍ଞତା ବାଣ୍ଟିବା ସହ ହାକାଥନ ଅଂଶଗ୍ରହଣ କରିଥିବା ଯୁବ ଉଦ୍ଭାବକମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା ।
ଉଦଘାଟନୀ ଉତ୍ସବ ଆରମ୍ଭରେ ପ୍ରତୀକାତ୍ମକ ଭାବେ ଚାରାରେ ପାଣିଦେଇ ଶୁଭାରମ୍ଭ କରାଯାଇଥିଲା, ଯାହା ଓଡ଼ିଶାରେ ଅଭିନବ ମାନସିକତାର ଅଙ୍କୁରାୟନ ଓ ଉଦ୍ୟୋଗର ଉନ୍ନତ ଭବିଷ୍ୟତକୁ ଦର୍ଶାଇଥିଲା । ଏହାପରେ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ପ୍ରେରଣାଦାୟକ ଭାଷଣ ଦିଆଯାଇଥିଲା । ଶ୍ରୀ ପାତ୍ର କହିଲେ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ । ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା, ଶିକ୍ଷାନୁଷ୍ଠାନ, ଶିଳ୍ପ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନବସୃଜନ ଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ସେ ଦୋହରାଇଥିଲେ । ଏଆଇସି ନାଳନ୍ଦା ଗସ୍ତ ସମୟରେ ସେ ଏଆର-ଭିଆର, ଡ୍ରୋନ୍ ଏବଂ ଆଇଓଟି ଭିତିିକ ଟେକନୋଲୋଜି ଉପରେ କାମ କରୁଥିବା ଛାତ୍ର ଉଦ୍ଭାବକ ଏବଂ ଷ୍ଟାର୍ଟଅପ ମାନଙ୍କ ସହ ଆଲୋଚନା କରିଥିଲେ ।
ଇନୋଭେଟ୍ ଓଡ଼ିଶା ହାକାଥନରେ ୨୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାର ୧୫ରୁ ଅଧିକ ବୈଷୟିକ ଅନୁଷ୍ଠାନରୁ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । ଦ୍ୱିତୀୟ ସଂସ୍କରଣ ଜେନେରେଟିଭ ଏଆଇ, କ୍ଲାଇମେଟ୍ ଟେକ୍, ଡିଜିଟାଲ୍ ଟ୍ୱିନ୍ ଏବଂ ଇଣ୍ଡଷ୍ଟ୍ରି ଅଟୋମେସନ୍ ଭଳି ଉଦୀୟମାନ କ୍ଷେତ୍ର ଉପରେ ଫୋକସ୍ କରାଯାଇଛି । ଉଦଘାଟନୀ ଅଧିବେଶନରେ ଏଆଇସି-ନାଳନ୍ଦାର ସିଇଓ ଶ୍ରୀ ଦୁର୍ଗା ପ୍ରସାଦ ଏବଂ କାରଖାନା ମେକରସ୍ପେସର ପ୍ରତିଷ୍ଠାତା ଶ୍ରୀ ସିଦ୍ଧାର୍ଥ ଭଟ୍ଟର ଉପସ୍ଥିତ ହେବା ସହ ଆଲୋଚନା କରିଥିଲେ ।