କିଟରେ ବ୍ଲୁ ଇକୋନୋମି ଉପରେ ଜାତୀୟ ସମ୍ମିଳନୀ

Spread the love

ଭୁବନେଶ୍ୱର,୨୦ ।୨: ‘ନାଭିଗେଟିଂ ଦ ମେରାଇନ୍‍ ଇକୋସିଷ୍ଟମ୍‍ ଭାଲ୍ୟୁ ଚେନ୍‍’ ବିଷୟବସ୍ତୁକୁ ନେଇ କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ସୋମବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ, ଦିଲ୍ଲୀସ୍ଥିତ ଭାରତୀୟ ଫାଇକୋଲୋଜି ସୋସାଇଟି, ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ, ସିଏସଆଇଆର-ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମିନେରାଲସ୍‍ ଆଣ୍ଡ ମାଟିରିଆଲ୍‍ ଟେକ୍ନୋଲୋଜି, ଗୋଆସ୍ଥିତ ଜାତୀୟ ସାମୁଦ୍ରିକ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଭୁବନେଶ୍ୱର ସିଟି ନଲେଜ୍‍ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍(ବିସିକେଆଇସି)ର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଭାରତର ବ୍ଲୁ ଇକୋନୋମି କ୍ଷେତ୍ରରେ ରହିଥିବା ପ୍ରଭୂତ କ୍ଷମତା ଅନ୍ୱେଷଣ ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ ।

ଏହି ସମ୍ମିଳନୀରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦେଇ  ନିକଟରେ ଘୋଷଣା ହୋଇଥିବା ବାୟୋଟେକ୍ନୋଲୋଜି ନୀତି ଏବଂ ଏହି ନୀତିରେ ଜଳୀୟ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳ ଏବଂ ଏକ ପ୍ରମୁଖ ଅଂଶୀଦାର ଭାବେ ବ୍ଲୁ  ଇକୋନୋମିରେ ଏହାର ଭୂମିକା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱାରୋଗ କରିଥିଲେ। ସେ କହିଲେ ୩.୫୦ ଲକ୍ଷ କୋଟି ଟଙ୍କାର ବଜେଟ୍‍ ସହ ଶୀତଳ ଓ ହେନ୍ତାଳ ବନ ସମେତ ଓଡ଼ିଶାର ପ୍ରଭୂତ ସାମୁଦ୍ରିକ ସମ୍ବଳ ରହିଛି ଏବଂ ବ୍ଲୁ ଇକୋନୋମି ଏଥିରୁ ଫାଇଦା ଉଠାଇବା ଆବଶ୍ୟକ।

ଭାରତ ସରକାରଙ୍କ ସାଇନ୍‍ଟିଫିକ୍‍ ସଚିବ ଡ. ପରମିନ୍ଦର ମାଇନୀ ବର୍ତ୍ତମାନ ସମୟରେ ଏହି ସମ୍ମିଳନୀର ଗୁରୁ୍‍ତ୍ୱ ଉପରେ ଆଲୋକପାତ କରି କହିଲେ, ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଛନ୍ତି ଯାହାକି ମହାସାଗର ପାଇଁ ଗୁରୁତ୍ୱପୁର୍ଣ୍ଣ।  ସାମୁଦ୍ରିକ ପରିବହନ ମାଧ୍ୟମରେ ହେଉଥିବା ୮୦ ପ୍ରତିଶତ ବିଶ୍ୱ ବାଣିଜ୍ୟରେ ଏମାନଙ୍କର ଯୋଗଦାନ ରହିଛି। ବିଶ୍ୱ ଅର୍ଥନୀତିରେ ବ୍ଲୁ  ଅର୍ଥନୀତିର ବାର୍ଷିକ ହାରାହାରି ୬ ଟ୍ରିଲିୟନ ଡଲାରର ଯୋଗଦାନ ରହିଛି ବୋଲି ସେ କହିଥିଲେ। ଏ କ୍ଷେତ୍ରରେ ଭାରତ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାମୁଦ୍ରିକ ସମ୍ବଳର ସୁରକ୍ଷା ପାଇଁ ଏକନିଷ୍ଠ ଉଦ୍ୟମ ଏବଂ ସ୍ଥାୟୀ ବ୍ଲୁ ଅର୍ଥନୀତି ଲକ୍ଷ୍ୟ ହାସଲ ନିମନ୍ତେ ଶକ୍ତିଶାଳୀ ଉପାୟ ବାହାର କରିବା ସକାଶେ ସେ ଆହ୍ୱାନ କରିଥିଲେ । ଭାରତର ବ୍ଲୁ ଇକୋନୋମୀ ପ୍ରୟାସ ଆରମ୍ଭର ପ୍ରକୃଷ୍ଠ ସ୍ଥାନ ଓଡ଼ିଶା ବୋଲି କିଟ୍‍ର ଗବେଷଣା ଓ ସର୍ଜନା ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର କହିଥିଲେ। ଭାରତୀୟ ଫାଇକୋଲୋଜି ସୋସାଇଟିର ସଭାପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁ କହିଲେ ବର୍ତ୍ତମାନ ସମୟରେ ବିଶ୍ୱ ବ୍ଲୁ ଇକୋନୋମିର ମୂଲ୍ୟ ହେଉଛି ୨୪ ଟ୍ରିଲିୟନ୍‍ ଡ଼ଲାର। ମାନବସମାଜ ପାଇଁ ମହାସାଗର କ୍ଷମତାର ଭବିଷ୍ୟତ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଭାରତ ସରକାରଙ୍କ ଡିବିଟି-ବିରାକର ପରିଚାଳନା ନିର୍ଦ୍ଦେଶକ ଡ. ଜିତେନ୍ଦ୍ର କୁମାର ବ୍ଲୁ ଇକୋନୋମୀକୁ ସହଯୋଗ କରିବା ସହ ଏ କ୍ଷେତ୍ରରେ ସର୍ଜନା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏ କ୍ଷେତ୍ରରେ ଗବେଷଣା ଓ ବିକାଶ ନିମନ୍ତେ ଓଡ଼ିଶାରେ ଏକ ବାୟୋଫାଉଣ୍ଡାରୀ ପ୍ରତିଷ୍ଠା କରିବାକୁ ସେ ମଧ୍ୟ ପ୍ରସ୍ତାବ ରଖିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବାୟୋଟେକ୍ନୋଲୋଜି ବିଭାଗ ନିର୍ଦ୍ଦେଶକ ଦେବାଶିଷ ଦାଶ, ସିଏସ୍‍ଆଇଆର-ଆଇଏମ୍‍ଏମ୍‍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ୍‍, ଭାରତ ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରାଳୟର ମହାସାଗର ମିଶନ୍‍ର ପରାମର୍ଶଦାତା ତଥା କାର୍ଯ୍ୟକ୍ରମ ମୁଖ୍ୟ ଡ.ଏମ୍‍.ଭି. ରମନ୍ନା ମୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ।


Spread the love

Leave A Reply

Your email address will not be published.