ଦେଶପ୍ରେମର ଉତ୍ସାହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟ୍ରେନିଂ ସେଣ୍ଟରର ଡିଇଟି ପଡ଼ିଆରେ ଏକ ଭବ୍ୟ ସମାରୋହ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଦେଶର ଗଣତାନ୍ତ୍ରିକ ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିଏସକେ ର ବରିଷ୍ଠ ଅଧିକାରୀ, ୟୁନିୟନ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।
ପତାକା ଉତ୍ତୋଳନ ପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ପ୍ୟାରେଡ୍ ଏବଂ ସ୍ୱତନ୍ତ୍ର ‘ମକ୍ ଡ୍ରିଲ୍’ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସାହସିକତା ପ୍ରଦର୍ଶନ କରିଥିବା କେତେକ ସୁରକ୍ଷା କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।
ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା ବିଭିନ୍ନ ଦେଶପ୍ରେମମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯେଉଁଥିରେ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଭାରତର ବିବିଧ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା।
ଅନୁରୂପ ଭାବେ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ୍) ଏବଂ ଟାଟା ଷ୍ଟିଲ୍ ଡାଉନଷ୍ଟ୍ରିମ୍ ପ୍ରଡକ୍ଟସ୍ ଲିମିଟେଡ୍ (ଟିଏସଡିପିଏଲ) ଠାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏନଆଇଏନଏଲ୍ ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ପଦ୍ମପାଳ ଏବଂ ଟିଏସଡିପିଏଲ କଳିଙ୍ଗନଗରର ମୁଖ୍ୟ ରାଜେଶ ଚୌଧୁରୀ ନିଜ ନିଜ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
