ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ବିଦ୍ୟୁତର ଅନଧିକୃତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆସନ୍ତା ୧୪ ମାର୍ଚ୍ଚ ୨୦୨୬ରେ ଏହାର ସମସ୍ତ ସେବା ଯୋଗାଣ ଅଞ୍ଚଳରେ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଅନୁଷ୍ଠିତ ହେବ। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) ର ରୂପରେଖ ଅଧୀନରେ ବିବାଦର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଲୋକ ଅଦାଲତ ସକାଳ ୯:୦୦ ରୁ ଅପରାହ୍ନ ୫:୦୦ ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ଉପଭୋକ୍ତାମାନଙ୍କୁ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ପୁରା ଦିନ ତତ୍କାଳ ସହାୟତା ପ୍ରଦାନ କରାଯିବ। ୨୦୨୬ ର ଏହା ପ୍ରଥମ ଲୋକ ଅଦାଲତ ହୋଇଥିବାରୁ, ଭବିଷ୍ୟତର ଆଇନଗତ କିମ୍ବା ଆର୍ଥିକ ଜଟିଳତାରୁ ବଞ୍ଚିବା ଏବଂ ଏକ ସ୍ୱଚ୍ଛ ତଥା ସମୟବଦ୍ଧ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କର ବିଦ୍ୟୁତ ବ୍ୟବହାରକୁ ନିୟମିତ କରିବା ପାଇଁ ଏହି ପ୍ଲାଟଫର୍ମର ଉପଯୋଗ କରିବାକୁ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରିଛି।
ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରତ୍ୟେକ ଡିଭିଜନ, ସବ୍-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନଜୀବୀ ଏବଂ ପ୍ରଶିକ୍ଷିତ ସହାୟକ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯିବ। ଏହି ଟିମ୍ ଉପଭୋକ୍ତାମାନଙ୍କୁ ଯୋଗ୍ୟ ମାମଲା ଶ୍ରେଣୀ, ଆବଶ୍ୟକୀୟ ଦଲିଲ ଏବଂ ସମାଧାନ ପ୍ରକ୍ରିୟା ସମ୍ପର୍କରେ ମାର୍ଗଦର୍ଶନ କରିବେ।
ଟିପିସିଓଡିଏଲ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବ୍ୟବସ୍ଥା, ଯୋଗ୍ୟତା ବିବରଣୀ ଏବଂ ପର୍ଯ୍ୟାୟକ୍ରମେ ସମାଧାନ ପାଇଁ ମାର୍ଗଦର୍ଶିକା ସମସ୍ତ ଡିଭିଜନ, ସବ୍-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି। ଉପଭୋକ୍ତାମାନେ କାର୍ଯ୍ୟକ୍ରମ ପୂର୍ବରୁ କୌଣସି ସ୍ପଷ୍ଟୀକରଣ ପାଇଁ ସେମାନଙ୍କର ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର ଏବଂ ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି) ସହିତ ଯୋଗାଯୋଗ କରିପାରିବେ।
ଆଇନଗତ କର୍ତ୍ତୃପକ୍ଷଙ୍କ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର, ବହୁ ଦିନରୁ ପଡ଼ି ରହିଥିବା ଏନଫୋର୍ସମେଣ୍ଟ ମାମଲାଗୁଡ଼ିକର ସମାଧାନ କରି ଉପଭୋକ୍ତାଙ୍କ ଅଭିଯୋଗକୁ ଦୂର କରିବାରେ ସହାୟକ ହେବ। ଏହା ମାଧ୍ୟମରେ ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ସାମିଲ କରି ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ଉନ୍ନତ ଓ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଯେଉଁ ଉପଭୋକ୍ତାମାନଙ୍କର ଏନଫୋର୍ସମେଣ୍ଟ ମାମଲା ବିଚାରାଧୀନ ରହିଛି, ସେମାନେ ଆସନ୍ତା ୧୪ ମାର୍ଚ୍ଚ ୨୦୨୬ (ଶନିବାର) ଦିନ ଏହି ଲୋକ ଅଦାଲତରେ ଉପସ୍ଥିତ ରହି ସିଙ୍ଗଲ-ୱିଣ୍ଡୋ ଓ ସରଳ ସମାଧାନ ପ୍ରକ୍ରିୟାର ସୁଯୋଗ ନେବାକୁ ଟିପିସିଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି।