ଭୁବନେଶ୍ୱର, ୧୮/୦୨:ମହିଳାଙ୍କ ନେତୃତ୍ୱରେ ସହରୀ ପରିବହନ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପ୍ରମୁଖ ସାର୍ବଜନୀନ ପରିବହନ ସଂସ୍ଥା ‘କ୍ୟାପିଟାଲ୍ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ’ (କ୍ରୁଟ୍) ପକ୍ଷରୁ ‘ଆମ ବସ୍’ ସେବା ପାଇଁ ମହିଳା ଚାଳକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି।
ଏହି ଅଭିଯାନ ଅଧୀନରେ, ବୈଧ ଭାରୀ ଯାନ ଚାଳନା ଅନୁମତିପତ୍ର ଥିବା ୨୦ ଜଣ ମହିଳା ଚାଳକଙ୍କୁ ପୁଣେରେ ଉନ୍ନତ ତାଲିମ ପାଇଁ ଚୟନ କରାଯାଇଥିଲା। ସେମାନେ ସଫଳତାର ସହ ନିଜର ତାଲିମ ସମାପ୍ତ କରି ଓଡ଼ିଶା ଫେରିଛନ୍ତି, ଯାହା କ୍ରୁଟ୍ର ଲିଙ୍ଗ-ସମାବେଶୀ ପରିବହନ ରୋଡମ୍ୟାପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଏହି ୧୪ ଦିନିଆ ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁଣେସ୍ଥିତ “ଏକ୍କା ମୋବିଲିଟି” ପ୍ଲାଣ୍ଟରେ ୨ ଫେବୃଆରୀରୁ ୧୪ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। GIZ ର ବୈଷୟିକ ସହାୟତା ଓ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଇଭି ବସ୍ ଚାଳନା, ସୁରକ୍ଷା ପ୍ରୋଟୋକଲ୍, ଉନ୍ନତ ଡ୍ରାଇଭିଂ ଅଭ୍ୟାସ ଏବଂ ଆଧୁନିକ ସିଟି ବସ୍ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ଏକ ନିରାପଦ, ଅନ୍ତର୍ଭୁକ୍ତ ଏବଂ ଭବିଷ୍ୟତମୁଖୀ ସହରୀ ପରିବହନ ବ୍ୟବସ୍ଥା ଗଠନ କରିବା ସହ ସାର୍ବଜନୀନ ପରିବହନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ଦିଗରେ ସହାୟକ ହେବ।
