୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ୨୦୨୪

କଳା କ୍ଷେତ୍ରକୁ ପରିପୂର୍ଣ୍ଣ କରିବାରେ ୩୦ ବର୍ଷ –ଏହି ସମ୍ମାନ ମହୋତ୍ସବର ୩ ଦଶନ୍ଧିକୁ ପାଳନ କରୁଛି

Spread the love

ଭୁବନେଶ୍ୱର : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ସହଯୋଗରେ କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତ ତିନି ଦଶନ୍ଧିକୁ ପାଳନ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସା ପକ୍ଷରୁ ଏହାର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଆୟୋଜନ କରାଯିବ । ଆସନ୍ତା ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୭ଟାରେ, ଓଡିଶାର ଶାସ୍ତ୍ରୀୟ କ୍ୟାଲେଣ୍ଡରରେ ଏକ ଅଗ୍ରଗାମୀ ସାଂସ୍କୃତିକ କାର୍ଯ୍ୟକ୍ରମ, ୩୦ ତମ ଗୁରୁ କେଲୁଚରଣ ମହାପାତ୍ର (ଜିକେସିଏମ) ସମ୍ମାନ ମହୋତ୍ସବ ୨୦୨୪ ଅନୁଷ୍ଠିତ ହେବ । ନୃତ୍ୟ ଏବଂ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବଜାୟ ରଖିବାର ଏକ ସ୍ୱତନ୍ତ୍ର ଲକ୍ଷ୍ୟ ସହିତ ଏହି ସମ୍ମାନ ମହୋତ୍ସବ ସବୁବେଳେ ଆୟୋଜିତ ହୋଇଆସୁଛି । ପ୍ରତିବର୍ଷ ୫ ଦିନ ପାଇଁ ପରିଚାଳିତ ହେଉଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ପାଇଁ ୭ ଦିନ ପରିଚାଳନା କରାଯିବ । ୬ ଦିନ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧକାରୀ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶିତ ହେବା ପରେ ୭ମ ବା ଅନ୍ତିମ ଦିନରେ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ ସମାରୋହର ଆୟୋଜନ କରାଯିବ ଏବଂ ଗୁରୁ ରତିକାନ୍ତ ମହାପାତ୍ରଙ୍କ ପ୍ରଖ୍ୟାତ ଅନୁଷ୍ଠାନ ସୃଜନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶିତ ହେବ ।
ଏହା ସମ୍ପର୍କରେ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତିଯେ, ଚଳିତ ବର୍ଷ ଭାରତ ଏବଂ ବିଶେଷ କରି ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କ୍ଷେତ୍ରର ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୨୪ରେ  ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ମାନପତ୍ର ସାମିଲ ରହିଛି ଯାହାକୁ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜର ଅପାର ଯୋଗଦାନ ପାଇଁ ଶ୍ରୀମତି କୁମ୍‌କୁମ ଲାଲ,  ସଙ୍ଗୀତ ଓ ବାଦନ କ୍ଷେତ୍ରରେ ସେମାନଙ୍କ ଜୀବନବ୍ୟାପୀ ସଫଳତା ପାଇଁ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ଏବଂ ଓଡିଆ ସିନେମା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଉତମ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏହାଛଡା ୨୫୦୦୦ ଟଙ୍କାର ନଗଦ ପୁରସ୍କାର ଓ ଏକ ମାନପତ୍ର ସହିତ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍ ବୟସର ୪ ଜଣ ଅସାଧାରଣ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ୨୦୨୪ ପ୍ରଦାନ କରାଯିବ । ଓଡ଼ିଶୀ ନୃତ୍ୟ ପାଇଁ ପମ୍ପି ପାଲ୍ ଓ ରାଜନୀତା ମେହେରଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ ଏବଂ କୁଚିପୁଡି ନୃତ୍ୟ ପାଇଁ ଅଭିଜିତ୍ ଦାସ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ) ପାଇଁ ରୋହିତା ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ପ୍ରଖ୍ୟାତ ଗାୟକ ଚନ୍ଦନ ଦାସଙ୍କ ଦ୍ୱାରା ଗଜଲ ଗାୟନ ସହିତ ଉଦ୍ଘାଟନୀ ସନ୍ଧ୍ୟା ଆରମ୍ଭ ହେବ । ଦ୍ୱିତୀୟ ଦିନରେ ଖ୍ୟାତନାମା ଭାରତନାଟ୍ୟମ୍ ପ୍ରଦର୍ଶକ ବୈଭବ ଆରେକର ଏବଂ ତାଙ୍କର ସଂଖ୍ୟା ଡ୍ୟାନ୍ସ କମ୍ପାନୀ କିମ୍ବଦନ୍ତୀ ଶିବାଜୀ ମହାରାଜଙ୍କ ଜୀବନ ଏବଂ ସମୟର କାହାଣୀ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଭାବେ ଶ୍ରୀମନ୍ତ ଯୋଗୀ ଉପସ୍ଥାପନ କରିବେ । ତୃତୀୟ ସନ୍ଧ୍ୟାରେ ପ୍ରସିଦ୍ଧ ଗାୟକ କଲାଇମାମଣି ଓଏସ୍ ଅରୁଣଙ୍କ ଦ୍ୱାରା ଏକ କାର୍‌ନାଟିକ୍ ଶାସ୍ତ୍ରୀୟ ସଙ୍ଗୀତ ପରିବେଶିତ ହେବ । ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍‌ଙ୍କ ନେତୃତ୍ୱାଧୀନ ସୁବ୍ରାମାନିଆ ମ୍ୟୁଜିକାଲ ଫ୍ୟୁଜନର ଏକ ଆକର୍ଷଣୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିବ । ପରବର୍ତୀ ସନ୍ଧ୍ୟାରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ,  ପ୍ରସିଦ୍ଧ ତବଲା ବାଦକ ଓଜାସ ଆଧିଆଙ୍କ ସହ ପ୍ରଦର୍ଶନ କରିବେ । ଷଷ୍ଠ ସନ୍ଧ୍ୟାରେ ପ୍ରତିଷ୍ଠିତ କଥକ ନୃତ୍ୟଶିଳ୍ପୀ କୋଲକାତାର ଅସିମ ବନ୍ଧୁ ଭଟ୍ଟାଚାର୍ଜୀ ଓ ତାଙ୍କ ନୃତ୍ୟ ଅନୁଷ୍ଠାନ ଉପାସନା ସେଂଟର ଫର ଡାନ୍ସ ପକ୍ଷରୁ ମୁନଷ୍ଟ୍ରକ ପରିବେଷଣ କରାଯିବ ।
ଅନ୍ତିମ ସନ୍ଧ୍ୟା ସମ୍ମାନଜନକ ପୁରସ୍କାର ବିତରଣ ସମାରୋହରୁ ଆରମ୍ଭ ହେବ ଏବଂ ପରେ ରତିକାନ୍ତ ମହାପାତ୍ରଙ୍କ କଳାତ୍ମକ ନିର୍ଦ୍ଦେଶନା ତଥା ସଂଯୋଜନାରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଉପସ୍ଥାପନ କରାଯିବ । ସେମାନେ ତନ୍ତ୍ରର ଉପସ୍ଥାପନ କରିବେ ଯାହାକି  ଦିବ୍ୟ ନାରୀତ୍ୱକୁ ଆବାହନ କରିବା ଏବଂ ସମାଜ ତଥା ମାନବଜାତିର ଉନ୍ନତି ପାଇଁ ତନ୍ତ୍ର ସାଧନାକୁ ଭିତି କରି ମୁକ୍ତିର ମାର୍ଗ ସନ୍ଧାନ ଉପରେ ପର୍ଯ୍ୟବେସିତ ରହିବ । ସୃଜନ ଭାରତର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର ସକ୍ଷମ ଆନୁଷ୍ଠାନିକ ସହଯୋଗ ହାସଲ କରିଛି । ଏହି ସହଭାଗିତା  ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଦୁନିଆରେ ଶିକ୍ଷା ଓ କଳା ପ୍ରଦର୍ଶନର ସଂଯୋଗକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ସମ୍ମାନ ମହୋତ୍ସବକୁ  ରତିକାନ୍ତ ମହାପାତ୍ର ପରିକଳ୍ପନା ଓ ସଂଯୋଜନା କରିଥିବା ବେଳେ ଦେବୀପ୍ରସାଦ ମିଶ୍ରଙ୍କ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବେ ।  ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ମହୋତ୍ସବ ଏମ୍‌ଜିଏମ୍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍ ଠାରୁ ଅନୁଦାନ ଗ୍ରହଣ କରିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟଏବଂ ଓଡିଶା ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ମହୋତ୍ସବରେ ସହଯୋଗ କରିଛନ୍ତି । ମହୋତ୍ସବର ପ୍ରାୟୋଜକମାନେ ହେଲେ ଏସବିଆଇ, ଇମ୍‌ଫା, ପ୍ରିୟଦର୍ଶିନୀ ସିଲ୍କସ ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ । ରୟାଲ ମିଡଟାଉନ୍ ହୋଟେଲ ହେଉଛି ଏହାର ଆତିଥ୍ୟ ସହଯୋଗୀ । ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଏବଂ ନର୍ତକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଛନ୍ତି ।

Spread the love

Leave A Reply

Your email address will not be published.