ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

Spread the love

ଭୁବନେଶ୍ୱର-ତା.୨୮.୦୧.୨୦୨୪- ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଆମ ରାଜ୍ୟ ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଆମ ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଆମ ଭାଷାକୁ ସାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଆମ ରାଜ୍ୟ ସରକାର ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆସନ୍ତା ଫେବୃୟାରୀ ମାସ ୧ ଓ ୨ ତାରିଖରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଏକ ଦୁଇ ଦିବସୀୟ ଆଲେଚାନା ଚକ୍ର କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଆୟୋଜିତ ହେଉଅଛି । ଏହା ଏକ ଗବେଷଣାତ୍ମକ ଆଲୋଚନା ଚକ୍ର । ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ସାହିତ୍ୟିକ, ସାରସ୍ୱତ ସାଧକ, ସଂଗୀତ ଏବଂ ନୃତ୍ୟ ସାଧକ/ସାଧିକା, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ଆଦି ଏହି ସମ୍ମିଳନୀରେ ଯୋଗଦାନ କରି ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ । ପ୍ରତ୍ୟେହ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ଦିନ ୧୧ ଟାରୁ ଅପରାହ୍ନ ୨ ଟା ଏବଂ ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ।

ପ୍ରଥମ ଦିନର ଆଲୋଚ୍ୟ ବିଷୟ ଗୁଡ଼ିକ ହେଲା – ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭାବ ଏବଂ ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ । ବକ୍ତା ଭାବରେ ଡକ୍ଟର ବାବାଜୀ ପଟ୍ଟନାୟକ ଏବଂ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ ଯୋଗଦେବା ସହିତ ଏଥିରେ ଅଧ୍ୟକ୍ଷତା କରିବେ ଡକ୍ଟର ବସନ୍ତା ପଣ୍ଡା ଏବଂ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ । ସେହିଭଳି ଦ୍ୱିତୀୟ ଦିବସର ଆଲୋଚ୍ୟ ପ୍ରସଙ୍ଗ ହେଲା – ‘ମଧ୍ୟଯୁଗୀୟ ଗୀତି କବିତାର ଭାଷା’ ଓ ‘ଓଡ଼ିଆ ଲୀଳା ଯାତ୍ରା ସାହିତ୍ୟର ଭାଷା ବିଭବ’ । ବକ୍ତା ଭାବରେ ଡକ୍ଟର ଶାନ୍ତନୁ ରଥ ଏବଂ ଡକ୍ଟର ଅଜୟ ମିଶ୍ର ଯୋଗଦେବା ସହିତ ଅଧ୍ୟକ୍ଷତା କରିବେ ଡକ୍ଟର ଶରତ ଚନ୍ଦ୍ର ରଥ ଏବଂ ଡକ୍ଟର ସଂଘମିତ୍ରା ମିଶ୍ର ।
ଅନ୍ୟମାନଙ୍କ ମଧ୍ୟରେ ବହୁ ବିଶିଷ୍ଟ ସାରସ୍ୱତ ସାଧକ, ନୃତ୍ୟ ଗୁରୁ ଏବଂ ସଂଗୀତ ବିଷାରଦ ପ୍ରମୁଖ ଯୋଗଦେବା ସହିତ କାର୍ଯ୍ୟକ୍ରମରେ ଗୁଗୁଲ୍ ମିଟ୍ ଜରିଆରେ ଆଭାଷି ମାଧ୍ୟମରେ ବହୁ ବିଶେଷଜ୍ଞ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏହିଭଳି ଅନେକ ଗବେଷଣାତ୍ମକ କାର୍ଯ୍ୟ କରି ଆସୁଥିବା ବେଳେ କେନ୍ଦ୍ର ତରଫରୁ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା ରହିଅଛି ।


Spread the love

Leave A Reply

Your email address will not be published.