ଜାନୁଆରୀ ୩୦ରେ ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

Spread the love

ଭୁବନେଶ୍ୱର: ଜାନୁଆରୀ ୧୬ ରୁ ଡିଭିଜନ ସ୍ତରରେ ଓ ଜାନୁଆରୀ ୨୪ରେ ଜିଲ୍ଲାସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ ହେବା ପରେ ଆସନ୍ତା କାଲି ଜାନୁଆରୀ ୩୦ ତାରିଖରେ ପାଣି ପଂଚାୟତ ପକ୍ଷ ପାଳନର ୩ ୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃହତ, ମଧ୍ୟମ,କ୍ଷୁଦ୍ର ଜଳ ସେଚନ, ମେଗା ଲିଫ୍ଚଟ ଓ ଉଠା ଜଳସେଚନ ପ୍ରକଳ୍ପ ଆଦିର ସେଚାଂଚଳରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜ୍ୟର ୫୦ ଟି ଶ୍ରେଷ୍ଠ ପାଣି ପଂଚାୟତ, ଓଡ଼ିଶା ସମନ୍ୱିତ ସହନଶୀଳ ଜଳସେଚନ ପ୍ରକଳ୍ପ ପାଣ୍ଠି ବିନିଯୋଗରେ ଭଲ କାର୍ଯ୍ୟ କରିଥିବା ୧୦ ଟି ଶ୍ରେଷ୍ଠ ପାଣି ପଂଚାୟତ. ୩୦ ଜଣ ସଫଳ ଚାଷୀ, ପାଣି ପଂଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ଓ ଏ କ୍ଷେତ୍ରରେ ଭଲ କାମ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ସହିତ ପାଣି ପଂଚାୟତ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ‘ସେଚ ସହଭାଗିତା ୨.୦’ ଶୀର୍ଷକ କଫି ଟେବୁଲ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯିବ । ଓଡ଼ିଶାର ପାଣି ପଞ୍ଚାୟତର ପ୍ରଗତିଶୀଳ ଯାତ୍ରାର କାହାଣୀ ସମ୍ପର୍କରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଏବଂ “ପାଣି ପଞ୍ଚାୟତରେ ସମସ୍ତଙ୍କ ଅନ୍ତର୍ଭୁକ୍ତିକରଣ ଏବଂ ସମାନତାକୁ ସୁନିଶ୍ଚିତ କରିବା” ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ ।
ପ୍ରକାଶ ଥାଉକି, ଜଳ ସମ୍ପଦ କ୍ଷେତ୍ରରେ ଭାଗିଦାରୀ ଜଳସେଚନ ପରିଚାଳନା ଏବଂ ତୃଣମୂଳ ସ୍ତରରେ ଜଳ ଆବଣ୍ଟନରେ ସମାନତାକୁ ସୁନିଶ୍ଚିତ କରିବାରେ ପାଣି ପଞ୍ଚାୟତର ଗୁରୁତ୍ୱକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ, ସମ୍ପ୍ରଦାୟ ଏବଂ ଅଂଶୀଦାରମାନଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପକ୍ଷକୁ ବ୍ୟାପକ ଭାବରେ ପାଳନ କରାଯାଉଛି ।


Spread the love

Leave A Reply

Your email address will not be published.