ତୃଣମୂଳ ସ୍ତରରେ କ୍ରୀଡ଼ାପ୍ରତିଭାର ବିକାଶ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

Spread the love

ଭୁବନେଶ୍ୱର, (୨୨/୧) : ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ଆରମ୍ଭ ହୋଇଯାଇଛି ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତା। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଫୁଟବଲ ଆସୋସିଏସନ୍‌ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତା ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍‌ ବର୍ଗ ପାଇଁ (ଅଣ୍ଡର-୧୫ କ୍ୟାଟାଗୋରିରେ) ଆୟୋଜିତ କରାଯାଉଛି।

ପ୍ରଥମ ଚରଣରେ ରାଜ୍ୟର ୧୬ଟି ସ୍ଥାନ ଯଥା : ଅନୁଗୁଳ, ବଲାଙ୍ଗିର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲାରେ ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ଅନୁଷ୍ଠିତ ହେଉଛି।

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ର ଆୟୋଜନ ହେବା ସମ୍ବନ୍ଧରେ କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ । ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ର ଆୟୋଜନ ମାଧ୍ୟମରେ ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରାଯାଉଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତମାନେ ନିଶ୍ଚିତରୂପେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସିଏମ ଟ୍ରଫି ଫୁଟବଲ୍ ଚାମ୍ପିୟନସିପ୍ ପ୍ରତିଯୋଗିତା ବିଭିନ୍ନ ଚରଣରେ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ଚରଣରେ ଏହା ଜିଲ୍ଲାମାନଙ୍କରେ ରହିଥିବା ବିଭିନ୍ନ ଫୁଟବଲ କ୍ଲବମାନଙ୍କ ମଧ୍ୟରେ  ଅନୁଷ୍ଠିତ ହେଉଛି ।

ଏହାପରେ ଜିଲ୍ଲା ସ୍ତରରୁ ଚୟନିତ ହୋଇଥିବା ସର୍ବମୋଟ ୩୧ଟି ଦଳକୁ (୩୦ଟି ଜିଲ୍ଲାରୁ ୩୦ ଟି ଦଳ ଏବଂ ଭୁବନେଶ୍ୱରରୁ ଗୋଟିଏ ଦଳ) ୪ ଗୋଟି କ୍ଲଷ୍ଟର (କ୍ଲଷ୍ଟର- ସମ୍ବଲପୁର, ଭୁବନେଶ୍ୱର, ଜୟପୁର ଏବଂ କେଉଁଝର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଆୟୋଜନ କରାଯିବ।

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ର ସେମି-ଫାଇନାଲ ମ୍ୟାଚ ଜୟପୁର ଏବଂ ରାଉରକେଲା ଠାରେ ଏବଂ ଫାଇନାଲ ମ୍ୟାଚ ଭୁବନେଶ୍ୱର ଠାରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଦ୍ୱାରା ସଶକ୍ତ କରାଇବା ଏବଂ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସିଏମ ଟ୍ରଫି ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଆଗାମୀ ଭବିଷ୍ୟତରେ କ୍ରୀଡ଼ାବିତମାନେ ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ତାହା ଲକ୍ଷ୍ୟ ରଖାଯାଇଛି।


Spread the love

Leave A Reply

Your email address will not be published.