ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକର ବ୍ୟାପକ ନିର୍ମାଣ ଉପରେ ଗୁରୁତ୍ବ

Spread the love

ଭୁବନେଶ୍ବର: ରାଜ୍ୟ ସରକାର  ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ  ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ ଯେପରି ପାଣି ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି । ବୃହତ୍, କ୍ଷୁଦ୍ର, ମଧ୍ୟମ, ଉଠା ଜଳ ସେଚନ , ମେଗା ଲିଫ୍ଟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳ ସେଚନ ଓ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ  ରାଜ୍ୟର ସେଚ ସାମର୍ଥ୍ୟ ବୃଦ୍ଧିରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ(ଏମଆଇପି) ଗୁଡ଼ିକର ଉଲ୍ଲେଖନୀୟ ଯୋଗଦାନ ରହିଛି । ଆଗାମୀ ଦିନରେ  ଅଧିକରୁ ଅଧିକ ଏମଆଇପି ଏବଂ ଚେକ୍ ଡ୍ୟାମ୍ ଜରିଆରେ ରାଜ୍ୟର ଜଳସେଚନ ସାମର୍ଥ୍ୟ ବୃଦ୍ଧି କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁତ୍ୱ ଦେଇଛନ୍ତି ।
ଜଳସମ୍ପଦ ବିଭାଗରେ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ  ଚେକ୍ ଡ୍ୟାମ୍ ନିର୍ମାଣ ମାଧ୍ୟମରେ ରାଜ୍ୟରେ ସେଚ ସାମର୍ଥ୍ୟ ବୃଦ୍ଧି ସଂପର୍କିତ ଅନୁଷ୍ଠିତ ଏକ  ଉଚ୍ଚସ୍ତରୀୟ  ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପୂର୍ବକ ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଆସନ୍ତା ୫ ବର୍ଷ ମଧ୍ୟରେ ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟି କରିବାକୁ  ମାନ୍ୟବର ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ ପ୍ରତିଶ୍ରୁତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନ ନିର୍ଦ୍ଦିଷ୍ଟ ସମ୍ଭାବ୍ୟତା ଆଧାରରେ ଆଗାମୀ ୫ ବର୍ଷ ମଧ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ  ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ରୋଡ୍ ମ୍ୟାପ୍  ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଓ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ସୁବିଧା  ସୁଯୋଗ  ରହିଛି, ବିଶେଷ କରି ସେସବୁ ଅଂଚଳରେ ଜଳର  ଉପଲବ୍ଧତା,  ମାଟିର ପ୍ରକାର, ଫସଲ ଢାଞ୍ଚା ଏବଂ ସାମୂହିକ ଆବଶ୍ୟକତା ସମେତ ଅଞ୍ଚଳର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକର ଆକଳନ, ଅନ୍ୟ ଜଳସେଚନ ପଦ୍ଧତି ସହିତ କ୍ଷୁଦ୍ର ଜଳସେଚନ ପଦ୍ଧତିକୁ ସମନ୍ୱିତ କରିବା ଏବଂ ଦକ୍ଷ ଜଳ ପରିଚାଳନା ପାଇଁ ଜ୍ଞାନକୌଶଳର ଉପଯୋଗ କରିବାର ସମ୍ଭାବନା ଭଳି ବିଷୟ ଉପରେ ଧ୍ୟାନ ଦିଆଯାଇ ଏମଆଇ ପ୍ରକଳ୍ପ ଏବଂ ଚେକ୍ ଡ୍ୟାମ  ନିର୍ମାଣ କରାଯିବା ନେଇ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା  ।
ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Spread the love

Leave A Reply

Your email address will not be published.