ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘର ଇଣ୍ଡିଆନ ୱମେନ ନେଟ୍ୱର୍କ (ସିଆଇଆଇ ଆଇଡବ୍ଲ୍ୟୁଏନ) ଓଡିଶା ପକ୍ଷରୁ ‘ଶକ୍ତି ସମ୍ମାନ’ ଶୀର୍ଷକ ଏକ ପ୍ରେରଣାଦାୟକ ସନ୍ଧ୍ୟାର ଆୟୋଜନ କରାଯାଇଛି, ଯାହା ଓଡିଶାର ମହିଳା ପରିବର୍ତନକାରୀଙ୍କ ଉତ୍ସାହ ଓ ସଫଳତାକୁ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପର ବରିଷ୍ଠ ବ୍ୟକ୍ତିବିଶେଷ, ସରକାରୀ ପ୍ରତିନିଧି ଓ ସଫଳ ମହିଳା ଉଦ୍ୟୋଗୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।ତାଙ୍କ ଉପସ୍ଥିତି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଓ ସ୍ୱୀକୃତି ଦିଗରେ ସଫଳତାକୁ ଆହୁରି ପ୍ରୋତ୍ସାହିତ କରିଛି । ଏହି କାର୍ଯ୍ୟକ୍ରମର ଅନ୍ୟତମ ବହୁପ୍ରତିକ୍ଷୀତ ଅଂଶ ଥିଲା ‘ଶକ୍ତି ସମ୍ମାନ ୨୦୨୫’, ଏକ ସମ୍ବର୍ଦ୍ଧନା ସମାରୋହ ଯାହା ସମାଜ ଓ ଶିଳ୍ପ ପ୍ରତି ଚମତ୍କାର ଯୋଗଦାନ ଦେଇଥିବା ମହିଳାମାନଙ୍କୁ ସମ୍ମାନିତ କରିଛି ।
ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର, ଆଇଏଏସ ଶ୍ରୀମତି ଅନୁ ଗର୍ଗ ନିଜର ସ୍ୱତନ୍ତ୍ର ଅଭିଭାଷଣ ମାଧ୍ୟମରେ ସମାବେଶୀ ବିକାଶ ପାଇଁ ଏକାଭିମୁଖତା, ଯୋଜନା ଓ ସମ୍ବଳ ବିକାଶ କ୍ଷେତ୍ରରେ ରାଜ୍ୟର ପ୍ରୟାସଗୁଡିକୁ ଆଲୋକିତ କରିଥିଲେ । ସିଆଇଆଇ ଆଇଡବ୍ଲ୍ୟୁଏନର ଅଧ୍ୟକ୍ଷା ଜୁବିନା ଅଲୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ନେତୃତ୍ୱ ମାଧ୍ୟମରେ ସଶକ୍ତିକରଣ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ସୁନୀଲ ଗୁପ୍ତା ଥିମ ଅଭିଭାଷଣ ପ୍ରଦାନ କରିବା ପରେ ସାଇ ବାୟୋକେୟାର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୋନାଲିସା ପଣ୍ଡା ଏବଂ ସିଆଇଆଇ ନର୍ଥ ଓଡିଶା ଜୋନାଲ କାଉନ୍ସିଲର ଉପାଧ୍ୟକ୍ଷ ସୁଦ୍ଧି ରଞ୍ଜନ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସନ୍ଧ୍ୟା ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜି ସୁରେଶଙ୍କ ଅଭିଭାଷଣ ସହ ସମାପ୍ତ ହୋଇଥିଲା ।
“ଶକ୍ତି ରୁ ସମୃଦ୍ଧି” କାର୍ଯ୍ୟକ୍ରମ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କୁ ସ୍ୱୀକୃତି, ସହଯୋଗ ପ୍ରଦାନ କରୁଥିବା ଓ ସଶକ୍ତ କରୁଥିବା ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ସିଆଇଆଇ ଆଇଡବ୍ଲ୍ୟୁଏନ ଓଡିଶାର ପ୍ରତିବଦ୍ଧତାକୁ ସୁଦୃଢ କରିଛି, ଯାହା ସମାବେଶୀ ଓ ସ୍ଥାୟୀ ବିକାଶର ବିସ୍ତୃତ ଲକ୍ଷ୍ୟ ସହ ସମନ୍ୱିତ ରହିଥିବ ।