ଦେଶପ୍ରେମର ଅନନ୍ୟ ମହକରେ ଏମ୍ସ ଭୁବନେଶ୍ୱରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Spread the love

– ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ

ଭୁବନେଶ୍ୱର, ୧୬/୦୮/୨୦୨୫: ଦେଶପ୍ରେମର ଅନନ୍ୟ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ଡ. ବିଶ୍ବାସ ସ୍ୱାସ୍ଥ୍ୟ, ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି ଅନୁଷ୍ଠାନ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଏକ ଉତ୍କର୍ଷ କେନ୍ଦ୍ର ପାଲଟିଥିବା ସେ ପ୍ରକାଶ କରିଥିଲେ। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏକାଧିକ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ ଡ. ବିଶ୍ୱାସ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏମ୍‌ସ ଭୁବନେଶ୍ୱର ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ଏନେଇ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ଡ. ବିଶ୍ବାସ। ନିକଟରେ ଏହି ଅନୁଷ୍ଠାନକୁ ଏନ୍ଆଇଆରଏଫ୍ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରିଛି।
ଏହି ଅବସରରେ କର୍ତ୍ତବ୍ୟନିଷ୍ଠା ଏବଂ କର୍ମକୁଶଳତା ନିମନ୍ତେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ପରିବେଶକୁ ଭାବମୟ କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ, ଡିନ୍‌ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ୍ ମିଶ୍ର, ଡ. ସୌଭାଗ୍ୟ ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ।
ଡିଡିଏ ଅଭିଜିତ ସରକାର ସମସ୍ତଙ୍କୁ କୃତଜ୍ଞତା ଜଣାଇ ଏମ୍‌ସ ଭୁବନେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।


Spread the love

Leave A Reply

Your email address will not be published.