ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ସିଇଓ ଓ ଏମ୍ଡି ଆଶିଷ କୁମାର ଚୌହାନ, ୭୫ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ଉଲ୍ଲେଖନୀୟ ଯାତ୍ରାକୁ ପ୍ରଶଂସା କରିଛନ୍ତି । ଶ୍ରୀଯୁକ୍ତ ଚୌହାନ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଏକମାତ୍ର ପ୍ରଧାନମନ୍ତ୍ରୀ ଏବଂ ଲଗାତର ୨ୟ ଥର ପାଇଁ ସର୍ବାଧିକ ସମୟ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ଆଡକୁ ଦେଶକୁ ଅଗ୍ରସର କରୁଛି । ଗୁଜରାଟରୁ ଏକ ସାଧାରଣ ଆରମ୍ଭରୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଗୁଡିକର ମୁଖ୍ୟ ଭାବେ ୨୪ ବର୍ଷ ପର୍ଯ୍ୟନ୍ତ ମୋଦିଙ୍କ ଯାତ୍ରା ସ୍ୱ-ପ୍ରୟାସ, ଧୈର୍ଯ୍ୟ, ସଙ୍କଳ୍ପବଦ୍ଧତା ଓ ପ୍ରତିବଦ୍ଧତାର ପ୍ରମାଣ ଅଟେ ।
ଶ୍ରୀଯୁକ୍ତ ଚୌହାନ କହିଛନ୍ତି, “ଜନଧନ ଯୋଜନାଠାରୁ ଆରମ୍ଭ କରି ଚନ୍ଦ୍ରାୟାନ ୩, ଆୟୁଷ୍ମାନ ଭାରତ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ, ନିତି ଆୟୋଗ, ଗତି ଶକ୍ତି, ମିଶନ ଲାଇଫ, ଇଂଟରନ୍ୟାଶନାଲ ସୋଲାର ଆଲିଆନ୍ସ ପର୍ଯ୍ୟନ୍ତ ଅନେକ ପରିବର୍ତନଶୀଳ ନୀତିଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ’ ଦୃଷ୍ଟିକୋଣର ମୂଳଦୁଆ ଭାବେ ଛିଡା ହୋଇଛି । ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୀତି ଓ ୪ର୍ଥ ସର୍ବବୃହତ ପୁଞ୍ଜି ବଜାର ଭାବେ ଉଭା ହୋଇଛି । ଏନ୍ଏସଇ-ତାଲିକାଭୁକ୍ତ କମ୍ପାନୀଗୁଡିକର ଇକ୍ୱିଟି ବଜାର ପୁଞ୍ଜି ମେ’ ୨୦୧୪ରେ ୬୭ ଲକ୍ଷ କୋଟି ଟଙ୍କାରୁ ଆଜି ୪୬୦ ଲକ୍ଷ କୋଟି ଟଙ୍କାକୁ ପ୍ରାୟ ୬ ଗୁଣରୁ ଅଧିକ ବୃଦ୍ଧି ହୋଇଛି । ଏହି ଅବଧିରେ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ହୋଇ ୧୨ କୋଟିରେ ପହଂଚିଛି, ଏହି ନିବେଶକମାନେ ୨୩ କୋଟିରୁ ଅଧିକ ନିବେଶକ ଆକାଉଂଟ ଧାରଣ କରିଛନ୍ତି ଯାହା ଭାରତର ୯୯.୮୫% ପିନକୋଡକୁ କଭର କରୁଛି । ପୁଞ୍ଜି ବଜାରର ଏହି ଗଣତାନ୍ତ୍ରିକତା ଭାରତର ମଧ୍ୟବିତ ଶ୍ରେଣୀର ଉତ୍ଥାନକୁ ପ୍ରତିଫଳନ କରୁଛି ଏବଂ ପ୍ରତି ୪ଟିରୁ ଗୋଟିଏ ପରିବାର ଏବେ ଇକ୍ୱିଟିରେ ନିବେଶ କରୁଛନ୍ତି । ସେହିପରି ବିଶ୍ୱ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଉପସ୍ଥିତି ଦେଶର ବିକାଶରେ ଅଧିକ ଯୋଗଦାନ ଦେବା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଓ ଅନୁପ୍ରାଣିତ କରୁଛି ।” ନିଜର ଶୁଭେଚ୍ଛା ଜଣାଇ ଶ୍ରୀଯୁକ୍ତ ଚୌହାନ ପ୍ରଧାନମନ୍ତ୍ରୀ ମୋଦି ଦେଶର ସେବାରେ ଏକ ଦୀର୍ଘ ଓ ସୁସ୍ଥ ଜୀବନ ଜାରି ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।