ଜାତୀୟ ଚଳଚିତ୍ର ପୁରସ୍କାରରେ ଦ ସାଇଲେଂଟ ଏପିଡେମିକ ଡକ୍ୟୁମେଂଟାରୀ ସମ୍ମାନିତ

Spread the love

ଭୁବନେଶ୍ୱର: ରାହାଗିରି ଫାଉଣ୍ଡେଶନ ଦ୍ୱାରା ସହ-ପ୍ରଯୋଜିତ ଡକ୍ୟୁମେଂଟାରୀ ଦ ସାଇଲେଂଟ ଏପିଡେମିକ୍‌କୁ ୭୧ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଯାହାକି ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ବେଷ୍ଟ ନନ୍‌-ଫିଚର ଫିଲ୍ମ ଭାବେ ପ୍ରଦାନ କରାଯାଇଛି । ରାହାଗିରି ଫାଉଣ୍ଡେଶନ ଓ ସିନେମା୪ଗୁଡ୍ ଦ୍ୱାରା ମିଳିତ ଭାବେ ନିର୍ମାଣ କରାଯାଇଥିବା ଏହି ଫିଲ୍ମକୁ ଅକ୍ଷତ ଗୁପ୍ତା ନିର୍ଦ୍ଦେଶନା ଦେଇଥିବା ବେଳେ ସାମାଜିକ ଉଦ୍ୟୋଗୀ ସାରିକା ପଣ୍ଡା ଭଟ୍ଟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ଏହାର ପ୍ରଯୋଜକ ଅଟନ୍ତି। ସେହିପରି ହ୍ୱିଲିଙ୍ଗ ହାପିନେସ୍ ଫାଉଣ୍ଡେଶନ ସହ ସହଭାଗିତାରେ ଆକାଶ ବାସୁ ଏହାର କ୍ରିଏଟିଭ ପ୍ରଡକ୍ସନ ଦାୟିତ୍ୱରେ ଥିଲେ। ଦ ସାଇଲେଂଟ ଏପିଡେମିକ୍ ଭାରତରେ ସଡକ ଦୁର୍ଘଟଣାର ବିନାଶକାରୀ, ତଥାପି ପ୍ରାୟତଃ ଅଣଦେଖା କରାଯାଉଥିବା ପ୍ରଭାବ ଉପରେ ଆଲୋକପାତ କରିଛି। ଏଥିରେ ପାରାଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ସୁମିତ ଅନିଲ ଏବଂ ଏକ ହିଟଆଣ୍ଡରନ କେସରେ ନିଜ ଛୋଟ ପୁଅକୁ ହରାଇଥିବା ଏକ ଶୋକସନ୍ତପ୍ତ ପରିବାରର ଦୁଃଖଦ କାହାଣୀ ସାମିଲ ରହିଛି।
ଏହି ସ୍ୱୀକୃତି ସମ୍ପର୍କରେ ନାଗାରୋର ନିର୍ଦ୍ଦେଶକ ଏବଂ ରାହାଗିରି ଫାଉଣ୍ଡେଶନର ପ୍ରତିଷ୍ଠାତା ଓ ଟ୍ରଷ୍ଟି ସାରିକା ପଣ୍ଡା କହିଛନ୍ତି, “ସଡକ ଦୁର୍ଘଟଣାଗୁଡିକ କେବଳ ପରିସଂଖ୍ୟା ନୁହେଁ ଏହା ହାରି ଯାଇଥିବା ଜୀବନ ଓ ହଜି ଯାଇଥିବା ସ୍ୱପ୍ନର କାହାଣୀ ଅଟେ। ୭୧ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ମିଳିଥିବା ଏହି ସ୍ୱୀକୃତି ସୁରକ୍ଷିତ ଓ ଅଧିକ ସମାବେଶୀ ସହର ପାଇଁ ସ୍ୱର ଉଠାଇବା ଜାରି ରଖିବା ଲାଗି ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି।” ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ଜିତେନ୍ଦ୍ର ମିଶ୍ର କହିଛନ୍ତି, “ସିନେମାରେ ଦୃଷ୍ଟିକୋଣକୁ ବଦଳାଇବା ଓ ପରିବର୍ତନକୁ ଅନୁପ୍ରାଣିତ କରିବାର ଶକ୍ତି ରହିଛି। ଦ ସାଇଲେଂଟ ଏପିଡେମିକ ସହିତ ଆମେ ହେଡଲାଇନ ଓ ସଂଖ୍ୟା ବାହାରର କାହାଣୀଗୁଡିକୁ ଲୋକଲୋଚନକୁ ଆଣିବାକୁ ଚାହୁଁଥିଲୁ। ଏହି ପୁରସ୍କାର କେବଳ ଫିଲ୍ମର ବିଜୟ ନୁହେଁ ବରଂ ସମାଜର କଲ୍ୟାଣ ପାଇଁ ପଦକ୍ଷେପ ନେବା ଲାଗି ଏକ ଆହ୍ୱାନ ଅଟେ।”


Spread the love

Leave A Reply

Your email address will not be published.