ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ର ନଭେମ୍ବର ୨୦୨୫ରେ ମୋଟ ଟ୍ରେଡିଂ ଆକାଉଂଟ ସଂଖ୍ୟା ୨୪ କୋଟି ଅତିକ୍ରମ କରିଛି । ଗତବର୍ଷ ଅକ୍ଟୋବରରେ ୨୦ କୋଟି ସଂଖ୍ୟା ଅତିକ୍ରମ କରିବାର ମାତ୍ର ଏକ ବର୍ଷ ପରେ ଏହି ମାଇଲଖୁଂଟ ଅତିକ୍ରମ କରିପାରିଛି । ଏଥିସହିତ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକ ସଂଖ୍ୟା ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ୧୨.୨ କୋଟି ରହିଛି ଯାହା ୨୨ ସେପ୍ଟେମ୍ବର ୨୦୨୫ରେ ୧୨ କୋଟି ଅତିକ୍ରମ କରିଥିଲା । ମୋଟ ନିବେଶକ ଆକାଉଂଟ ସଂଖ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ୪ କୋଟି ଆକାଉଂଟ (୧୭%) ସହ ଆଗରେ ରହିଛି, ଏହାପରେ ଉତର ପ୍ରଦେଶ (୨.୭ କୋଟି), ଗୁଜରାଟ (୨.୧ କୋଟି), ପଶ୍ଚିମବଙ୍ଗ (୧.୪ କୋଟି) ଓ ରାଜସ୍ଥାନ (୧.୪କୋଟି)ର ସ୍ଥାନ ରହିଛି । ଏହି ଶୀର୍ଷ ୫ଟି ରାଜ୍ୟ ମୋଟ ନିବେଶକ ଆକାଉଂଟ ସଂଖ୍ୟାରେ ପ୍ରାୟ ୪୯% ଯୋଗଦାନ ଦେଉଛନ୍ତି ଏବଂ ଶୀର୍ଷ ୧୦ଟି ରାଜ୍ୟ ମିଳିତ ଭାବେ ୭୩%ର ଯୋଗଦାନ ଦେଉଛନ୍ତି ।
ଏହି ସଫଳତା ସମ୍ପର୍କରେ ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ମୋବାଇଲ-ଆଧାରିତ ବାଣିଜ୍ୟ ସମାଧାନଗୁଡିକର ଷ୍ଟାଣ୍ଡାର୍ଡାଇଜେଶନ, ଏକ ଅଧିକ ଶୃଙ୍ଖଳିତ କେୱାଇସି ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଖୁଚୁରା ନିବେଶକମାନେ ଭାରତୀୟ ପୁଞ୍ଜି ବଜାରକୁ ନେଇ ସକାରାତ୍ମକ ରହିଛନ୍ତି । ଏହି ପଦକ୍ଷେପଗୁଡିକ ପରିବର୍ତିତ ଆନ୍ତର୍ଜାତୀୟ ବାଣିଜ୍ୟ ଶୈଳୀ ଓ ଦ୍ରୁତ ବେଗରେ ପରିବିର୍ତତ ଭୂରାଜନୈତିକ ସ୍ଥିତି ମଧ୍ୟରେ ସ୍ଥିର ନିବେଶକ ଅଂଶଗ୍ରହଣ ଜାରି ରଖିବାରେ ସାହାଯ୍ୟ କରିଛି । ଏହା ଟାୟାର ୨, ୩, ୪ ସହରଗୁଡିକରେ ବାସ କରୁଥିବା ନିବେଶକଙ୍କ ପାଇଁ ବଜାର ପହଂଚକୁ ଉନ୍ନତ କରିଛି । ନିବେଶକଙ୍କ ପାଖରେ ଏବେ ଇକ୍ୱିଟି, ଡେବ୍ଟ ସିକ୍ୟୁରିଟି, ଇଟିଏଫ, ଆରଇଆଇଟି, ଆଇଏନଭିଆଇଟି, ସରକାରୀ ବଣ୍ଡ ଓ କର୍ପୋରେଟ ବଣ୍ଡ ଭଳି ବିସ୍ତୃତ ଶୃଙ୍ଖଳାର ଉତ୍ପାଦଗୁଡିକ ପାଇଁ ପହଂଚ ରହିଛି, ଯାହା ଟେକ୍ନୋଲୋଜି-ପରିଚାଳିତ ଓ ସମାବେଶୀ ଆର୍ଥିକ ଇକୋସିଷ୍ଟମର ବିବର୍ତନକୁ ପ୍ରତିଫଳନ କରୁଛି ।”
ଏନଏସଇର ସଦ୍ୟତମ ତଥ୍ୟ ମୁତାବକ, ଓଡିଶାରେ ପ୍ରାୟ ୫୪.୪୨ ଲକ୍ଷ ପଞ୍ଜୀକୃତ ଉପଭୋକ୍ତା ରହିଛନ୍ତି, ଯାହାର ମୋଟ ଭାରତରେ ବଜାର ଅଂଶ ୨.୫% ରହିଛି । ସେପ୍ଟେମ୍ବର ୩୦ ତାରିଖ, ୨୦୨୫ ସୁଦ୍ଧା ସ୍ୱାଧୀନ ନିବେଶକମାନେ ଏନଏସଇ-ତାଲିକାଭୁକ୍ତ କମ୍ପାନୀଗୁଡିକର ୧୮.୭୫% ଧାରଣ କରିଛନ୍ତି ଯାହା ୨୨ ବର୍ଷର ସର୍ବୋଚ୍ଚ ସ୍ତର ଅଟେ । ଗତ ୫ ବର୍ଷରେ ନିଫ୍ଟି ୫୦ ଓ ନିଫ୍ଟି ୫୦୦ ଯଥାକ୍ରମେ ୧୫% ଓ ୧୮%ର ମଜବୁତ ବାର୍ଷିକ ରିଟର୍ଣ୍ଣ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କ ନେତୃତ୍ୱ ଅଧିନରେ ବିଭିନ୍ନ ନିବେଶକ ସୁରକ୍ଷା ପଦକ୍ଷେପ, ବର୍ଦ୍ଧିତ ଡିଜିଟାଲୀକରଣ, ଉଦ୍ଭାବନ, ଏକ ର୍ବ୍ଧିତ ମଧ୍ୟବିତ ଶ୍ରେଣୀ ଓ ପ୍ରଗତିଶୀଳ ନୀତିଗତ ପଦକ୍ଷେପଗୁଡିକ ବଜାରର ଆତ୍ମବିଶ୍ୱାସକୁ ସୁଦୃଢ କରିଛନ୍ତି । ଏହାଛଡା ଏନଏସଇ ଏହାର ନିବେଶକ ସଚେତନତା ପ୍ରୟାସଗୁଡିକୁ ବହୁମାତ୍ରାରେ ବୃଦ୍ଧି କରିଛି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏନଏସଇ ୧୧,୮୭୫ ନିବେଶକ ସଚେତନତା କାର୍ଯ୍ୟକ୍ରମର ପରିଚାଳନା କରିଥିଲା ଯାହା ପ୍ରାୟ ୬.୨ ଲକ୍ଷ ଅଂଶଗ୍ରହଣକାରୀଙ୍କ ନିକଟରେ ପହଂଚିଥିଲା । ସେହିପରି ଅକ୍ଟୋବର ୩୧ ତାରିଖ, ୨୦୨୫ ସୁଦ୍ଧା ଇନ୍ଭେଷ୍ଟର ପ୍ରୋଟେକ୍ସନ ଫଣ୍ଡ (ଆଇପିଏଫ) ବାର୍ଷିକ ୧୯% ବୃଦ୍ଧି ହୋଇ ୨୭୧୯ କୋଟି ଟଙ୍କା ରହିଥିଲା ।