ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ (ୟୁସିସିଆଇଏଲ) ଦ୍ୱାରା ଆୟୋଜିତ ଦୁଇ ଦିନିଆ ସମୃଦ୍ଧ ଓଡିଶା ସମ୍ମିଳନୀ ୨୦୨୫ ଜନତା ମଇଦାନଠାରେ ଏକ ପ୍ରେରଣାଦାୟକ ବିଦାୟକାଳିନ ସମାରୋହ ସହିତ ସମାପ୍ତ ହୋଇଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନୀତିନିର୍ମାତା, ଶିଳ୍ପ ପରିଚାଳକ, ଶିକ୍ଷାବିତ ଓ ଉଦ୍ଭାବକମାନେ ଏକାଠି କରିଥିଲା, ଯାହା ଭିଜନ ୨୦୩୬ ଓ ଭିଜନ ୨୦୪୭ ସହ ସମନ୍ୱିତ ଓଡିଶାର ଆର୍ଥିକ ରୂପାନ୍ତରଣ ପାଇଁ ଏକ ମିଳିତ ଦୃଷ୍ଟିକୋଣକୁ ସୁଦୃଢ କରିଛି।
ବିଦାୟକାଳିନ ସମାରୋହରେ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କୃଷି ଓ କୃଷକ ବିକାଶ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ ଶ୍ରୀମତି ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ଶକ୍ତି ବିଭାଗର ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ବିଶାଲ କୁମାର ଦେବ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,“ଆମେ ଏକ ସମ୍ବଳ ଅର୍ଥନୀତିରୁ ଏକ ଜ୍ଞାନ ଅର୍ଥନୀତି ଆଡକୁ ଅଗ୍ରସର ହେଉଛୁ। ଓଡିଶାରେ ସର୍ବୋଚ୍ଚ ପୁଞ୍ଜି ନିବେଶ ଅନୁପାତ ରହିଛି। ଆମର ସରକାର ୨୦୩୬ ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆମେ କୃଷି-ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ଆବଶ୍ୟକ କରୁଛୁ। ଓଡିଶା ହେଉଛି ଏକ କୃଷି-ସମୃଦ୍ଧ ରାଜ୍ୟ, ଯାହା ସଫଳ ଭାବେ ଏକ ଆମଦାନୀକାରୀରୁ ଏକ ଶୁଦ୍ଧ ରପ୍ତାନୀକାରୀରେ ପରିବର୍ତନ ହେଉଛି।”
ସେ ଏକ ଦକ୍ଷ ମାନବସମ୍ବଳ ଆଧାର ବିକଶିତ କରିବା ପାଇଁ ଦୃଢ ଶିଳ୍ପ ଶିକ୍ଷାନୁଷ୍ଠାନ ସହଭାଗିତା ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଯାହା ରାଜ୍ୟର ତ୍ୱରାନ୍ୱିତ ଶିଳ୍ପାୟନକୁ ସମର୍ଥନ କରୁଥିବ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ, ଶ୍ରୀମତି ଅନୁ ଗର୍ଗ କହିଛନ୍ତି,“ରାଜ୍ୟ ସରକାର ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚିବା ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛନ୍ତି, ଯାହା ଜାତୀୟ ଜିଡିପିରେ ଓଡିଶାର ଯୋଗଦାନକୁ ବର୍ତମାନର ୩.୮%ରୁ ଯଥାକ୍ରମେ ୪% ଓ ୫%କୁ ବୃଦ୍ଧି କରିବ। ଏହାକୁ ହାସଲ କରିବା ପାଇଁ ଆମକୁ ବାର୍ଷିକ ୯.୫ରୁ ୧୦% ହାରରେ ବିକଶିତ ହେବାକୁ ପଡିବ, ଯାହା ବର୍ତମାନର ୭%ଠାରୁ ଅଧିକ ଅଟେ। ଆମେ ମଧ୍ୟ ଓଡିଶାକୁ ପ୍ରକୃତରେ ସମୃଦ୍ଧ କରିବା ପାଇଁ ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୨.୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛୁ।” ସେ ନିଯୁକ୍ତି ସୃଷ୍ଟିର ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଘରୋଇ କ୍ଷେତ୍ରର ଦୃଢ ଅଂଶଗ୍ରହଣ ପାଇଁ ଆହ୍ୱାନ କରିଥିଲେ।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ଶକ୍ତି ବିଭାଗର ମୁଖ୍ୟ ସଚିବ, ଆଇଏଏସ ଶ୍ରୀ ବିଶାଲ ଦେବ କହିଛନ୍ତି,“ନିକଟ ବର୍ଷଗୁଡିକରେ ଓଡିଶା ଇଲେକ୍ଟ୍ରୋନିକ୍ସ, ଆଇଟି ଓ ସେମିକଣ୍ଡକ୍ଟର ନିବେଶଗୁଡିକ ପାଇଁ ସଫଳତାର ସହ ନିଜକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଅବସ୍ଥାପିତ କରିଛି। ଆମ ପାଖରେ ଆଇଟି, ଜିସିସି ଓ ଏଆଇ ପାଇଁ ପ୍ରତିଯୋଗିତାମୂଳକ ନୀତି ରହିଛି। ଏକ ପାୱାର-ସର୍ପ୍ଲସ ରାଜ୍ୟ ଭାବେ ଆମେ ଦୃଢ ଭିତିଭୂମି ଓ ଏକ ଅନୁକୂଳ ନିୟାମକ ପରିବେଶ ଦ୍ୱାରା ସମର୍ଥିତ ନିର୍ଭରଯୋଗ୍ୟ ଓ ସୁଲଭ ବିଦ୍ୟୁତଶକ୍ତି ପ୍ରଦାନ କରୁଛୁ। ଆମେ ୩ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛୁ ଏବଂ ୪ଟି ପ୍ରକଳ୍ପ ମଞ୍ଜୁରୀ ଅପେକ୍ଷାରେ ରହିଛି।”ସେ ଓଡିଶାର ମଜବୁତ ବିତୀୟ ସ୍ଥିତି ଓ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏହାର କ୍ଷମତାକୁ ହାଇଲାଇଟ କରିଥିଲେ।
ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଗୋକୁଳାନନ୍ଦ ମଲିକ କହିଛନ୍ତି, “ଓଡିଶାକୁ ସମୃଦ୍ଧ କରିବା ପାଇଁ ଆମେ ସରକାରଙ୍କ ସହିତ ନାଗରିକଙ୍କର ସାମୂହିକ ସମର୍ଥନ ଆବଶ୍ୟକ କରୁଛୁ। ବୃହତ ଶିଳ୍ପଗୁଡିକ କ୍ଷୁଦ୍ର ଶିଳ୍ପଗୁଡିକୁ ସମର୍ଥନ କରିବା ଉଚିତ ଏବଂ ସ୍ଥାନୀୟ ଏମଏସଏମଇଗୁଡିକରୁ କ୍ରୟ କରିବା ଉଚିତ। ମୁଁ ଛାତ୍ରଛାତ୍ରୀମାନଙ୍କୁ ନୂତନ ଯୁଗର ଦକ୍ଷତା ହାସଲ କରିବା ପାଇଁ ଆବେଦନ କରୁଛି।ଭୋକାଲ ଫର୍ ଲୋକାଲ ଓ ଆତ୍ମନିର୍ଭରଶୀଳତା ଏକ ସମୃଦ୍ଧ ଓ ସଶକ୍ତ ଓଡିଶା ପାଇଁ ମାର୍ଗ ପ୍ରଶସ୍ତ କରିବ।”
ୟୁସିସିଆଇଏଲର ଅଧ୍ୟକ୍ଷ ଡଃ ପ୍ରବୋଧ ମହାନ୍ତି କହିଛନ୍ତି,“ସମୃଦ୍ଧ ଓଡିଶା ସମ୍ମିଳନୀ ଉଦ୍ୟୋଗିକ ଉତ୍ସାହର ଏକ ଜୀବନ୍ତ ପ୍ରଦର୍ଶନୀ ଥିଲା ଯାହା ସହଭାଗିତା ବିକଶିତ କରିବା ସହ ବାସ୍ତବ ସମୟର ବ୍ୟବସାୟ ସୁଯୋଗ ସୃଷ୍ଟି କରିଛି। ଓଡିଶାରେ ନିବେଶ ଆଗ୍ରହ ଦ୍ରୁତ ବେଗରେ ବୃଦ୍ଧି ପାଉଛି, ଯାହା ଉତ୍କର୍ଷ ଓଡିଶା ସମ୍ମିଳନୀରେ ମିଳିଥିବା ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଉଦ୍ଦେଶ୍ୟରୁ ପ୍ରମାଣିତ ଅଟେ। ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ସକ୍ରିୟ ସରକାରୀ ସହଯୋଗ ସହିତ କାର୍ଯ୍ୟକାରୀ କରାଯାଉଛି।” ସମ୍ମିଳନୀ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ସମାରୋହରେ ନଗଦ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା, ଯାହା ଯୁବ ପ୍ରତିଭା ଓ ଉଦ୍ଭାବନକୁ ସେଲିବ୍ରେଟ କରିଥିଲା।
ନିଜର ଶେଷ ବିବୃତିରେ ୟୁସିସିଆଇଏଲ ନେତୃବୃନ୍ଦ ସମସ୍ତ ସହଯୋଗୀ, ଅଂଶଗ୍ରହଣକାରୀ ଓ ହିତାଧିକାରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ, ଏବଂ ମହତ୍ୱ ଦେଇଥିଲେ ଯେ, ଏହି ସମ୍ମିଳନୀ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ସମୃଦ୍ଧ, ସ୍ଥିର ଓ ଉଦ୍ଭାବନ-ଚାଳିତ ଓଡିଶା ନିର୍ମାଣ କରିବା ଦିଗରେ ଏକ ଆନ୍ଦୋଳନ ଅଟେ। ଏହି ସମାରୋହ ସମୃଦ୍ଧ ଓଡିଶା-୨୦୩୬ର ଆୟୋଜକ କମିଟିର ଅଧ୍ୟକ୍ଷ ଡଃ ବ୍ରହ୍ମା ମିଶ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା।
ଏହି ଦୁଇ ଦିନରେ ସମ୍ମିଳନୀରେ ଶିଳ୍ପ, ସରକାର, ଶିକ୍ଷାନୁଷ୍ଠାନ, ଆର୍ଥିକ ଅନୁଷ୍ଠାନ ଓ ଷ୍ଟାର୍ଟଅପ ଇକୋସିଷ୍ଟମରୁ ୫୦୦ରୁ ଅଧିକ ଲିଡର ଅଂଶଗ୍ରହଣ କରିଥିଲେ। ଏଚଏଏଲ, ଏବିଆଇ-ଶୋୱାଟେକ, ଆଦାନୀ ପୋର୍ଟସ, ଏସଆଇଡିବିଆଇ, ଏନଆଇଏସଟି, ଏସାର, ଆଇଆରଇଏଲ, ଇପିକଲ, ସିଟିଟିସି ଆଦି ସଂସ୍ଥାରୁ ବିଶିଷ୍ଟ ବକ୍ତାମାନେ ନିର୍ମାଣ ଉତ୍କର୍ଷତା, ଏଆଇ ଓ ଉଦୀୟମାନ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ସୁଯୋଗ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଖଣି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜପଦାର୍ଥ, ଦକ୍ଷତା ବିକାଶ ଭଳି ପ୍ରସଙ୍ଗ ଏବଂ ବିଶ୍ୱବ୍ୟାପୀ ଏକ ପ୍ରତିଯୋଗୀପୂର୍ଣ୍ଣ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାକୁ ଅବସ୍ଥାପିତ କରିବା ପାଇଁ ରଣନୀତିଗୁଡିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ।