କିଟରେ ଚେସ୍‍ ମହାକୁମ୍ଭ, ସୋସିଆଲ୍‍ ଆଣ୍ଡ ଏଜୁକେସ୍‍ନାଲ୍‍ ଚେସ୍‍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

Spread the love

ଭୁବନେଶ୍ୱର, ୧୨ ।୧: ଜାନୁଆରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କିଟ୍‍ ରେ ଅନୁଷ୍ଠିତ ହେବାକୁ ଯାଉଛି ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍‍ ଆଣ୍ଡ ଏଜୁକେସନାଲ୍‍ ଚେସ୍‍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ। ଭାରତରେ କିଟ୍‍ ରେ ପ୍ରଥମ ଥର ଲାଗି ଚେସ୍‍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି।

ଅନ୍ତର୍ଜାତୀୟ ଚେସ୍‍ ସଂଘ (ଏଫ୍‍ଆଇଡିଇ) ଓ ଭାରତୀୟ ଚେସ୍‍ ସଂଘ (ଏଆଇସିଏଫ୍‍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‍ର ଏହି ମହାକୁମ୍ଭରେ ଏଫ୍‍ଆଇଡିଇର ସଭାପତି ତଥା ଋଷ୍‍ର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍‍, ଏଫ୍‍ଆଇଡିଇର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‍ ଆନନ୍ଦ, ଏଫ୍‍ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‍, ଏଆଇସିଏଫ୍‍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍‍ ଓ ଇଭେଣ୍ଟ କମିସନ୍‍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କିଟ୍‍ ପରିସରରେ ଥିବା ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍ ଓ ଚେସ୍‍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‍ଘାଟନ କରିବେ। ଉଭୟ କିଟ୍‍ କ୍ୟାମ୍ପସ୍‍ ଓ ହୋଟେଲ୍‍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ।

ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍‍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍‍ ତାରକା ଯୋଗ ଦେଉଛନ୍ତି। ଏହା ସହିତ ମୋଟ ୫ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍‍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଭାରତରେ କିଟ୍‍ ରେ ପ୍ରଥମ ଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ। ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟ୍‍ ଓ କିସ୍‍ ଦୀର୍ଘ ଦିନରୁ ଚେସ୍‍ର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି। କିସ୍‍ ରେ ସମୟକୁ ସମୟ ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥାଏ ଏବଂ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣମେଣ୍ଟରେ ସବୁଠାରୁ ଅଧିକ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।


Spread the love

Leave A Reply

Your email address will not be published.