ମିଶନ ଶକ୍ତିର ୪୦୦୦ ସଦସ୍ୟା ପର୍ଯ୍ୟଟନର ବିକାଶ ପାଇଁ ହେବେ ପ୍ରଶିକ୍ଷିତ

Spread the love

ଭୁବନେଶ୍ୱର, ୧୫.୦୧.୨୦୨୬ : ଆଜି ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମିଶନ ଶକ୍ତି ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦର ସିଇଓ ଶ୍ରୀ ରାଜନ ବାହାଦୁର ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ ।

ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ପ୍ରବେଶକୁ ପ୍ରଶଂସା କରିବା ସହ ଏହି ଅଭିଯାନ ରାଜ୍ୟରେ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ।  ମହିଳାମାନଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ ଏନ ସ୍ୱାଗତ ଅଭିଭାଷଣ ରଖିବା ସହ ବୁଝାମଣାପତ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ଏହି ବୁଝାମଣାପତ୍ର ଅନୁସାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଟ ଭଡା ଓ କ୍ୟାଟରିଂ ପରିଚାଳନା ସେବା କ୍ଷେତ୍ରରେ ଉଦ୍ୟୋଗୀତା ପାଇଁ ପ୍ରଶିକ୍ଷିତ କରାଯିବ । ବ୍ୟବସାୟ ୟୁନିଟ୍‌ର ସ୍ଥାୟୀ ପରିଚାଳନା, ବୃତ୍ତିଗତ ଦକ୍ଷତା ବୃଦ୍ଧି, ଏଫ୍‌ଏସ୍‌ଏସ୍‌ଏଆଇ ପ୍ରମାଣପତ୍ର ପ୍ରଦାନ, ଡିପିଆର୍ ପ୍ରସ୍ତୁତି, ଉପକରଣ କ୍ରୟ, ବ୍ୟବସାୟରେ ଅଭିବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏକ ହଜାର ସ୍ୱୟଂସହାୟକ ଗୋଷ୍ଠୀର ୪,୦୦୦ ମହିଳା ସଦସ୍ୟା ଖାଦ୍ୟ ଯୋଗାଣ, ଇଭେଣ୍ଟ ପରିଚାଳନା, ଟେଣ୍ଟ ଓ କ୍ୟାଟରିଂ ସେବା ଉପରେ ପ୍ରଶିକ୍ଷିତ ହେବେ । ଏହି ଯୋଜନା ପାଇଁ ୯.୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।


Spread the love

Leave A Reply

Your email address will not be published.