ଭୁବନେଶ୍ୱର,୧୮ ଜାନୁୟାରୀ ୨୦୨୬ : ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ପରମ୍ପରା ନୂତନତ୍ୱ ଢାଞ୍ଚାରେ ନିର୍ମାଣ କରିବା ପାଇଁ ପୁରୀ ସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ ଠାରେ ‘ପୂର୍ବୋଦୟ ଓଡି଼ଶା ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ‘ସାଧବ ଉତ୍ସବ-୨୦୨୬’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ଗବେଷକ ତଥା ଉଦ୍ୟୋଗୀ ଡକ୍ଟର ସତ୍ୟପ୍ରକାଶ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ୟଙ୍ଗ୍ ଇନୋଭେଟର ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ଉତ୍ସବର ଉଦଯାପନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଏମଏସଏମଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଗବେଷଣାଭିତ୍ତିକ ନବସୃଜନ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏନଆଇଟି ସିଲଚରରୁ ପିଏଚଡି ହାସଲ କରିଥିବା ଡକ୍ଟର ମିଶ୍ର ଗତ ଏକ ଦଶନ୍ଧି ଧରି ଭୂକମ୍ପର ତୀବ୍ରତା ଆକଳନ ଏବଂ ଭୂକମ୍ପ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ ଗବେଷଣା ଜାରି ରଖିଛନ୍ତି । ତାଙ୍କର ୧୦ରୁ ଅଧିକ ଗବେଷଣା ପ୍ରବନ୍ଧ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହେବା ସହ ସେ ଏକାଧିକ ପେଟେଣ୍ଟ ହାସଲ କରିଛନ୍ତି । ବର୍ତ୍ତମାନ ସେ ଭାରତର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥାପତ୍ୟର ସୁରକ୍ଷା ପାଇଁ ‘ଷ୍ଟ୍ରକଚରାଲ ହେଲଥ ମନିଟରିଂ’ ଉପରେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ‘ମେସିନେକ୍ସ ଷ୍ଟ୍ରକଚରାଲ ଲାବ୍ସ’ ନାମକ ଏକ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା, ଯାହା ଭୂକମ୍ପ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଅତ୍ୟାଧୁନିକ ପରୀକ୍ଷଣ ଓ ବୈଷୟିକ ସମାଧାନ ପ୍ରଦାନ କରୁଛି ।
ଏହି ସମ୍ମାନ ଗ୍ରହଣ କରି ଡକ୍ଟର ମିଶ୍ର ପୂର୍ବୋଦୟ ଓଡ଼ିଶା ଫାଉଣ୍ଡେସନ ଏବଂ ସମସ୍ତ ଆୟୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ସ୍ୱୀକୃତି ରାଜ୍ୟର ଯୁବ ନବସୃଜନକାରୀ ଓ ଆଶାୟୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ ।
ସାଧବ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ପୁଞ୍ଜିନିବେଶକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ‘ସମୃଦ୍ଧ ଓଡ଼ିଶା ୨୦୩୬’ର ଲକ୍ଷ୍ୟ ହାସଲ କରିବା ଏବଂ ଓଡ଼ିଶାର ଐତିହାସିକ ସାମୁଦ୍ରିକ ବାଣିଜ୍ୟ ଗୌରବକୁ ଆଧୁନିକ ଜ୍ଞାନକୌଶଳ ଜରିଆରେ ପୁନରୁଦ୍ଧାର କରିବା ପାଇଁ ଏହି କନକ୍ଲେଭରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୩୬ ସୁଦ୍ଧା ରାଜ୍ୟରେ ୧୦୦ଟି ବୃହତ ଷ୍ଟାର୍ଟଅପ୍ ପ୍ରତିଷ୍ଠାନ ଗଢ଼ିବାକୁ ଏଠାରେ ସଂକଳ୍ପ ନିଆଯାଇଛି ।