ଭୁବନେଶ୍ୱର : ଏଲ୍ଇଡ଼ି ଧାତବ ଖେଳନାରେ ଖେଳୁଥିଲା ୧୦ ମାସର ଶିଶୁ । ଭୁଲ ବଶତଃ ଅଜାଣତରେ ନାକରେ ପଶିଯାଇଥିଲା ଏହି ଧାତବ ପଦାର୍ଥ । ଫଳରେ ଶିଶୁଟିକୁ ଶ୍ୱାସକ୍ରିୟା ନେବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରି ଜରୁରୀକାଳୀନ ପରିସ୍ଥିତିରେ ଶିଶୁକୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ଏଲ୍ଇଡି ଧାତବ ଖେଳଣାଟି ତୀକ୍ଷ୍ଣ ଧାରଯୁକ୍ତ ହୋଇଥିବାରୁ ଆଭ୍ୟନ୍ତରିଣ ଆଘାତଜନିତ କ୍ଷତର ବିପଦ ସୃଷ୍ଟି କରିଥିଲା ।
କିମ୍ସରେ ପହଞ୍ଚିବା ପରେ ଡାକ୍ତରମାନେ ଶିଶୁଟିର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କିମ୍ସର ବିଶିଷ୍ଟ ପଲମୋନୋଲୋଜିଷ୍ଟ ଡା ଦେବାଶିଷ ବେହେରା ଉନ୍ନତ ବ୍ରୋଙ୍କୋସ୍କୋପି ପ୍ରକ୍ରିୟା ବ୍ୟବହାର କରି ସଫଳତାର ସହ ଶିଶୁର ଶ୍ୱାସନଳୀରୁ ଧାତବ ଏଲ୍ଇଡି ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥିଲେ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ଡା ଅମିତ ପ୍ରଧାନ ଓ ତାଙ୍କ ଆନାସ୍ଥେସିଆ ଦଳ ।
କିମ୍ସର ଇଣ୍ଟେନ୍ସିଭିଷ୍ଟ ଡା ବନ୍ଦ୍ୟା ସାହୁ, ଡା ରେଶମି ମିଶ୍ର ଓ ଡା ମୁକେଶ କୁମାର ଜୈନଙ୍କ ମିଳିତ ଉଦ୍ୟମରେ ଶିଶୁଟିର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଥିଲା । ଏହା ଶିଶୁ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ବ୍ରୋଙ୍କୋସ୍କୋପିକ୍ ପ୍ରୟୋଗ ଓ ନିରବଚ୍ଛିନ୍ନ ସହଯୋଗର ଗୁରୁତ୍ୱକୁ ସୂଚାଇଥାଏ । ଏହି ସଫଳତାରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି ।