ପୂର୍ବ ଶତ୍ରୁତାର ପ୍ରତିଶୋଧ! ସୁପାରି ଦେଇ ଆକ୍ରମଣ ମାମଲାରେ ବିଜେପି କର୍ପୋରେଟର ପ୍ରାର୍ଥୀ ଗିରଫ

Spread the love

ଭୁବନେଶ୍ୱର,୦୩/୦୨: ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ସୁପାରି ଦେଇ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗରେ ବିଜେପିର ଜଣେ କର୍ପୋରେଟର ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ୱର ୪୫ନମ୍ବର ୱାର୍ଡର ପ୍ରଶାନ୍ତ ନାୟକ ଓରଫ ବନି।

ପୋଲିସ ସୂଚନା ଅନୁସାରେ, ପ୍ରଶାନ୍ତ ନାୟକ ପୂର୍ବ ଶତ୍ରୁତାର ରାଗ ସୁଝାଇବାକୁ ଟଙ୍କା ଦେଇ କିଛି ଯୁବକଙ୍କୁ ସୁପାରି ଦେଇଥିଲେ। ସୁପାରି ନେଇଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି, ଯାହାଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି।
ଘଟଣାଟି ଗତ ୧ ତାରିଖରେ ଘଟିଥିଲା। ଅଭିଯୋଗକାରୀ ଘରକୁ ଫେରୁଥିବା ବେଳେ ଲକ୍ଷ୍ମୀସାଗର କେନାଲ ରୋଡରେ ମାସ୍କ ପିନ୍ଧିଥିବା ଅଭିଯୁକ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ସହିତ ତାଙ୍କର ସୁନା ଚେନ ଓ ମୋବାଇଲ ଫୋନ ମଧ୍ୟ ନେଇଯାଇଥିଲେ।
ପ୍ରଥମେ ଏହି ଘଟଣାକୁ ନେଇ ପୋଲିସ ଛିନତାଇ ମାମଲା ରୁଜୁ କରିଥିଲା। କିନ୍ତୁ ତଦନ୍ତ ଆଗକୁ ବଢ଼ିବା ସହ ଏହା ପଛରେ ଥିବା ଅପରାଧିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା। ପରେ ପ୍ରଶାନ୍ତ ନାୟକ ଓରଫ ବନି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ପୋଲିସ ନିଶ୍ଚିତ କରିଥିଲା।
ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଷଡ଼ଯନ୍ତ୍ର ଧାରାରେ କେସ୍ ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Spread the love

Leave A Reply

Your email address will not be published.