ଆଜି ବିଶ୍ୱ କର୍କଟ ଦିବସ: ‘United by Unique’ ଥିମ୍‌ ସହ କ୍ୟାନ୍ସର ସଚେତନତାର ଆହ୍ୱାନ

Spread the love


ଭୁବନେଶ୍ୱର,୦୪/୦୨: ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ କର୍କଟ ଦିବସ’ (World Cancer Day)। ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କର୍କଟ ରୋଗ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ସଠିକ୍ ଚିକିତ୍ସା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

ଚଳିତ ବର୍ଷର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି “United by Unique”। ଏହି ଥିମ୍‌ର ଅର୍ଥ ହେଉଛି—ପ୍ରତ୍ୟେକ କର୍କଟ ରୋଗୀଙ୍କ ଯୁଦ୍ଧ ଅଲଗା ଓ ନିଆରା, କିନ୍ତୁ ସମସ୍ତଙ୍କୁ ଉନ୍ନତ ଓ ସମାନ ଚିକିତ୍ସା ସୁବିଧା ମିଳିବା ପାଇଁ ସମାଜକୁ ଏକଜୁଟ ହେବା ଆବଶ୍ୟକ।

ତେବେ ଭାରତରେ କର୍କଟ ରୋଗର ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଛି। ପ୍ରତିବର୍ଷ ଦେଶରେ ପ୍ରାୟ ୧୫ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବା ବେଳେ, ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିଯିବ ବୋଲି ଆଶଙ୍କା କରାଯାଉଛି।

ଚିନ୍ତାର ବିଷୟ ହେଉଛି, ଭାରତରେ ମାତ୍ର ୨୯ ପ୍ରତିଶତ କର୍କଟ ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହେଉଛନ୍ତି। ଅଧିକାଂଶ ରୋଗୀ ଦେରିରେ ଚିହ୍ନଟ ହେବାରୁ ଚିକିତ୍ସା ଜଟିଳ ହୋଇପଡ଼ୁଛି।
ବିଶେଷଜ୍ଞଙ୍କ ମତାନୁସାରେ, କର୍କଟ ରୋଗର ପ୍ରମୁଖ କାରଣ ହେଉଛି ତମାଖୁ ସେବନ, ଯାହା ଦ୍ୱାରା ପ୍ରାୟ ୩୩ ପ୍ରତିଶତ କର୍କଟ ରୋଗ ହେଉଛି। ଏହାଛଡ଼ା ମେଦବହୁଳତା, ଅସନ୍ତୁଳିତ ଖାଦ୍ୟାଭ୍ୟାସ, ନିଶାଦ୍ରବ୍ୟ ସେବନ ଓ ପରିବେଶ ପ୍ରଦୂଷଣ ମଧ୍ୟ କର୍କଟର ଅନ୍ୟତମ କାରଣ।

ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ଗର୍ଭାଶୟ କର୍କଟ, ଯେତେବେଳେ ପୁରୁଷମାନଙ୍କ ମଧ୍ୟରେ ମୁଖ ଓ ଫୁସଫୁସ କର୍କଟ ଅଧିକ ପ୍ରଚଳିତ ଥିବା ଦେଖାଯାଉଛି।ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି ଯେ, କର୍କଟରୁ ବଞ୍ଚିବା ପାଇଁ ତମାଖୁ ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍କ୍ରିନିଂ, ସୁଷମ ଖାଦ୍ୟ ଗ୍ରହଣ ଏବଂ ନିୟମିତ ବ୍ୟାୟାମ ଅତ୍ୟନ୍ତ ଆବଶ୍ୟକ।

ବିଶ୍ୱ କର୍କଟ ଦିବସ ଅବସରରେ, କର୍କଟ ବିରୋଧରେ ଲଢ଼େଇ ପାଇଁ ସମସ୍ତଙ୍କୁ ସଚେତନ ଓ ଏକତ୍ରିତ ହେବାର ଆହ୍ୱାନ ।


Spread the love

Leave A Reply

Your email address will not be published.