ହ୍ୱାଟସ୍‌ଆପରେ ମିଳିବ ରାଜସ୍ୱ ସେବା, ୨୪ ଘଣ୍ଟିଆ ସୁବିଧା; ଦୁର୍ନୀତି ଉପରେ ଲାଗିବ ଲଗାମ

Spread the love


ଭୁବନେଶ୍ୱର,୦୪/୦୨: ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ଲୋକହିତକାରୀ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏବେ ରାଜସ୍ୱ ବିଭାଗର ସମସ୍ତ ପ୍ରମୁଖ ସେବା ହ୍ୱାଟସ୍‌ଆପ ମାଧ୍ୟମରେ ୨୪ ଘଣ୍ଟା ଉପଲବ୍ଧ ହେବ। ଜମି-ଜମା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ, ଆବେଦନ ଓ ସମସ୍ୟାକୁ ଏହି ହ୍ୱାଟସ୍‌ଆପ ସେବା ମାଧ୍ୟମରେ ସରାସରି ଦାଖଲ କରିପାରିବେ ସାଧାରଣ ଲୋକ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆବେଦନ ଗ୍ରହଣ କରାଯିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଯଦି ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେଉନାହିଁ କିମ୍ବା କୌଣସି ପ୍ରକାର ଦୁର୍ନୀତି ଅଭିଯୋଗ ଆସେ, ତେବେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଉ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଟ୍ରାନ୍ସପ୍ୟାରେନ୍ସି ବଢ଼ିବା ସହ ଦୁର୍ନୀତି ଉପରେ ମଧ୍ୟ ଅଙ୍କୁଶ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ସହ ଯଦି କୌଣସି ଅଭିଯୋଗରେ କାର୍ଯ୍ୟ ହେଉନାହିଁ, ତେବେ ଅଭିଯୋଗକାରୀ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ହ୍ୱାଟସ୍‌ଆପ ମାଧ୍ୟମରେ ଅଭିଯୋଗ କରିପାରିବେ।

ଆସନ୍ତାକାଲି ଏହି ହ୍ୱାଟସ୍‌ଆପ ସେବାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ସେହିପରି ରାଜ୍ୟର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି, ଯାହା ଜମି ରେଜିଷ୍ଟ୍ରି ପ୍ରକ୍ରିୟାକୁ ଅଧିକ ସହଜ ଓ ଦ୍ରୁତ କରିବ।ଏହି ଡିଜିଟାଲ ପଦକ୍ଷେପ ଦ୍ୱାରା ରାଜ୍ୟର ରାଜସ୍ୱ ପ୍ରଶାସନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।


Spread the love

Leave A Reply

Your email address will not be published.