ଭୁବନେଶ୍ୱର,୦୪/୦୨:ଆସନ୍ତା ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଜଙ୍ଗଲ ନିଆଁ (ବନାଗ୍ନି) ନିୟନ୍ତ୍ରଣ ପାଇଁ ବନ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହାର ଅଂଶ ଭାବେ ଗତ ଜାନୁୟାରୀ ମାସରେ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ବନ ବିଭାଗର ତଥ୍ୟ ଅନୁଯାୟୀ, ଗତ ବର୍ଷ ଜାନୁୟାରୀ ମାସରେ ୬୭୦ଟି ପଏଣ୍ଟରେ ବନାଗ୍ନି ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ସେହି ସଂଖ୍ୟା କମି ୩୪୧ ପଏଣ୍ଟକୁ ଆସିଛି, ଯାହା ପ୍ରଶାସନର ପ୍ରସ୍ତୁତିର ସକାରାତ୍ମକ ପରିଣାମ ବୋଲି କୁହାଯାଉଛି।
ଜଙ୍ଗଲ ନିଆଁ ଆୟାତ୍ତ କରିବାକୁ ରାଜ୍ୟରେ ୨୦,୪୬୧ କିଲୋମିଟର ଫାୟାର ଲାଇନ ସୃଷ୍ଟି କରାଯାଇଛି। ସେହିପରି ୩୩୪ଟି ବନାଗ୍ନି ସୁରକ୍ଷା ଦଳ ନିୟୋଜିତ କରାଯାଇଥିବା ବେଳେ, ଆପତ୍କାଳୀନ ପରିସ୍ଥିତି ପାଇଁ ୫,୦୦୦ ଟି ଲିଫ ବ୍ଲୋଅର ପ୍ରସ୍ତୁତ ରଖାଯାଇଛି।
ବନାଗ୍ନି ଉପରେ ଟେକ୍ନୋଲୋଜି ମାଧ୍ୟମରେ ନଜର ରଖିବାକୁ ଶିମିଳିପାଳ ଓ ରାଉରକେଲା ଅଞ୍ଚଳରେ ସିସିଟିଭି ଓ ସ୍ପେଶାଲ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥାନରେ ମିନି ଡ୍ରୋନ ମାଧ୍ୟମରେ ମଧ୍ୟ ନିଆଁର ନିରୀକ୍ଷଣ କରାଯାଉଛି।
ସଚେତନତା ଦୃଷ୍ଟିରୁ ୩୩୬ଟି ଗାଁରେ ଜଙ୍ଗଲ ନିଆଁ ବିରୋଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହାସହ ୨୦୦ ଜଣ NDRF କର୍ମଚାରୀଙ୍କୁ ବନାଗ୍ନି ନିୟନ୍ତ୍ରଣ ପାଇଁ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।ବନାଗ୍ନି ସମ୍ପର୍କିତ ସୂଚନା ଦେବା ପାଇଁ ବନ ବିଭାଗ ପକ୍ଷରୁ ଟୋଲ୍-ଫ୍ରି ନମ୍ବର ୧୮୦୦-୩୪୫-୭୧୫୮ ଜାରି କରାଯାଇଛି। କୌଣସି ସ୍ଥାନରେ ନିଆଁ ଲାଗିଲେ ସାଧାରଣ ଲୋକ ଏହି ନମ୍ବରରେ ତୁରନ୍ତ ସୂଚନା ଦେବାକୁ ବିଭାଗ ଅନୁରୋଧ କରିଛି।
ଏହି ଅବସରରେ ପିସିସିଏଫ (ମୁଖ୍ୟ) କେ. ମୁରୁଗେସନ ସତର୍କ କରାଇ କହିଛନ୍ତି ଯେ, ଜାଣିଶୁଣି କେହି ଯଦି ଜଙ୍ଗଲ ନିଆଁ ଲଗାଏ, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।