ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ,ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍

Spread the love

ଭୁବନେଶ୍ୱର,୦୫/୦୨:ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଉତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ସମୟାନୁସାରେ ସମ୍ପାଦନ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁଚାରୁ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତମାନଙ୍କ ଆରାଧ୍ୟ ଦେବତା। ତେଣୁ ରୀତିନୀତି ଓ ପୂଜାବିଧିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ହେବ ନାହିଁ।
ଚଳିତ ଫେବୃଆରୀ ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦିନ ଭାରି ଭିଡ଼ ହେବାର ସମ୍ଭାବନା ରହିଛି। ଜାଗର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଥିବାରୁ ଭିଡ଼କୁ ନିୟନ୍ତ୍ରଣ କରି ସମସ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଥିଲେ।

ଏହି ଆହ୍ୱାନର ସମାଧାନ ପାଇଁ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ମନ୍ଦିର ସେବାୟତ ଓ ନିଯୋଗସମୂହ, ସହ ଜନସାଧାରଣଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଥିବାରୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ସାମାନ୍ୟତମ ଅବ୍ୟବସ୍ଥା ମଧ୍ୟ ଅଘଟଣକୁ ଆମନ୍ତ୍ରଣ କରିପାରେ ବୋଲି ସତର୍କ କରାଯାଇଥିଲା।

ବୈଠକରେ ସେବାୟତ ଓ ନିଯୋଗସମୂହ ସହ ସମନ୍ୱୟ ରଖି ସଠିକ୍ ସମୟରେ ନୀତିକାନ୍ତି ସମାପନ, ପୂଜାବିଧି ପାଳନ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ମନ୍ଦିର ପରିସରରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ, ଅକ୍ସିଜେନ୍ ସୁବିଧା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ।ଏହାସହ ରୀତିନୀତି ସମ୍ପର୍କିତ ସୂଚନା ସମୟାନୁସାରେ ଟେଲିଭିଜନ, ରେଡିଓ, ମୁଦ୍ରଣ ଓ ଡିଜିଟାଲ ଗଣମାଧ୍ୟମ ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରସାରଣ କରାଯିବା ନେଇ ଆଲୋଚନା ହୋଇଥିଲା। ଜାଗର ଉତ୍ସବକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ।

ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Spread the love

Leave A Reply

Your email address will not be published.