ନୂଆଦିଲ୍ଲୀ: ମିଛ ବିବାହ ପ୍ରତିଶ୍ରୁତି ନାଁରେ ପାର୍ଟନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଜଣେ ବିବାହିତ ମହିଳା ବିବାହର ମିଛ ପ୍ରତିଶ୍ରୁତି ଆଧାରରେ ପାର୍ଟନରଙ୍କ ବିରୋଧରେ ସବୁ ପରିସ୍ଥିତିରେ ଦୁଷ୍କର୍ମ ମାମଲା କରିପାରିବେ ନାହିଁ।
ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୁୟାଁଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟ ଏହା ସହ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଷ୍କର୍ମ ମାମଲାକୁ ରଦ୍ଦ କରିଦେଇଛନ୍ତି।
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଆଇପିସି ଧାରା ୩୭୫ ଅନୁସାରେ କେବଳ ସେହି ସ୍ଥିତିରେ ଜଣେ ବ୍ୟକ୍ତିକୁ ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ, ଯେତେବେଳେ ପ୍ରମାଣ ମିଳିବ ଯେ ସେ ଆରମ୍ଭରୁ କେବଳ ଶାରୀରିକ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ବିବାହର ମିଛ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ ମାମଲାକୁ ଏହି ଶ୍ରେଣୀରେ ଧରାଯାଇପାରିବ ନାହିଁ ବୋଲି କୋର୍ଟ ମତ ଦେଇଛନ୍ତି।
ଏହି ମାମଲାରେ ସୁପ୍ରିମକୋର୍ଟ ଛତିଶଗଡ଼ ହାଇକୋର୍ଟଙ୍କ ପୂର୍ବତନ ରାୟକୁ ରଦ୍ଦ କରିଛନ୍ତି। ଛତିଶଗଡ଼ ହାଇକୋର୍ଟ ଅଭିଯୁକ୍ତ ଆଇନଜୀବୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ମନା କରିଥିଲେ। ଏହା ପରେ ଅଭିଯୁକ୍ତ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।
ଶୁଣାଣି ସମୟରେ ଜଷ୍ଟିସ ନାଗରତ୍ନା କହିଥିଲେ ଯେ, ପୀଡ଼ିତା ମହିଳା ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ଛାଡ଼ପତ୍ର ମାମଲା ଏବେ ବି କୋର୍ଟରେ ଚାଲିଛି। ସେ ଜଣେ ଆଇନଜୀବୀ ହୋଇଥିବାରୁ ଆଇନ ସମ୍ପର୍କରେ ଭଲଭାବେ ସଚେତନ ଥିବା କଥା କୋର୍ଟ ଉଲ୍ଲେଖ କରିଛନ୍ତି। ଉଭୟ ପକ୍ଷ ପରସ୍ପରର ବିବାହ ସ୍ଥିତି ବିଷୟରେ ଜଣାଥିଲା ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ଛତିଶଗଡ଼ର ୩୩ ବର୍ଷୀୟ ଜଣେ ବିବାହିତ ମହିଳା ଆଇନଜୀବୀ ଅନ୍ୟ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ମହିଳାଙ୍କର ପୂର୍ବରୁ ଜଣେ ପୁତ୍ର ସନ୍ତାନ ରହିଛି। ୨୦୨୨ ସେପ୍ଟେମ୍ବରରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା ଓ ୨୦୨୫ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଥିଲେ। ଏହି ସମୟରେ ଶାରୀରିକ ସମ୍ପର୍କ ରହିଥିବା ସହ ମହିଳା ଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ ଓ ପରେ ଗର୍ଭପାତ କରାଯାଇଥିଲା।
ପରବର୍ତ୍ତୀ ସମୟରେ ପରିବାରିକ ବିବାଦ ପରେ ମହିଳା ଜଣଙ୍କ ନିଜ ପାର୍ଟନରଙ୍କ ବିରୋଧରେ କୋର୍ଟର ଶରଣାପନ୍ନ ହୋଇଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।