ଭୁବନେଶ୍ୱର,୧୦/୦୨: ଆସନ୍ତା 12ରୁ ଓ 15 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡିଓ ମେଳା ।ଚାରି ଦିନ ଧରି ଆୟୋଜିତ ଏହି ରେଡିଓ ମେଳାରେ 3000 ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ ଓ ହାମ ରେଡିଓର ହେବ ପ୍ରଦର୍ଶନୀ। ଏନେଇ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି । ଦ୍ୱାଦଶ ଥର ପାଇଁ ଏହି ରେଡିଓ ମେଳା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଛି । ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ । ଅନେକ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ ।
ବିଗତ ବର୍ଷମାନଙ୍କ ପରି ଏଥର ମଧ୍ୟ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ୍ ରେଡ଼ିଓ ଅପରେଟର । ଏହି ଅପରେଟର ମାନେ ହାମ୍ ରେଡିଓ ସମେତ ଏମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି (ଓସଡମା) ପକ୍ଷରୁ ଓଡ୍ରାଫ ଓ ହାମ ରେଡ଼ିଓ ଅପରେଟର ମାନଙ୍କ ସହାୟତାରେ ଏପରି ଏକ ଷ୍ଟଲ ଖୋଲାଯିବ । ରେଡିଓ ମେଳାର ସବୁଠାରୁ ବଡ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରେଡ଼ିଓ ସଂଗ୍ରାହକ ମାନେ 3 ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିବେ । ପ୍ରତିବର୍ଷ ପରି ଏଥର ରେଡିଓ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍ ବିକ୍ରି ହେବ । ବଜାରରେ ସାଧାରଣତଃ ରେଡିଓ ମିଳୁନଥିବା ବେଳେ ରେଡିଓ ମେଳାରେ ପର୍ଯ୍ୟପ୍ତ ପରିମାଣରେ ରେଡିଓ ସେଟ୍ ବିକ୍ରି ଉଦେଶ୍ୟରେ ରଖାଯିବ । ଏହାଛଡା ମେଳାରେ ବିକ୍ରି ହେଉଥିବା ବହୁ ପୁରୁଣା ରେଡିଓ ମଧ୍ୟ ଆପଣ ନିଜର ଘର ପାଇଁ କିଣି ନେଇ ପାରିବେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ରେଡିଓ ମେଳାରେ ପୁରୁଣା ରେଡିଓ ମରାମତି କରାଯିବ । ଦିଲ୍ଲୀରୁ ଆସିଥିବା ଏୟାରୱେଭସ୍ କମ୍ପାନୀ ତରଫରୁ ରେଡିଓ ଟ୍ରାନ୍ସମିଟର ଓ ପ୍ରସାରଣ ସାମଗ୍ରୀ ପ୍ରଦର୍ଶିତ ହେବ । ଏହି ଷ୍ଟଲରେ ରେଡିଓ ପ୍ରସାରଣ କିପରି ହୁଏ ତାହା ଦର୍ଶକ ଦେଖିପାରିବେ । ଚଳିତ ବର୍ଷ ରେଡିଓ ମେଳା ଜରିଆରେ ସାଧାରଣ ଲୋକ ଓ ରେଡିଓ ଷ୍ଟେସନମାନଙ୍କୁ ସୌରଶକ୍ତିର ବ୍ୟବହାର ପାଇଁ ଉତ୍ସାହିତ କରାଯିବ । ଏନେଇ ଏକ ବିଶେଷ ଷ୍ଟଲ ଖୋଲାଯିବ ।
ମୁମ୍ବାଇରୁ ଆସିଥିବା ଫୋନୋଗ୍ରାଫିକ ପରଫରମାନ୍ସ ଇଣ୍ଡିଆ କମ୍ପାନୀ ପକ୍ଷରୁ ରେଡ଼ିଓ ମେଳାରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ । ଏହି ଷ୍ଟଲ ଜରିଆରେ ରେଡିଓରେ ଆଇନଗତ ସଂଗୀତ ପ୍ରସାରଣ ଉପରେ ସଚେତନତା ସୃଷ୍ଟି କରାଯିବ । ଏଥର ରେଡିଓ ମେଳାରେ ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ଯୋଗଦେଉଛନ୍ତି । କମ୍ୟୁନିଟି ରେଡିଓ ଜରିଆରେ ଗ୍ରାହକ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ। ଏହାଛଡା ଉପକୂଳବର୍ତ୍ତୀ ଜିଲ୍ଲାର ରେଡିଓ ପ୍ରସାରକ ମାନଙ୍କ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ଆଉଟରିଚ ପକ୍ଷରୁ ମିଳିତ ଭାବେ ଏକ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହୋଇଛି । ବିପର୍ଯ୍ୟୟ ସମୟରେ ରେଡିଓର ଭୂମିକା ସମ୍ପର୍କରେ ସଚେତନ କରିବା ପାଇଁ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦିଆଯିବ । ରେଡିଓ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି ରେଡିଓ ସମ୍ପର୍କିତ ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍ ।