ଗଞ୍ଜାମରେ ହେବ ଡ୍ରୋନ୍ ହବ୍: ୩୦୦ କୋଟିର ପ୍ରକଳ୍ପ ପାଇଁ ‘ଆଇଜି ଡିଫେନ୍ସ’କୁ ସରକାରୀ ମଞ୍ଜୁରି

Spread the love

ଭୁବନେଶ୍ୱର  : ଭାରତର ଅଗ୍ରଣୀ ସ୍ଵଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ, ‘ଆଇଜି ଡିଫେନ୍ସ’କୁ ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାରେ ୩୦୦ କୋଟି ଟଙ୍କାର ଏକ ଉନ୍ନତ ମାନର ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୪ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ରାଜ୍ୟର ଶିଳ୍ପ ଓ ଉତ୍ପାଦନ କ୍ଷେତ୍ରକୁ ମଜବୁତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ଏହି କେନ୍ଦ୍ରରେ ମୁଖ୍ୟତଃ ଉନ୍ନତ ମାନର ଚାଳକବିହୀନ ଡ୍ରୋନ୍ ସହ ଅନ୍ୟାନ୍ୟ ପ୍ରତିରକ୍ଷା ସରଞ୍ଜାମ ତିଆରି କରାଯିବ, ଯେଉଁଥିରେ ଯୁଦ୍ଧ ପାଇଁ ଆବଶ୍ୟକ ହେଉଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାକ୍ଟିକାଲ୍ ଡ୍ରୋନ୍ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଥିବା ଡିଆରଡିଓ ଲାବୋରେଟୋରୀ, ହାଲ କେନ୍ଦ୍ର, ଅର୍ଡନାନ୍ସ ଫ୍ୟାକ୍ଟ୍ରି ନେଟୱାର୍କ ଏବଂ ଗୋପାଳପୁର ଟେଷ୍ଟ୍ ରେଞ୍ଜ ଭଳି ପ୍ରତିରକ୍ଷା ଇକୋସିଷ୍ଟମର ସହାୟତା ନେଇ, ଏହି କେନ୍ଦ୍ରରେ ସ୍ଵଦେଶୀ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ଉପଯୋଗୀ ଚାଳକବିହୀନ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସରଞ୍ଜାମର ବିକାଶ କରାଯିବ। ଏହି ସବୁ ପ୍ରତିରକ୍ଷା ବ୍ୟବସ୍ଥା ଭାରତର ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ମଜବୁତ କରିବା ସହ ଭାରତର ବନ୍ଧୁ ରାଷ୍ଟ୍ରମାନଙ୍କୁ ମଧ୍ୟ ରପ୍ତାନି କରାଯିବ । ଦେଶର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ପୂରଣ କରିବା ଏବଂ ଘରୋଇ ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବଢ଼ାଇବା ଦିଗରେ ଏହି ପ୍ରକଳ୍ପ ଏକ ବଡ଼ ପଦକ୍ଷେପ ।
ଏହି ଅନୁମୋଦନ ଆଇଜି ଡିଫେନ୍ସକୁ ଓଡ଼ିଶାର ବଢୁଥିବା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ଭିତ୍ତିଭୂମିରେ ଏକ ମୁଖ୍ୟ ଅଂଶୀଦାର କରିଛି । ରାଜ୍ୟରେ ନିଜର କାର‌୍ୟ୍ୟ ଆରମ୍ଭ କରି, କମ୍ପାନୀ ଓଡ଼ିଶାର ସବୁ ଅଞ୍ଚଳରେ ଶିଳ୍ପ ବିକାଶ କରିବା ସହ ନୂତନ ଭିତ୍ତିଭୂମିର ଲାଭ ଉଠାଇ ଉଚ୍ଚ-ପ୍ରଯୁକ୍ତି ସମ୍ପନ୍ନ ଉତ୍ପାଦନରେ ସହଯୋଗ କରିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ ଏବଂ ଓଡ଼ିଶା ସରକାରଙ୍କ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ସମକକ୍ଷ, ଏହି ପ୍ରକଳ୍ପ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ନିଜସ୍ୱ ଟେକ୍ନୋଲୋଜି ଉପରେ ଆଧାରିତ ଆଇଜି ଡିଫେନ୍ସ, ପ୍ରକୃତ ଯୁଦ୍ଧ ପରିସ୍ଥିତିରେ କାମ କରିପାରୁଥିବା ସିଷ୍ଟମ୍ ତିଆରି କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ‘ଅପରେସନ୍ ସିନ୍ଦୂର’ ସମେତ ଅନେକ କ୍ଷେତ୍ରରେ ଏହାର ଡ୍ରୋନ୍ ଏବଂ କାଉଣ୍ଟର-ଡ୍ରୋନ ସଫଳତାର ସହ ପରୀକ୍ଷା କରାଯାଇଛି ଏବଂ ଏମାନଙ୍କର କିଛି ପ୍ୟାଟେଣ୍ଟ୍ ପ୍ରାପ୍ତ ଡ୍ରୋନ୍‌କୁ ଭାରତୀୟ ସେନା ଓ ନୌସେନାରେ ସାମିଲ କରାଯାଇଛି । କମ୍ପାନୀ ନିଜସ୍ୱ ଗବେଷଣା ଦ୍ୱାରା ପ୍ରସ୍ତୁତ ଜ୍ଞାନକୌଶଳକୁ ବାସ୍ତବ ଯୁଦ୍ଧ ଉପଯୋଗୀ ସମାଧାନରେ ପରିଣତ କରୁଛି ଏବଂ ସମଗ୍ର ଭାରତରେ ନିଜର ଉତ୍ପାଦନ କେନ୍ଦ୍ର ସମ୍ପ୍ରସାରଣ କରୁଛି ।
ନିକଟରେ, ଆଇଜି ଡିଫେନ୍ସକୁ ବିଭିନ୍ନ ସୁରକ୍ଷା ବାହିନୀ ପକ୍ଷରୁ ୫,୦୦୦ରୁ ଅଧିକ ଏଫପିଭି କାମିକାଜେ ଷ୍ଟ୍ରାଇକର୍ ଡ୍ରୋନ୍ ଯୋଗାଇବା ପାଇଁ ଅର୍ଡର ମିଳିଛି, ଯାହା ପ୍ରମାଣ କରୁଛି ଯେ କମ୍ପାନୀର ଯୁଦ୍ଧ ଉପଯୋଗୀ ଡ୍ରୋନ୍ ଉପରେ ଭରସା ବଢୁଛି । ଏଥିରେ ବିସ୍ଫୋରକ ବହନ କରିପାରୁଥିବା ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରିପାରୁଥିବା ‘କାମିକାଜେ ଏଫପିଭି’ ଡ୍ରୋନ୍ ଅନ୍ତର୍ଭୁକ୍ତ, ଯାହା ଆଇଜି ଡିଫେନ୍ସକୁ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଉପକରଣ ଯୋଗାଣରେ ଏକ ବିଶ୍ୱସ୍ତ କମ୍ପାନୀ ଭାବେ ପ୍ରତିଷ୍ଠିତ କରିଛି ।
ଓଡ଼ିଶାର ଏହି ନୂତନ କାରଖାନା ଆଇଜି ଡିଫେନ୍ସର ଜାତୀୟ ଉତ୍ପାଦନ ନେଟୱାର୍କକୁ ଆହୁରି ମଜବୁତ କରିବ ଏବଂ ଭାରତୀୟ ସେନା ବାହିନୀର ଆବଶ୍ୟକତା ମେଣ୍ଟାଇବା ପାଇଁ ‘ମେକ୍-ଇନ୍-ଇଣ୍ଡିଆ’ ବା ଦେଶୀୟ ଉପାୟରେ ନିର୍ମିତ ନିର୍ଭରଯୋଗ୍ୟ ଡ୍ରୋନ୍ ଯୋଗାଣରେ ସହାୟକ ହେବ । ଏହା ସହିତ, ଆଞ୍ଚଳିକ ସୁରକ୍ଷା ପାଇଁ ଅନ୍ୟ ଦେଶମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ ରପ୍ତାନି କରିବାରେ ସାହାଯ୍ୟ କରିବ ।
ଏହି ଅନୁମୋଦନ ବିଷୟରେ ମତ ଦେଇ ଆଇଜି ଡିଫେନ୍ସର ବରିଷ୍ଠ ଉପାଧ୍ୟକ୍ଷ ମେଜର ଜେନେରାଲ ଆର୍.ସି. ପାଢୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ଏହି ଅନୁମୋଦନ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଇଜି ଡିଫେନ୍ସ ଉପରେ ଥିବା ବିଶ୍ୱାସକୁ ଆହୁରି ଦୃଢ଼ କରିଛି । ଏହି କାରଖାନା ଦେଶୀୟ ଉତ୍ପାଦନକୁ ମଜବୁତ କରିବା ଏବଂ ଅତ୍ୟାବଶ୍ୟକ ସିଷ୍ଟମ୍‌ର ନିଶ୍ଚିତ ଯୋଗାଣ ପାଇଁ ଏକ ରଣନୀତିକ ପଦକ୍ଷେପ। ସେନା ବାହିନୀର ବାସ୍ତବ ଆବଶ୍ୟକତାକୁ ପୂରଣ କରିବା ଭଳି ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ପାଇଁ ଆମର ଯେଉଁ ଦୀର୍ଘମିଆଦି ପ୍ରତିଶ୍ରୁତି ରହିଛି, ତାହା ଏଥିରୁ ପ୍ରତିଫଳିତ ହେଉଛି।”
ଏହି ପର‌୍ୟ୍ୟାୟରେ ଓଡ଼ିଶା ସରକାର ମୋଟ ୪,୧୧୧.୮୦ କୋଟି ଟଙ୍କାର ଶିଳ୍ପ ନିବେଶକୁ ମଞ୍ଜୁରୀ ଦେଇ, ରାଜ୍ୟକୁ ପରବର୍ତ୍ତୀ ପିଢ଼ିର ଉତ୍ପାଦନ କେନ୍ଦ୍ର ଭାବରେ ଗଢି ତୋଳିବାର ସ୍ଥିତିକୁ ମଜବୁତ କରିଛନ୍ତି । ଆଇଜି ଡିଫେନ୍ସର ଏହି ନିବେଶ ଓଡ଼ିଶାର ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଗତିଶୀଳ କରିବ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ଏକ ମଜବୁତ ତଥା ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଉତ୍ପାଦନ ବେସ୍ ନିର୍ମାଣ କରିବାରେ ଭାରତର ବ୍ୟାପକ ଲକ୍ଷ୍ୟକୁ ସମର୍ଥନ କରିବ ।


Spread the love

Leave A Reply

Your email address will not be published.