ଆର୍ଥିକ ସେବାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଡାକ ବିଭାଗ ଏବଂ NSE ମଧ୍ୟରେ ଏମଓୟୁ

Spread the love

ଭୁବନେଶ୍ୱର: ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ, ଡାକ ବିଭାଗ (ଡିଓପି) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ମଧ୍ୟରେ ଏନଏସଇ ଏମଏଫ ଇନ୍‌ଭେଷ୍ଟ ପ୍ଲାଟଫର୍ମ ଉପରେ ସହଭାଗିତା କରିବା ପାଇଁ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଯାହାକି ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଅଗ୍ରଗତି ଏବଂ ଅର୍ନ୍ତୋଦୟ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସହଭାଗିତା ବିଶେଷ କରି ଗ୍ରାମାଂଚଳ ଓ ଅର୍ଦ୍ଧସହରାଂଚଳରେ ଲକ୍ଷ ଲକ୍ଷ ଭାରତୀୟଙ୍କ କ୍ଷୁଦ୍ର ସଂଚୟକୁ ମ୍ୟୁଚୁଆଲ ଫଣ୍ଡ ନିବେଶ ମାଧ୍ୟମରେ ସଂରଚିତ ସମ୍ପତି ସୃଷ୍ଟି ସୁଯୋଗରେ ରୂପାନ୍ତର କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି ଏମଓୟୁ ଏନଏସଇର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଆଶିଷ କୁମାର ଚୌହାନଙ୍କ ଉପସ୍ଥିତିରେ ଡାକ ବିଭାଗର (ସିଟିଜେନ ସେଂଟ୍ରିକ ସର୍ଭିସେସ ଆଣ୍ଡ ରୁରାଲ ବିଜ୍‌ନେସ୍‌) ମହାପ୍ରବନ୍ଧକ ମନିଷା ବଂଶଲ ବାଦଲ ଓ ଏନଏସଇର ମୁଖ୍ୟ ବାଣିଜ୍ୟିକ ବିକାଶ ଅଧିକାରୀ (ସିବିଡିଓ) ଶ୍ରୀ ଶ୍ରୀରାମ କ୍ରିଷ୍ଣନଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ସହଭାଗିତା ସମ୍ପର୍କରେ ଏନଏସଇ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ କହିଛନ୍ତି, “ଆମେ ପୁଞ୍ଜି ବଜାରଗୁଡିକ ପାଇଁ ପହଂଚକୁ ଗଣତାନ୍ତ୍ରିକ କରିବା ଲାଗି ଡାକ ବିଭାଗ ସହ ସହଭାଗିତା କରି ଗର୍ବିତ । ଏନଏସଇ ଏମଏଫ ଇନ୍‌ଭେଷ୍ଟର ସୁଦୃଢ ପ୍ଲାଟଫର୍ମ, ଇଣ୍ଡିଆ ପୋଷ୍ଟର ଅତୁଳନୀୟ ପହଂଚ ସହ ଏକୀକୃତ ହୋଇ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ ଯେଉଁଠାରେ ପ୍ରତ୍ୟେକ କ୍ଷୁଦ୍ର ସଂଚୟକାରୀ ଜଣେ ସମ୍ପତି ସୃଷ୍ଟିକାରୀ ହୋଇପାରିବେ ।” ସେହିପରି ଡାକ ବିଭାଗର ଜିଏମ ମନିଷା ବଂଶଲ ବାଦଲ କହିଛନ୍ତି, “ ଭାରତୀୟ ଡାକ ବିଭାଗ ସବୁବେଳେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଓ ନାଗରିକ-କେନ୍ଦ୍ରିତ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

ଏନଏସଇ ସହ ଏହି ସହଭାଗିତା ଇଣ୍ଡିଆ ପୋଷ୍ଟକୁ ନିବେଶକ ସୁରକ୍ଷା, ସ୍ୱଚ୍ଛତା ଓ ନିୟାମକ ଅନୁପାଳନର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ଏହାର ଗ୍ରାହକଙ୍କୁ ଆଧୁନିକ ନିବେଶ ସମାଧାନ ପ୍ରଦାନ କରିବା ପାଇଁ ସକ୍ଷମ କରିବ ।” ଏନଏସଇ ସିବିଡିଓ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ସହଜ ଏକତ୍ରିକରଣ, ପ୍ରଶିକ୍ଷଣ ଓ ସହଯୋଗ ପାଇଁ ଆମର ପ୍ରତିବଦ୍ଧତା, ଇଣ୍ଡିଆ ପୋଷ୍ଟ ଯେପରିକି ବିତରଣ ଉପରେ ଗୁରୁତ୍ୱ ଦେଇପାରିବ ତାହା ନିଶ୍ଚିତ କରିବ ଏବଂ ଆମେ ଟେକ୍ନୋଲୋଜି କ୍ଷେତ୍ର ନିୟନ୍ତ୍ରଣ କରିବୁ ।” ଏହି ଚୁକ୍ତି ଅଧିନରେ ଏନଏସଇ ଇ-କେୱାଇସି, ଅନ୍‌ବୋର୍ଡିଙ୍ଗ, ଟ୍ରାଞ୍ଜାକ୍ସନ ଓ ବ୍ୟାକ୍‌ଏଣ୍ଡ ଅପରେଶନକୁ କଭର କରୁଥିବା ଏକ ଇଂଟିଗ୍ରେଟେଡ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ପ୍ଲାଟଫର୍ମ ପ୍ରଦାନ କରିବ । ଏହା ୨୫୦୦ରୁ ଅଧିକ ଇଣ୍ଡିଆ ପୋଷ୍ଟ କର୍ମଚାରୀଙ୍କ ପାଇଁ ଏନଆଇଏସଏମ ସାର୍ଟିଫିକେଶନ ଓ ଇୟୁଆଇଏନ ପଞ୍ଜୀକରଣ ପାଇଁ ପାଣ୍ଠି ପ୍ରଦାନ କରିବ ଏବଂ ସହଜ କାର୍ଯ୍ୟକାରିତା ନିଶ୍ଚିତ କରିବା ପାଇଁ ପୋଷ୍ଟାଲ ସର୍କଲଗୁଡିକରେ ଡେଡିକେଟେଡ ଟେକ୍ନିକାଲ ସପୋର୍ଟ ଟିମ୍ ନିଯୁକ୍ତ କରିବ । ଏହାର ରୋଲ୍‌ଆଉଟ ବିସ୍ତୃତ ଇକୋସିଷ୍ଟମରେ ବିସ୍ତାର ହେବା ପୂର୍ବରୁ ପ୍ରଥମ ଥର ଓ ଡିଆଇୱାଇ ନିବେଶକଙ୍କ ପାଇଁ ସରଳ, କ୍ଷୁଦ୍ର ଟିକେଟ ମ୍ୟୁଚୁଆଲ ଫଣ୍ଡ ଉତ୍ପାଦ ସହ ଆରମ୍ଭ ହେବ ।


Spread the love

Leave A Reply

Your email address will not be published.