ବ୍ରହ୍ମପୁର, ଫେବୃଆରୀ ୧୬ : ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା ବେଳେ ଏହା ଉତମ ଓ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ସମସ୍ତ ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ।
ଶନିବାର ଶିତଳାପଲ୍ଲୀସ୍ଥିତ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୩ର ଦ୍ୱିତୀୟ ବାର୍ଷିକ ଉତ୍ସବ “ଲୁମିନା ୨୦୨୬”ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ଏହି ହସ୍ପିଟାଲ୍ ଖୁବ୍ କମ୍ ସମୟ ମଧ୍ୟରେ ଲୋକମାନଙ୍କୁ ଉତମ ଚିକିତ୍ସା ଓ ଉତ୍କର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ନିଜକୁ ପ୍ରତିପାଦିତ କରିପାରିଛି । ହସ୍ପିଟାଲ୍ର ଏନ୍ଏବିଏଚ୍ ସ୍ୱୀକୃତି ହାସଲ ଏହାର ପ୍ରମାଣ ।
ଶ୍ରୀମତି ଦାସ କହିଥିଲେ ଯେ ଶିତଳାପଲ୍ଲୀ ସମ ହସ୍ପିଟାଲ ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବେଶ ସଫଳ ହୋଇଛି । ସମସ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଉତ୍ସର୍ଗୀକୃତ ସେବା ଏବଂ କଠିନ ପରିଶ୍ରମ ଆଜି ହସ୍ପିଟାଲ୍କୁ ଏହି ସ୍ଥାନରେ ପହଂଚାଇପାରିଛି ବୋଲି ସେ କହିଥିଲେ ।
ଏହି ମଲ୍ଟି ସୁପରସ୍ପେଶିଆଲିଟି ହସ୍ପିଟାଲ ୨୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଆଗାମୀ ଦିନରେ ଆଉ ୫୦୦ ଶଯ୍ୟା ବୃଦ୍ଧି ହେବାର ଯୋଜନା ରହିଛି ଯାହାକି ଦକ୍ଷିଣ ଓଡ଼ିଶାର ରୋଗୀମାନଙ୍କ ନିମନ୍ତେ ଅତ୍ୟନ୍ତ ସହାୟକ ହେବ ବୋଲି ଶ୍ରୀମତି ଦାସ କହିଥିଲେ ।
ଏହି ଅବସରରେ ଶ୍ରୀମତି ଦାସ ହୃଦରୋଗ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ କ୍ୟାଥଲ୍ୟାବ୍ ଓ ସିଟିଭିଏସ୍ ଓଟି ଉଦ୍ଘାଟନ କରିଥିଲେ । ଏଭଳି ସେବା ଦ୍ୱାରା ବିଶ୍ୱସ୍ତରୀୟ ହୃଦରୋଗ ଚିକିତ୍ସା ଯୋଗାଇ ଦେବା ଆମର ସଂକଳ୍ପ ବୋଲି ସେ କହିଥିଲେ ।
ଏହି ଅବସରରେ ହସ୍ପିଟାଲର ସମସ୍ତ କର୍ମକର୍ତା, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ୪ଟି ହସ୍ପିଟାଲ ମଧ୍ୟରୁ ଦୁଇଟି ଡାକ୍ତରୀ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଦୁଇଟି ରୋଗୀମାନଙ୍କୁ ଉତ୍କୃଷ୍ଟମାନର ସେବା ଯୋଗାଉଛି ବୋଲି କହିଥିଲେ । ଏହା ମଧ୍ୟରୁ ଶିତଳାପଲ୍ଲୀ ସମ୍ ହସ୍ପିଟାଲ୍ ରୋଗୀ ସେବା କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ସେ କହିଥିଲେ ।
ସୋଆ ବର୍ତମାନ ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ବେଳେ କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ପରିପ୍ରେକ୍ଷୀରେ ସ୍ମରଣୀକା “ଲୁମିନା ୨୦୨୬” ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ସୋଆର ସଦସ୍ୟା ଶ୍ରୀମତି ଉପାସନା ନାୟକ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ ସମ ହସ୍ପିଟାଲର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସ ନିଜ ବକ୍ତବ୍ୟରେ ହସ୍ପିଟାଲର କାର୍ଯ୍ୟଧାରା, ରୋଗୀ ସେବା ଓ ଅଗ୍ରଗତି କ୍ଷେତ୍ରରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଅଯୋଧ୍ୟାନାଥ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଅର୍ଚ୍ଚନା ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ହସ୍ପିଟାଲର ଅନ୍ୟାନ୍ୟ କର୍ମକର୍ତା ଓ କର୍ମଚାରୀଙ୍କୁ ମଧ୍ୟ ଅତିଥିମାନେ ସମ୍ମାନିତ କରିଥିଲେ ।