ଜୀବନ ଓ ଜୀବିକାକୁ ସୁଦୃଢ଼ କରିବା ପାଇଁ ଆଦିବାସୀ ସମୁଦାୟଙ୍କର ସାମୁହିକ ସଙ୍କଳ୍ପ

Spread the love

ରାୟଗଡ଼ା: ବିଷମକଟକରେ ତିନି ଦିନ ଧରି ଆୟୋଜିତ ଗ୍ରାମୀଣ ଚର୍ଚ୍ଚା-୨୦୨୬ ଉତ୍ସାହ ଓ ଆଶାଭରା ପରିବେଶରେ ଶେଷ ହୋଇଛି। ଏଥିରେ ଆଦିବାସୀଙ୍କ ଜୀବନ ଓ ସେମାନଙ୍କର ଜୀବିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡିଶା ସମେତ ୭ଟି ରାଜ୍ୟର ଆଦିବାସୀ ସମୁଦାୟଙ୍କ ନେତୃବୃନ୍ଦ, ମହିଳା ଓ ଯୁବବର୍ଗ ଏକତ୍ରିତ ହୋଇ ଏକ ବିକାଶର ନକ୍ସା ପ୍ରସ୍ତୁତ କରିଛନ୍ତି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବହୁମାନ୍ୟଗଣ ସମାଜସେବୀ, ସ୍ୱେଚ୍ଚାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଏବଂ ସ୍ଥାନୀୟ ପଂଚାୟତ ରାଜ ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇଥିଲେ। ମାନ୍ୟବର ବ୍ଲକ୍ ଉନ୍ନୟନ ଅଧିକାରୀ, ବିଷମକଟକ ସଭାରେ ଯୋଗଦାନ କରି ଗ୍ରାମୀଣ ଅର୍ଥନୀତି, ପାରମ୍ପରିକ କୃଷି, ଦେଶୀ ଖାଦ୍ୟ ପଦ୍ଧତି ଓ ସ୍ଥାନୀୟ ଜ୍ଞାନର ସୁରକ୍ଷା ଏବଂ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟ ଅତିଥିଗଣ ତଥା ବକ୍ତାମାନେ ଜଳବାୟୁ ପରିବର୍ତନର ପରିପ୍ରେକ୍ଷିରେ ପାରମ୍ପରିକ ଜ୍ଞାନକୁ ଆଧାର କରି ସହନଶୀଳ ଓ ସ୍ୱାବଳମ୍ବୀ ଜୀବିକା ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଏହି ଅବସରରେ, ଗ୍ରାମୀଣ ଚର୍ଚ୍ଚା-୨୦୨୬ ର କାର୍ଯ୍ୟକ୍ରମର ପାଂଚଟି ମୁଖ୍ୟ ସ୍ତମ୍ଭ ଉପସ୍ଥାପାନ କରାଯାଇଥିଲା । ସେଗୁଡିକ ହେଲା- ଜଳସେଚନ, ପାନୀୟ ଜଳ ବ୍ୟବସ୍ଥା, ସ୍ଥାନୀୟ ପୁଞ୍ଜିନିବେଶ ଓ ସଂଚୟ ପ୍ରୋତ୍ସାହନ, ଗ୍ରାମସଭା ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଯୁବବର୍ଗ ଓ ମହିଳା ମାନଙ୍କୁ ସ୍ଥାନୀୟ ଉଦ୍ୟୋଗରେ ସାମିଲ କରିବା। ଆୟୋଜକମାନଙ୍କ ମତାନୁସାରେ, ଗ୍ରାମୀଣ ଚର୍ଚ୍ଚା କେବଳ ଏକ ଆଲୋଚନାର ମଂଚ ନୁହେଁ, ବରଂ ଏହା ଗ୍ରାମୀଣ ମାନସିକତା, ସ୍ଥାନୀୟ ସମ୍ବଳ ଓ ପାରମ୍ପରିକ ଜ୍ଞାନକୁ ଯୋଜନା ପ୍ରକ୍ରିୟା ସହ ସଂଯୋଗ କରିବାର ଏକ ସକ୍ରିୟ ପ୍ରୟାସ। ଶେଷରେ କୃଷି ବିବିଧତା, ହସ୍ତଶିଳ୍ପ, ଯୁବ ନେତୃତ୍ୱ ଓ ସମୁଦାୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀମାନେ ସାମୁହିକ ଭାବେ ସଙ୍କଳ୍ପ ପୁନରୁଚ୍ଚାରଣ କରିଥିଲେ।


Spread the love

Leave A Reply

Your email address will not be published.