ଭୁବନେଶ୍ଵର,୦୫/୦୩:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ବିଜୁ ବାବୁଙ୍କ ଦୂରଦୃଷ୍ଟି ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କର ସଂକଳ୍ପକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁଙ୍କ ଜୀବନ ସଂଘର୍ଷମୟ ଥିଲା । ସେ କେବେବି ସମ୍ମାନ ଓ ସ୍ୱାଭିମାନ ସହିତ ସାଲିସ କରିନାହାଁନ୍ତି । ଓଡ଼ିଶାକୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ସେ ସେବା ସହିତ ବିକାଶକୁ ସବୁବେଳେ ପ୍ରାଥମିକତା ଦେଇ ଆସିଥିଲେ । ବିଜୁ ବାବୁଙ୍କର ଅନେକ ସ୍ୱପ୍ନ ଆଜି ବି ଅଧୁରା ରହିଛି । ଆମ ସରକାର ସେହି ସବୁ ସ୍ୱପ୍ନକୁ ପୂରଣ କରିବା ପାଇଁ ବଦ୍ଧପରିକର । ବିଜୁ ବାବୁଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ କରିବା ପାଇଁ ଆମେ ସଂକଳ୍ପ ନେଇଛୁ । ଲୋକଙ୍କ ସେବା ଏବଂ ବିକାଶ ହିଁ ଆମ ଶାସନର ମୂଳମନ୍ତ୍ର ହେବ, ଯାହା ବିଜୁ ବାବୁ ଚାହୁଁଥିଲେ ।