ନିଆଁଲାଗି ଜଳିଗଲା ଏକାଧିକ ଦୋକାନ

Spread the love

ଅନୁଗୁଳ,୧୨/୦୩: ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅଧୀନସ୍ଥ ମଦନମୋହନ ମାର୍କେଟରେ ଆଜି ଅପରାହ୍ନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ୍‌ ଭିତରେ ଥିବା “କଟକ ସ୍ୱିଟ୍ସ୍” ମିଠା ଦୋକାନରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ଲାଗିଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ କିଛି ମିନିଟ୍‌ ମଧ୍ୟରେ ନିଆଁ ଭୟଙ୍କର ଆକାର ଧାରଣ କରିଥିଲା ଏବଂ ମିଠା ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ, ଦୋକାନରେ ଗ୍ୟାସ୍ ଚୁଲିରେ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପକାଯାଉଥିବା ସମୟରେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଦୋକାନରୁ ନିଆଁ ଚାରିପାଖକୁ ଭିନ୍ନ ଦୋକାନକୁ ଛଡାଇଯାଇଥିଲା। ଏହାର ଫଳରେ ମାର୍କେଟରେ ଥିବା ପ୍ରାୟ ୧୦ ରୁ ଅଧିକ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖାଯାଇଛି। କେତେକ ଦୋକାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଦମକଳ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ସହିତ ଆଉ ଦୋକାନକୁ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ।

ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ଭିଡ଼ କରି ଘଟଣାସ୍ଥଳରେ ଜମାହେବା ସହିତ ଦୋକାନୀମାନେ ନିଜ ଦୋକାନର ସାମଗ୍ରୀ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ଟଙ୍କାର କ୍ଷତି ହୋଇଛି ଓ କାହାର ଜୀବନହାନି ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।


Spread the love

Leave A Reply

Your email address will not be published.