ଭୁବନେଶ୍ଵର,୧୫/୦୩:ଆସନ୍ତାକାଲି ହେବାକୁଥିବା ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ଆଜି ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯାଉଛି । ସନ୍ଧ୍ୟା ସମୟରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତାଙ୍କ ନିବାସସ୍ଥାନ ନବୀନ ନିବାସରେ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।ସନ୍ଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବାକୁ ଥିବା ବେଳେ, ଏଥିରେ ଦଳୀୟ ବିଧାୟକମାନଙ୍କୁ ଭୋଟିଂ ପ୍ରକ୍ରିୟା ବିଷୟରେ ଶେଷ ନିର୍ଦ୍ଦେଶ ଦିଆଯିବ । ଆସନ୍ତାକାଲିର ନିର୍ବାଚନ ପୂର୍ବରୁ କୌଣସି ଭୋଟ୍ ନାକଚ ନ ହେଉ, ସେଥିପାଇଁ ବିଶେଷ ଜୋର ଦେଉଛି ଦଳ ।
ଏପରିକି ଗତ ଦୁଇଦିନ ଧରି ବିଜେଡି ପକ୍ଷରୁ ବିଧାୟକମାନଙ୍କୁ ଭୋଟ ଦେବା ପ୍ରକ୍ରିୟା ନେଇ ତାଲିମ ଦିଆଯାଉଛି । ଗତକାଲି ବିଧାୟକମାନେ ଓଡ଼ିଶା ବିଧାନସଭା ପରିସରକୁ ଯାଇ ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟ ଦେଖିଥିଲେ ।ଭୁଲ ଭୋଟିଂ ଏଡ଼ାଇବା ପାଇଁ ଦଳ ପକ୍ଷରୁ ମକ୍ ଭୋଟିଂ ମଧ୍ୟ କରାଯାଇଛି ।
ସୂଚନା ଅନୁସାରେ, ନବୀନ ନିବାସରେ ହୋଇଥିବା ପୂର୍ବବର୍ତ୍ତୀ ବୈଠକରେ ପ୍ରାୟ ୩୮ ଜଣ ବିଜେଡି ବିଧାୟକ ଯୋଗଦେଇଥିଲେ ।ବୈଠକ ପରେ କଳିକେଶ ନାରାୟଣ ସିଂହ ଦେଓ ଓ ମୋନାହର ରାନ୍ଧାରି ପ୍ରତିକ୍ରିୟା ରଖି କହିଥିଲେ ଯେ ରାଜ୍ୟସଭା ଭୋଟିଂ ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।ଦଳୀୟ ସୂତ୍ର ଅନୁଯାୟୀ, ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଶୃଙ୍ଖଳାବଦ୍ଧ ଭାବେ ଓ ସଠିକ୍ ପ୍ରକ୍ରିୟାରେ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି ।
Prev Post