Ganesh Bazar Market ଗଣେଶ ବଜାରର ବଦଳୁନି ଭାଗ୍ୟ !
ଦୁର୍ଦ୍ଦିନରେ ପରିବା ବ୍ୟବସାୟୀ
ଢେଙ୍କାନାଳ(Dhenkanal) (ଦେବାଶିଷ ଅମାନ୍ତ)୧୯/୩ : ସ୍ଥାନୀୟ ଗଣେଷବଜାର(Ganesh Bazar) ଏବେ ନାନା ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛି। ଦୀର୍ଘ ଦିନର ବଜାର(Market) ହୋଇଥିଲେ ମଧ୍ୟ ବ୍ୟବସାୟୀଙ୍କୁ ସାଧାରଣ ସୁବିଧା ମଧ୍ୟ ମିଳିପାରୁନି । ପସରା ମେଲିବା ପାଇଁ ପକ୍ଷ୍ମା ପିଣ୍ଡି, ମୁଣ୍ଡ ଗୁଞ୍ଜିବା ପାଇଁ ଛପର ଅବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ମଧ୍ୟ ମିଳୁନି । ଫଳରେ ପରିବା ବ୍ୟବସାୟୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗଣେଷ ବଜାରର ପରିବା ମାର୍କେଟ୍ ପ୍ରାୟ ୫୦ ବର୍ଷ ପୁରୁଣ। ଏଠାରେ ରାତି ପାହିବା ମାତ୍ରେ ଆରମ୍ଭ ହୁଏ କିଣାବିକା ଓ ଦର କଷାକଷି। ସ୍ଥାନୀୟ ଚାଷୀମାନେ ନିଜର ଉତ୍ପାଦିତ ପରିବାକୁ ଏଠାରେ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ବେଳେ ଅନ୍ୟ କେତେଜଣ ଖୁଚୁରା ଭାବେ ଗରାଖଙ୍କୁ ବିକିଥାନ୍ତି। ସମାନ ଭାବେ ବ୍ୟସାୟୀମାନେ ଚାଷୀଙ୍କ ଠାରୁ ପରିବା ମୂଲାଇ ନେଉଥିବା ବେଳେ ଅନ୍ୟ କେତେଜଣ ପ୍ରତ୍ୟେହ ସନକପୁର, କଟକ ଓ ଅନୁଗୁଳ ଆଦି ଅଞ୍ଚଳଳରୁ ଗାଡ଼ି ଯୋଗେ ପରିବା ଆମଦାନୀ କରିଥାନ୍ତି। ଫଳରେ ଏଠାରେ ଦୈନିକ ବହୁ ଜନସମାଗମ ହୋଇଥାଏ। ଏସବୁ ସତ୍ତ୍ୱେ ଏହି ପରିବା ବଜାରର ଭାଗ୍ୟ ବଦଳୁନି। ଯାହାକୁ ନେଇ ସ୍ଥାନୀୟ ବ୍ୟବସାୟୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଗଣେଷ ବଜାରରେ ବ୍ୟବସାୟୀଙ୍କ ପାଇଁ କୌଣସି ପକ୍କା ପିଣ୍ଡି ଅବା ଛପରର ବ୍ୟବସ୍ଥା ହୋଇନି। ଫଳରେ ପରିବା, ଫଳ ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ପଲିଥିନ୍ ଟାଣି ତଳେ ପସରା ମେଲୁଛନ୍ତି। ଫଳରେ ସେମାନଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଛି। ବିଶେଷ କରି ବର୍ଷା ହେଲେ ବଜାରଟି ସମ୍ପୂର୍ଣ୍ଣ କାଦୁଅହୋଇଯାଉଛି। ଫଳରେ ଏହି ସମୟରେ ଗ୍ରାହକଙ୍କ ସଂଖ୍ୟା କମୁଛି ଏବଂ ଏହାର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ପଡ଼ୁଛି। ଦିନତମାମ୍ ସେମାନଙ୍କୁ ପାଣି କାଦୁଅରେ ଘାଣ୍ଟି ହେବାକୁ ମଧ୍ୟ ପଡ଼ୁଛି। ଏହାଛଡ଼ା, ନିୟମିତ ଆବର୍ଜନା ସଫେଇ ହେଉନି। ତେବେ ସମସ୍ୟାର ସମାଧାନ ଦେଇ ବ୍ୟବସାୟୀମାନେ ଦାବି କରିଛନ୍ତି। ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଏହାର ସମାଧାନ ନେଇ ସ୍ବତନ୍ତ୍ର ଯୋଜନା ନିମନ୍ତେ ଜଣେ ପରିବା ବ୍ୟବସାୟୀ ନିବେଦନ କରିଛନ୍ତି।