MAGAJI LADOO ମକର ସଂକ୍ରାନ୍ତି ରେ ପ୍ରସିଦ୍ଧ ମଗଜି ଲଡୁ
ମକର ସଂକ୍ରାନ୍ତି ରେ ପ୍ରସିଦ୍ଧ ମଗଜି ଲଡୁ
ଢେଙ୍କାନାଳ, (୦୪।୦୧।୨୦୨୬) ସୁଜିତ କୁମାର ଦେବତା : ଢେଙ୍କାନାଳର ମଗଜି ଲଡୁ ଏକ ପ୍ରସିଦ୍ଧ ପାରମ୍ପରିକ ମିଷ୍ଟାନ, ଯାହା ଏହାର ସ୍ୱତନ୍ତ୍ର ସ୍ୱାଦ ପାଇଁ କେବଳ ଓଡିଶା ନୁହେଁ, ସାରା ଦେଶରେ ପରିଚିତ । ଏହାର ଲୋକପ୍ରିୟତାର କିଛି ପ୍ରମୁଖ କାରଣ ହେଉଛି ଜିଆଇ ଟ୍ୟାଗ ମାନ୍ୟତା । ଜାନୁଆରୀ ୩, ୨୦୨୪ରେ ଏହାକୁ ଭୌଗୋଳିକ ସଙ୍କେତ ମିଳିବା ପରେ ଏହାର ଲୋକପ୍ରିୟତା ବହୁଗୁଣିତ ହୋଇଛି । ଏହି ମାନ୍ୟତା ଢେଙ୍କାନାଳ ମଗଜିକୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇଛି । ଏହାର ଉତ୍ପତି ଢେଙ୍କାନାଳର ଗଦିଁଆ ବ୍ଲକ ଅର୍ନ୍ତଗତ ଷଢଙ୍ଗି ଗ୍ରାମରୁ ହୋଇଛି । ଏହା ଶହଶହ ବର୍ଷ ଧରି ଏହି ଅଞ୍ଚଳର ଏକ ପାରମ୍ପରିକ ମିଠା ଭାବେ ରହିଆସିଛି । ମଗଜି ଲଡୁ ମହାପ୍ରଭୁ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରୁ ଅନ୍ୟତମ । ଏହି ଧାର୍ମିକ ବିଶ୍ୱାସ ଯୋଗୁଁ ଓଡିଶାର ଲୋକଙ୍କ ମଧ୍ୟରେ ଏହାର ଆନେକ ଆଦର ରହିଛି । ଏହା ମୁଖ୍ୟତଃ ମଇଁସି କ୍ଷୀରରୁ ପ୍ରସ୍ତୁତ ଛେନା, ଚିନି ଏବଂ ଅଳେଇଚ ଗୁଣ୍ଡରୁ ତିଆରି ହୁଏ । ମଇଁସି କ୍ଷୀରର ବ୍ୟବହାର ଏହାକୁ ଏକ ଭିନ୍ନ ସ୍ୱାଦ ଓ ଗନ୍ଧ ଦେଇଥାଏ । ଢେଙ୍କାନାଳରେ ଯେକୌଣସି ପର୍ବପର୍ବାଣି (ଯଥା ଲକ୍ଷ୍ମୀପୂଜା, ରଜ) କିମ୍ବା ବିବାହ ଉତ୍ସବରେ ମଗଜି ଲଡୁ ବଣ୍ଟାଯିବା ଏକ ପରମ୍ପରା । ଏହାର ଅନେକ ସାସ୍କୃତିକ ଗୁରୁତ୍ୱ ରହିଅଛି । ବଜାର ଚାହିଦା ଅନୁଯାୟୀ ଢେଙ୍କାନାଳ ସହର ଏବଂ ଷଢଙ୍ଗି ଅଞ୍ଚଳରେ ଶହଶହ ପରିବାର ଏହି ବ୍ୟବସାୟ ସହିତ ଜଡିତ । ବର୍ତ୍ତମାନ ଏହା ଅନଲାଇନ ଏବଂ ବଡ ବଡ ସହରରେ ମଧ୍ୟ ଉପଲବ୍ଧ ହେଉଛି । ୨୦୨୫ ମସିହାରୁ ସ୍ଥାନିୟ ଲୋକେ ଜାନୁଆରି ୧୪ ତାରିଖକୁ ବିଶ୍ୱ ମଗଜି ଦିବସ ଭାବେ ପାଳନ କରି ଏହାର ପ୍ରଚାର ପ୍ରସାର କରିଛନ୍ତି । ସ୍ଥାନିୟ ଲୋକ କଥା ଅନୁଶାରେ, ପ୍ରାୟ ୧୫୦ ବର୍ଷ ପୂର୍ବେ ଷଢଙ୍ଗିର ଚକ୍ରଧର ସାହୁ ନାମକ ଜଣେ ବ୍ୟକ୍ତି ପ୍ରଥମେ ଏହି ଲଡୁ ପ୍ରସ୍ତୁତ କରିଥିଲେ । କୁହାଯାଏ ଯେ ୧୪ଶ ଶତାଦ୍ଦୀ ରେ କପିଳାସରେ ରହୁଥିବା ସନ୍ଥ ଶ୍ରୀ ଧର ସ୍ୱାମୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଏହି ମିଠା ଭୋଜନ କରାଇଥିଲେ ।
#ମଗଜି #ଲଡୁ #ବିଶ୍ବପ୍ରସିଦ୍ଧ