କିଟ୍ ଓ କିସ୍‌ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

Spread the love

ଭୁବନେଶ୍ୱର,୨୬ା୧: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗିନିର ନ୍ୟାସ୍‍ନାଲ୍‍ ଟ୍ରାନଜିସନ୍‍ କାଉନ୍‍ସିଲ୍‍ ପ୍ରେସିଡେଣ୍ଟ ଡ. ଦନଶା କୋରୋମା ଯୋଗଦେଇଥିବା ବେଳେ ପ୍ରାକ୍ତନ ଲେଫ୍‍ଟ୍‍ନାଣ୍ଟ ଜେନେରାଲ ସି ପି ମହାନ୍ତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଡ. କୋରୋମା ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କହିଲେ, ଭାରତର ଏହି ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ଏଭଳି ଏକ ଅନୁଷ୍ଠାନରେ ଅତିଥି ଭାବେ ଯୋଗ ଦେଇଥିବାରୁ ବ୍ୟକ୍ତିଗତ ଭାବେ ମୁଁ, ଆମ ଦେଶର ଲୋକ ଓ ଆମ ଦେଶ ଏଥିପାଇଁ ଗୌରବାନ୍ୱିତ ମନେକରୁଛି । ସାଧାରଣତନ୍ତ୍ର ଦିବସ ସମସ୍ତଙ୍କ ପାଇଁ ଗୁରୁତ୍ୱ ବହନ କରେ । ଆମ ଦେଶ ଗିନିରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଅତି ଗୁରୁତ୍ୱର ସହ ପାଳନ କରାଯାଇଥାଏ । ଏଭଳି କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଇଥିବାରୁ ସେ କିଟ୍‍ ଓ କିସ୍‍ ତଥା ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ପ୍ରାକ୍ତନ ଲେଫ୍‍ଟ୍‍ନାଣ୍ଟ ଜେନେରାଲ ସି ପି ମହାନ୍ତି ଛାତ୍ରଛାତ୍ରୀଙ୍କ ପ୍ୟାରେଡ୍‍ ଓ ମାର୍ଚ୍ଚପାଷ୍ଟର ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଏଠାରୁ ଉଚ୍ଚଶିକ୍ଷା ଗ୍ରହଣ କରି ପିଲାମାନେ ଯେତେବେଳେ ନିଜ ସ୍ଥାନକୁ ଯିବେ ସେମାନେ ଅତିକମ୍‍ରେ ୧୦ଜଣଙ୍କୁ ଶିକ୍ଷା ସମ୍ପର୍କରେ ସଚେତନ କରାଇବା ଉଚିତ । ପ୍ରତ୍ୟେକ ଛାତ୍ରଛାତ୍ରୀ ସମାଜରେ ଜଣେ ଜଣେ ଭଲ ମଣିଷ ହେବା ସହ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ପାଇଁ ଚେଷ୍ଟା କରିବା ଉଚିତ । ଏହା ସହ ସମୟାନୁବର୍ତ୍ତିତା ଅନୁସରଣ କରିବା ସହ ଶୃଙ୍ଖଳା ଜ୍ଞାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିବା ଉଚିତ ବୋଲି ସେ କହିଥିଲେ ।
କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବିଗତ ୨୬ବର୍ଷ ଧରି କିଟ୍‍ ଓ କିସ୍‍ ନିଜର ପ୍ରୟାସ ଓ ଉଦ୍ୟମ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରଶଂସାର ପାତ୍ର ହୋଇପାରିଛି । କିଟ୍ ଓ କିସ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ ପରିଜା, ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ, କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡା. ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପି. କେ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ କିଟ୍ ଓ କିସ୍‌ର ବିଭିନ୍ନ ସ୍କୁଲ ପକ୍ଷରୁ ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମାର୍ଚପାଷ୍ଟ ବିଚାରକ ଭାବେ ପ୍ରାକ୍ତନ ପୋଲିସ କମାଣ୍ଡାଣ୍ଟ ସୁବାସ ଚନ୍ଦ୍ର ତ୍ରିପାଠୀ ଓ ଅମ୍ବିକା ପ୍ରସାଦ ପଣ୍ଡା ଯୋଗ ଦେଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଚାରକ ଭାବେ ଶ୍ରୀକାନ୍ତ ଗୌତମ, ପ୍ରତିଭା ପଣ୍ଡା ଓ ଗୀତା ପଟ୍ଟନାୟକ ଯୋଗ ଦେଇଥିଲେ ।


Spread the love

Leave A Reply

Your email address will not be published.