ଭୁବନେଶ୍ବର: ସମ୍ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଥିଲାବେଳେ ଭାଜପା ସରକାରର ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ଓ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ବଢେଇବାର ନିଷ୍ପତ୍ତି ଗରିବ ଓ ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଲାପରି ମନେ ହେଉଛି। ଅଚ୍ଛେଦିନର ରାଗ ଆଳାପ କରୁଥିବା ଭାଜପା ସରକାର ବାରମ୍ବାର ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି କରି ଜନତାଙ୍କୁ ଦରବୃଦ୍ଧିର ବୋଝ ତଳେ ଚାପିଦେବାଟା କଣ ପ୍ରକୃତ ଅଚ୍ଛେଦିନ କି ବୋଲି ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ? ଏପ୍ରିଲ୍ ୮ତାରିଖରୁ ଲାଗୁ ହୋଇଥିବା ଏହି ପରିବର୍ଦ୍ଧିତ ଦରରେ ସାଧାରଣ ଗ୍ରାହକଙ୍କ ପାଇଁ ଓଡ଼ିଶାରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୮୨୯ ଟଙ୍କାରୁ ୮୬୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗରିବ ସୀମାରେଖା ତଳେ ରହୁଥିବା ଉଜ୍ଵଳା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ୫୦୩ ଟଙ୍କାରୁ ୫୫୩ ଟଙ୍କା ବଢେଇ ଉଜ୍ବଳା ଏକ ଯୋଜନା ନୁହେଁ ବରଂ ମୋଦି ସରକାରର ଏକ ପ୍ରହସନ ଥିଲା ବୋଲି ପ୍ରମାଣିତ ହୋଇଛି। ଅନ୍ୟ ରାଜ୍ୟ ଗୁଡ଼ିକରେ ଭାଜପା ମାଗଣା ସିଲିଣ୍ଡର ବାଣ୍ଟିବାର ପ୍ରତିଶ୍ରୁତି ଦେଇଥିବାବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବଢେଇ ଏଠାକାର ଭାଜପା ସରକାର ଓଡ଼ିଶାବାସୀଙ୍କ ବୋଝ ଉପରେ ନଳିତା ବିଡା ଲଦି ଦେବାର ଦୁଷ୍ପ୍ରୟାସ କରୁଛନ୍ତି।
ଦରହ୍ରାସର ପ୍ରତିଶ୍ରୁତି ଦେଇଥିବା ମୋହନ ସରକାର ଓଲଟା ରନ୍ଧନ ଗ୍ୟାସ ମୂଲ୍ୟ ବଢେଇ ଓଡ଼ିଶାର ଅଗଣିତ ମା, ଭଉଣୀଙ୍କ ଚୁଲିମୁଣ୍ଡର ଯନ୍ତ୍ରଣାକୁ ଦ୍ଵିଗୁଣିତ କରିଥିବାରୁ ଆମ୍ ଆଦମୀ ପାର୍ଟି ଗଭୀର ଉଦବେଗ ପ୍ରକାଶ କରୁଛି। କେବଳ ସେତିକିରେ କଥା ସରୁନାହିଁ। ପେଟ୍ରୋଲ, ଡିଜେଲ ଲିଟର ପିଛା ଆହୁରି ୨ ଟଙ୍କା ବଢେଇ ସରକାର ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଜନତାଙ୍କ ଉପରେ କ୍ରୁର ପ୍ରହାର କରିଛନ୍ତି। ପୂର୍ବରୁ ଆମେ ଅନେକ ସମୟରେ ଦେଖିଛେ ଯେ ଆନ୍ତର୍ଜାତୀୟ ବଜାରରେ କଞ୍ଚାତେଲର ମୂଲ୍ୟବୃଦ୍ଧି ହେଲେ ପେଟ୍ରୋଲ, ଡିଜେଲର ଆନୁପତିକ ମୂଲ୍ୟବୃଦ୍ଧି ହୋଇଥାଏ।
ଆପଣମାନଙ୍କ ସୂଚନା ନିମନ୍ତେ ଆମେ ଜଣାଇବାକୁ ଚାହୁଁଛୁ ଯେ ଏପ୍ରିଲ ୨୦୨୪ରେ କଞ୍ଚାତେଲର ବ୍ୟାରେଲ୍ ପିଛା ଆନ୍ତର୍ଜାତୀୟ ବଜାର ମୂଲ୍ୟ ୮୬ ଆମେରିକୀୟ ଡଲାର ଥିଲାବେଳେ ଏପ୍ରିଲ ୨୦୨୫ରେ ଏହାର ମୂଲ୍ୟ କମି ବ୍ୟାରେଲ୍ ପିଛା ୬୦ ଆମେରିକୀୟ ଡଲାରରେ ପହଞ୍ଚିଛି। ଏଣୁ ଆନ୍ତର୍ଜାତୀୟ ବଜାରଦର ଅନୁଯାୟୀ ଆନୁପାତିକ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସ ହେବାର ଆବଶ୍ୟକତା ଥିଲା ବେଳେ ଦରବୃଦ୍ଧି ନିଷ୍ପତ୍ତି ଉଦାର ନୀତି ଅବା ଚାଲାକ ମହାଜନୀ ନୀତି ସରକାର ଆପଣେଇଛନ୍ତି କି ବୋଲି ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରୁଛି ? ପୂର୍ବ ସରକାର ସମୟରେ ପେଟ୍ରୋଲ , ଡିଜେଲ ଦର ବୃଦ୍ଧିକୁ କମ୍ କରିବାପାଇଁ ବିରୋଧୀଦଳର ମୁଖ୍ୟ ସଚେତକ ଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି
ମନମୋହନ ସାମଲ, ଉପସଭାପତି ଗୋଲକ ନାୟକଙ୍କ ଭଳି ତୁଙ୍ଗନେତାମାନେ ପେଟ୍ରୋଲ, ଡିଜେଲ ଦରରୁ ଭାଟ ବାବଦରେ ନବୀନ ସରକାର ନେଉଥିବା ଟିକସକୁ କମାଇବା ପାଇଁ ଅଯାଚିତ ପରାମର୍ଶ ଦେଉଥିଲେ। ଏଣୁ ଆମ୍ ଆଦମୀ ପାର୍ଟି ମୋହନ ସରକାରଙ୍କୁ ପରାମର୍ଶ ଦେଉଛି ଯେ ଯେହେତୁ ନବୀନ ଆପଣଙ୍କ କଥା ନ ମାନି କ୍ଷମତାଚ୍ୟୁତ ହେଲେ ଆପଣ ସେ ଭଳି ତ୍ରୁଟିକୁ ପୁନରାୟ ନ ଦୋହରାଇ ଭାଟ ବାବଦରେ ଆପଣଙ୍କ ସରକାର ନେଉଥିବା ଟିକସକୁ କମାଇ ସମ୍ପ୍ରତି ଉପୁଜିଥିବା ଦରବୃଦ୍ଧି ଜନିତ ରାଜ୍ୟବାସୀଙ୍କ ବୋଝକୁ ଲାଘବ କରନ୍ତୁ। ଅନ୍ୟଥା ଭାରତୀୟ ଜନତା ପାର୍ଟି କାମରେ ନୁହେଁ କଥାରେ ବିଶ୍ୱାସ କରୁଥିବାର ନଜିର ପୁଣିଥରେ ପ୍ରମାଣିତ ହେବ।
ସର୍ବକାଳୀନ ମୂଲ୍ୟବୃଦ୍ଧି, ବିପର୍ଯ୍ୟସ୍ତ ସେୟାର ମାର୍କେଟ ଜନିତ ମାନ୍ଦା ବଜାରର ପ୍ରଭାବରେ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କ ରୁଗଣ ଆର୍ଥିକ ସ୍ଥିତିର କୌଣସି ସମାଧାନ କରିବା ପରିବର୍ତ୍ତେ ନୀରବରେ ଟିକସ ବୋଝ ଲଦିଦେବା ଭଳି ଭାରତୀୟ ଜନତା ପାର୍ଟି ଯେଉଁ ଜନତାମାରଣ ନୀତି ଆପଣେଇଛି ତାହାକୁ କଡ଼ା ଶବ୍ଦରେ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ ତୁରନ୍ତ ବର୍ଦ୍ଧିତ ଟିକସ ପ୍ରତ୍ୟାହାର କରିବାକୁ ଦାବି ଜଣାଉଛି।
ଆଜିର ପ୍ରେସମିଟରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ରାଜ୍ୟ ପ୍ରବକ୍ତା ଶ୍ରୀ ସଞ୍ଜୀବ ମହାନ୍ତି , ଯାଜପୁର ଜିଲ୍ଲା ସଭାପତି ଏବଂ ଶ୍ରୀ ମନୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।