ଅମ୍ବି ଓ ବିନ୍ଦୁ ସୁବ୍ରମଣ୍ୟମଙ୍କ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍‍ ଫ୍ୟୁଜନ୍‍)ରେ ଦର୍ଶକ ମନ୍ତ୍ରମୁଗ୍ଧ

(୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଚତୁର୍ଥ ସଂଧ୍ୟା)

Spread the love

ଭୁବନେଶ୍ୱର (ତା ୮.୯.୨୦୨୪) : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍‍ ଓ ତାଙ୍କର ଶୁବ୍ରମାନିଆ ମ୍ୟୁଜିକ୍‍ ଏନ୍‍ସେମ୍ବଲର ଏକ ଆକର୍ଷଣୀୟ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍‍ ଫ୍ୟୁଜନ୍‍) ଉପସ୍ଥାପିତ ହୋଇଥିଲା ।

ଆଜି ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ପୋଲିସ୍‍ ମହାନିର୍ଦ୍ଦେଶକ ତଥା ଓଡ଼ିଶା ପୋଲିସ୍‍ ଫୋର୍ସର ମୁଖ୍ୟ ଶ୍ରୀଯୁକ୍ତ ଯୋଗେଶ ବାହାଦୂର ଖୁରାନିଆ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ; ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଆଦ୍ୟାଶା ଶତପଥୀ ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ।

ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶୁବ୍ରମାନିଆ ମ୍ୟୁଜିକ୍‍ ଏନ୍‍ସେମ୍ବଲର ଆକର୍ଷଣୀୟ ତଥା ଚମତ୍କାର ବାଦ୍ୟ ସଂଚାଳନରୁ । ବେହେଲାରେ ଅମ୍ବି ସୁବ୍ରମଣ୍ୟମ୍‍, କଣ୍ଠରେ ବିନ୍ଦୁ ସୁବ୍ରମଣ୍ୟମ୍‍, କୀବୋଡ଼ରେ ଫ୍ରିଜୋ ଫ୍ରାନ୍ସିସ୍‍, ମୃଦଙ୍ଗମ୍‍ରେ ଅନିରୁଦ୍ଧ ଭଟ, ଗିଟାର୍‍ରେ ପ୍ରଶାନ୍ତ ଗଣାମୁଥୁ ଏବଂ ଡ୍ରମରେ କାର୍ତ୍ତିକ ମଣି ଦର୍ଶକଙ୍କୁ ସେମାନଙ୍କ ସମସାମୟିକ ଆନ୍ତର୍ଜାତୀୟ ସଙ୍ଗୀତ ସହିତ ପାରମ୍ପାରିକ ଭାରତୀୟ ସଙ୍ଗୀତର ଏକ ମିଶ୍ରଣରେ ମୁନ୍ତ୍ରମୁଗ୍ଧ କରିଥିଲେ । ବାଦ୍ୟଯନ୍ତ୍ର ମୃଦଙ୍ଗମ୍‍, ଡ୍ରମ୍‍ ଓ ବେହେଲାକୁ ବ୍ୟବହାର କରି ଏକ ନିଆରା ସଙ୍ଗୀତ ପରିବେଷଣ ସହିତ ଅମ୍ବି ସୁବ୍ରମଣ୍ୟମ୍‍ ବିଭିନ୍ନ ଧ୍ୱନି, ସ୍ୱର ଓ କଣ୍ଠର ଏକ ଅନନ୍ୟ ମିଶ୍ରଣ ଉପସ୍ଥାପନ   କରିଥିଲେ । ସେମାନଙ୍କର ଅନ୍ତର୍ନିହିତ ଶାସ୍ତ୍ରୀୟ ସଙ୍ଗୀତରେ ଚମତ୍କାର ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍‍ ଫ୍ୟୁଜନ୍‍) ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ଆନନ୍ଦ ପ୍ରଦାନ କରିଥିଲା ।

ଗୁରୁ ରତିକାନ୍ତ ମହାପାତ୍ର ସମଗ୍ର ଉତ୍ସବଟିର ପରିକଳ୍ପନା ଓ କାର୍ଯ୍ୟକାରୀ କରିଥିଲାବେଳେ ଶ୍ରୀ ଦେବୀପ୍ରସାଦ ମିଶ୍ର ତାଙ୍କୁ ସହଯୋଗ କରିଥିଲେ । ଡଃ. ମୃତ୍ୟୁଞ୍ଜୟ ରଥ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଏମ୍‍.ଜି.ଏମ୍‍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍‌ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଅଛି ।  ଶାଲିମାର୍ କୋକାନଟ୍ ଅଏଲ୍‌, ନାଲକୋ, ଏସ୍‌.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ  ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।


Spread the love

Leave A Reply

Your email address will not be published.