ଭୁବନେଶ୍ୱର,୧୪/୦୨:ମଧ୍ୟବିତ୍ ପରିବାରର ନୂଆ-ନୂଆ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନକୁ କେନ୍ଦ୍ର କରି ନିର୍ମିତ ନିଛକ ଓଡ଼ିଆ ଚଳଚ୍ଚିତ୍ର ‘ବର ବଧୂ’ ରୂପେଲି ପରଦାରେ ପ୍ରେମ, ପରମ୍ପରା ଓ ପାରିବାରିକ ସମ୍ପର୍କର ଅନୁଭୂତିକୁ ଜୀବନ୍ତ କରିଛି । ପାରିବାରିକ ସମ୍ବନ୍ଧର ସୂକ୍ଷ୍ମ ଭାବନା ଓ ସମ୍ପର୍କର ସେତୁକୁ ଦୃଢ଼ କରି ରଖିବାର ଅନବରତ ପ୍ରୟାସକୁ ଆଧାର କରି ଗଢ଼ାଯାଇଥିବା ଏହି ସିନେମା ଦର୍ଶକମାନଙ୍କ ମନକୁ ଛୁଇଁଯାଇଛି। ଭୁବନେଶ୍ୱରସ୍ଥିତ ସ୍ଵାତୀ ସିନେମା ହଲରେ ଏହାର ସ୍ପେଶାଲ ସ୍କ୍ରିନିଂ ଏବଂ ମହାରାଜା ସିନେମା ହଲରେ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହଲ୍ରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଥିଲା । ଦର୍ଶକମାନେ ନିଜ ପ୍ରିୟ କଳାକାରଙ୍କୁ ନିକଟରୁ ଦେଖିବା ଓ ତାଙ୍କ ସହ ଅନୁଭୂତିମୟ ମୂହୂର୍ତ୍ତ ବିତାଇବାର ସୁଯୋଗ ପାଇଥିଲେ । ସିନେମାରେ ଶିବାନୀ ଓ ଶୈଳେନ୍ଦ୍ରଙ୍କ ସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି ।
ଏହି ଚଳଚ୍ଚିତ୍ରରେ ଶୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ ଓ ଭାସ୍ୱତୀ ବସୁଙ୍କ ନିଖୁଣ ଅଭିନୟ ସିନେମାକୁ ଆହୁରି ପ୍ରଭାବଶାଳୀ କରିଛି । ଓଡ଼ିଆ ପାରିବାରିକ ଜୀବନ, ବେରୋଜଗାର ସମସ୍ୟା ଓ ଆଚାର-ବିଚାରକୁ ଆଧାର କରି ଗଢ଼ାଯାଇଥିବା କାହାଣୀ ଦର୍ଶକଙ୍କୁ ନିଜ ଜୀବନର ସମାନ ପରିସ୍ଥିତି ସ୍ମରଣ କରାଇବାରେ ସକ୍ଷମ ହୋଇଛି ।
The Useful Garbage Creations ବ୍ୟାନରରେ ଚନ୍ଦ୍ରମଣିଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମିତ । ନିର୍ଦ୍ଦେଶକ ବିଶ୍ୱରଞ୍ଜନଙ୍କ ସୁଚିନ୍ତିତ ନିର୍ଦ୍ଦେଶନା ସିନେମାକୁ ଏକ ସମ୍ବେଦନଶୀଳ ରୂପ ଦେଇଛି । Country Boyz Studios ଓ Sharpline Film Pvt. Ltd. ସହଯୋଗୀ ସଂସ୍ଥା ଭାବେ ଯୁକ୍ତ ହୋଇଥିବାବେଳେ, ସହ-ପ୍ରଯୋଜକ ଭାବେ ବିଶ୍ୱରଞ୍ଜନ ଓ ସୁଶୀଲ କୁମାର ମିଶ୍ର ଦାୟିତ୍ୱ ସମ୍ଭାଳିଛନ୍ତି ।